ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘନ କୁହୁଡ଼ିର ଚାଦର ତଳେ ସାରା ରାଜ୍ୟ। ପାଖାପାଖି ୧୦ରୁ ୧୫ ମିଟର ଦୂରରୁ କିଛି ଦେଖାଯାଉନି। ଏଥିପାଇଁ ୮ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛନ୍ତି ପାଣିପାଗ ବିଭାଗ। ତେଣୁ ମଧ୍ୟ ରାତିରେ ଏବଂ ସକାଳୁ ସକାଳୁ ଯାତାୟତ କରୁଥିଲେ ସାବଧାନ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ସୁନ୍ଦରଗଡ଼, କେନ୍ଦୁଝର, ମାଲକାନଗିରି, ଢେଙ୍କାନାଳ, ମୟୂରଭଞ୍ଜ, ଅନୁଗୁଳ, କଳାହାଣ୍ଡି, କୋରାପୁଟ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ଉପକୂଳବର୍ତ୍ତି ଅଞ୍ଚଳରେ ବି ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକରେ ବି ସମାନ ପରିସ୍ଥିତି ଦେଖିବାକୁ ମିଳିଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଚାନ୍ଦବାଲିକୁ ସବୁଠୁ ଅଧିକ ଘନ କୁହୁଡ଼ି ଆଚ୍ଛାଦିତ କରିଛି। ଏଠାରେ ୨୦ ମିଟର ଦୂରତାରୁ କିଛି ଦୃଶ୍ୟମାନ ହେଉନି। ସେହିପରି ପାରାଦୀପରେ ୩୦ ମିଟର ଦୂରରୁ ଓ ଟୁଇନ୍‌ସିଟିରେ ୫୦ ମିଟର ଦୂରରୁ କିଛି ଦୃଶ୍ୟମାନ ହେଉନି।

ଗତ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ୧ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି। ଘନ କୁହୁଡ଼ିର ପ୍ରଭାବରେ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହୋଇଛି।

Comment