ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ନିର୍ଗୁଣ୍ଡି ରେଳ ଷ୍ଟେସନରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାରେ ପ୍ରାଥମିକ ଭାବେ ୪ ଜଣଙ୍କୁ ନିଲମ୍ବିତ କରାଯାଇଛି। ନିର୍ଗୁଣ୍ଡି ଷ୍ଟେସନ୍ ମାଷ୍ଟର, ମାଲବାହୀ ଗାଡ଼ିର ଗାର୍ଡ, ଏକ୍ସେପ୍ରେସ୍ ଟ୍ରେନର ଲୋକୋ ପାଇଲଟ୍ ଓ ସହକାରୀ ଲୋକ ପାଇଲଟଙ୍କୁ ନିଲମ୍ବିତ କରାଯାଇଛି।

ଏପଟେ ଏହି ଦୁର୍ଘଟଣାର ଅଧିକ ତଦନ୍ତ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଦକ୍ଷୀଣ ପୂର୍ବ ରେଳବାଇ ସେଫ୍ଟି କମିସନରଙ୍କୁ ଦାୟିତ୍ୱ ଦିଆଯାଇଛି। ଆସନ୍ତା ୧୮ରୁ ସେ ତଦନ୍ତ ଆରମ୍ଭ କରିବେ।

କଟକ ନିର୍ଗୁଣ୍ଡିଠାରୁ କିଛି ଦୂରରେ ଗୁରୁବାର ଏକ ବଡ଼ ଧରଣର ରେଳ ଦୁର୍ଘଟଣା ହୋଇଛି। ଟ୍ରାକରେ ପୂର୍ବରୁ ଛିଡ଼ା ହୋଇ ରହିଥିବା ଏକ ମାଲବାହୀ ଟ୍ରେନ ପଛପଟୁ ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଲକ ସୁପରଫାଷ୍ଟ ଏକ୍ସେପ୍ରେସ୍ ଧକ୍କା ଦେଇଛି। ଫଳରେ ଏକ୍ସପ୍ରେସ୍ ଟ୍ରେନର ୧୩ଟି ବଗି ଲାଇନଚ୍ୟୁତ ହୋଇଛି। ଏଥିରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ସେଥି ମଧ୍ୟରୁ ୫ ଜଣ ଗୁରୁତର ଅଛନ୍ତି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ମଧ୍ୟାହ୍ନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି।

ପ୍ରଥମେ ୮ ଜଣ ଆହତଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଥିଲା। ପରେ ସମସ୍ତ ୨୧ ଜଣ ଆହତଙ୍କୁ ଏସ୍‌ସିବି କାଜୁଆଲିଟିରେ ଭର୍ତ୍ତି କରାଯାଇଛି। ଚିକିତ୍ସିତଙ୍କ ମଧ୍ୟରୁ ୫ ଜଣ ଯାତ୍ରୀ ଗୁରତର ଥିବା ଜଣାପଡ଼ିଛି। ଯାତ୍ରୀଙ୍କ ଚିକିତ୍ସା ସମ୍ପର୍କରେ ବୁଝିବା ପାଇଁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏସ୍‌ସିବିରେ ପହଞ୍ଚିଥିଲେ।

ସେହିପରି ଯାତ୍ରୀଙ୍କୁ ଦୁର୍ଘଟଣା ସ୍ଥଳରୁ ସ୍ଥାନାନ୍ତର କରିବା ପାଇଁ ରେଳବାଇ ପକ୍ଷରୁ ୪ଟି ବସ୍ ବ୍ୟବସ୍ଥା କରାଯାଇଥିଲା। ଦିନ ୧୨ଟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଶେଷ କରାଯାଇ ପ୍ରାୟ ୪ ଶହରୁ ଅଧିକ ଯାତ୍ରୀଙ୍କୁ ସେଠାରୁ ସ୍ଥାନାନ୍ତର କରାଯାଇଥିଲା। ବେସରକାରୀ ଭାବେ ପ୍ରାୟ ଶହେରୁ ଅଧିକ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା କୁହାଯାଉଛି।

ଦୁର୍ଘଟଣା ପରେ ସେହି ରୁଟ୍‌ରେ ଗାଡ଼ିଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପ୍ରାୟ ୫ଟି ଟ୍ରେନ୍ ଭାୟା ନରାଜ ହୋଇ ଚଳାଚଳ କରିଥିଲା। ତେବେ ଦୁର୍ଘଟଣାର କାରଣ ନେଇ ରେଳବାଇ ପକ୍ଷରୁ କୌଣସି ସୂଚନା ଦିଆଯାଇନି।

ଏହି ଦୁର୍ଘଟଣା ପାଇଁ କଟକ ଦେଇ ଯାତାୟତ କରୁଥିବା ୫ଟି ଟ୍ରେନର ଗତିପଥ ବଦଳା ଯାଇଥିଲା। ଟ୍ରେନଗୁଡ଼ିକ ଭାୟା ନରାଜ ହୋଇ ଯାତାୟତ କରିଛି।

ଟ୍ରାକ୍ କ୍ଲିୟର କରିବା ପାଇଁ ଖୋର୍ଦ୍ଧାରୋଡ୍ ଓ ଭଦ୍ରକ ଡିଭିଜନରୁ ଦୁଇଟି ଟିମ୍ ଆସି ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି। ଅନ୍ୟପଟେ ଦୁର୍ଘଟଣାସ୍ଥଳରୁ ମାଲବାହୀ ଗାଡ଼ିକୁ ହଟାଇ ଦିଆଯାଇଛି। ସେହିପରି ଏକ୍ସପ୍ରେସ୍ ଟେନକୁ ହଟାଇବା ପାଇଁ ଜୋରଦାର କାମ ଚାଲିଛି।

ଗୁରୁବାର ବିଳମ୍ବିତ ରାତି କିମ୍ବା ଆସନ୍ତା କାଲି ସୁଦ୍ଧା ଏହି କାମ ଶେଷ ହେବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Comment