ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵରରେ ଶିଖ ଯୁବକଙ୍କୁ ମାଡ଼ ଘଟଣାରେ ନୂଆ ମୋଡ଼। ବୁଧବାର ରାତି ଅଧରେ ଆକ୍ରମଣର ଶିକାର ହୋଇଥିବା ଶିଖ୍‌ ଯୁବକ ପରବିନ୍ଦରଙ୍କ ଘରକୁ ଯାଇଥିଲେ ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ପୋଲିସ ଅଧିକାରୀ ଅନୁପ କାନୁନଗୋ। ସେମାନେ ଏତେ ରାତିରେ କାହିଁକି ପରବିନ୍ଦରଙ୍କ ଘରକୁ ଯାଇଥିଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏନେଇ ରାଜନୀତି ମଧ୍ୟ ଜୋର ଧରିଛି।

ଆକ୍ରମଣ ପର ଦିନ ରାତିରେ ଏପରି ହଠାତ୍‌ ରାତିରେ ବିଧାୟକ ଓ ପୋଲିସ ଅଧିକାରୀ ପରବିନ୍ଦରଙ୍କ ଘରକୁ ଆସିବା ନିହାତି ଭାବେ ଆଶ୍ଚର୍ଯ୍ୟଜନକ ବୋଲି ଚର୍ଚ୍ଚା ହେଉଛି। ଯଦି ବିଧାୟକଙ୍କ ଆସିବାର ଥିଲା ତେବେ ସେ ଦିନରେ ଆସି ପାରିଥାନ୍ତେ ବୋଲି ପରବିନ୍ଦରଙ୍କ ସ୍ତ୍ରୀ ଅଭିଯୋଗ କରିଛି। ଅନ୍ୟପକ୍ଷରେ କମିସନରେଟ ପୋଲିସରେ ନଥାଇ ବି ଅନୁପ କାନୁନଗୋ କାହିଁକି ପରବିନ୍ଦରଙ୍କ ଘରକୁ ଯାଇଥିଲେ? ଏଭଳି ପ୍ରଶ୍ନ ଘଟଣାକୁ ସନ୍ଦେହ ଘେରକୁ ଟାଣି ନେଉଛି।

ଏଭଳି ଅଭିଯୋଗ ପରେ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, “ଆମେ ପରବିନ୍ଦରଙ୍କ ପରିବାରକୁ ସାନ୍ତ୍ଵନା ଦେବାକୁ ଯାଇଥିଲୁ। ଆମ ସହ ଗୁରୁଦ୍ଵାର ସଭାପତି ସତପାଲ ସିଂ ମଧ୍ୟ ଥିଲେ।”

କିଛି ଅପରିଚିତ ଲୋକ ଆସି ରାତି ୧ଟା ବେଲେ ବେଲ ମାରିଲେ। କବାଟ ନଖୋଲିବାରୁ ପଳେଇଲେ। ପୁଣି ସକାଳେ ଆସି ସହାନୁଭୂତି ଦେଖାଇଲେ। ଭୟଭୀତ ହୁଅ ନାହିଁ, ଆମେ ତୁମ ସହ ଅଛୁ ବୋଲି ଆଶ୍ଵାସନା ଦେଇଥିଲେ ବୋଲି କହିଛନ୍ତି ପରବିନ୍ଦରଙ୍କ ସ୍ତ୍ରୀ।

ଅନ୍ୟପକ୍ଷରେ ଏହି ଘଟଣାରେ ରାଜନୈତିକ ମୋଡ଼ ମଧ୍ୟ ଦେଖାଯାଇଛି। ବିଧାୟକ ଅନନ୍ତ ନାରାୟଣ ଜେନା ଓ ଅନୁପ କାନୁନଗୋଙ୍କ ନାଁରେ ଥାନାରେ ଏତଲା ଦେଇଛି ବିଜେପି। ଏହାସହ ରାତିରେ ପରବିନ୍ଦରଙ୍କ ଘରକୁ ଡରାଇବା ପାଇଁ ଯାଇଥିଲେ ଅନନ୍ତ ନାରାୟଣ ଜେନା ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଅଭିଯୋଗ କରିଛନ୍ତି।

ଘଟଣାର ଗୋଟିଏ ଦିନ ପରେ ସମସ୍ତ ଅଭିଯୁକ୍ତଙ୍କୁ ଜାମିନ ମିଳିଯିବା ପରେ ଭୟଭୀତ ଅଛନ୍ତି ପରବିନ୍ଦରଙ୍କ ପରିବାର। ପୋଲିସ ଉପସ୍ଥିତିରେ ମତେ ଜୀବନରୁ ମାରିଦେବାକୁ ଉଦ୍ୟମ କରାଯାଇଥିଲା। ହେଲେ ପୋଲିସ ଅଭିଯୁକ୍ତ ନାଁରେ ୩୦୭ ଦଫା ଲଗାଇ ନାହିଁ। ଯେଉଁଥିପାଇଁ ସେମାନଙ୍କୁ ସହଜରେ ଜାମିନ ମିଳିଗଲା ବୋଲି କହିଛନ୍ତି ପରବିନ୍ଦର।

୧୪ ତାରିଖ ଦିନ ଭୁବନେଶ୍ଵର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଭଗବାନ ଆପାର୍ଟମେଣ୍ଟ ପାଖରେ କାର ପାର୍କିଂକୁ ନେଇ ଶିଖ୍‌ ଯୁବକ ପରବିନ୍ଦରଙ୍କ ସହ କିଛି ଯୁବକଙ୍କ ପାଟି ତୁଣ୍ଡ ହୋଇଥିଲା। ଏଥିରେ ପରବିନ୍ଦର ପୋଲିସକୁ ଫୋନ କରିଥିଲେ। ପିସିଆର୍‌ ଭ୍ୟାନ ପହଞ୍ଚି ଥିଲେ ମଧ୍ୟ ଦୁର୍ବୃତ୍ତମାନେ ପୋଲିସ ଆଗରେ ପରବିନ୍ଦରଙ୍କୁ ପ୍ରବଳ ମାଡ଼ ମାରିଥିଲେ।

Comment