ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

 ବହୁ ଦିନର ଚର୍ଚ୍ଚା ପରେ ଶେଷରେ ସମୀର ମହାନ୍ତି ଓଡ଼ିଶା ବିଜେପିର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସମୀରଙ୍କ ଦାୟିତ୍ୱ ଗ୍ରହଣ ଏଭଳି ଏକ ସମୟରେ ହେଉଛି ଯେତେବେଳେ କି ଦଳ ଏକଦମ ଦୟନୀୟ ଓ ତ୍ରିଶଙ୍କୁ ଅବସ୍ଥାରେ ଅଛି। ମେ’ ୨୦୧୯ ବିଧାନସଭା ନିର୍ବାଚନରେ ଆଂଶିକ ସଫଳତା ହାସଲ କରିବା ପରେ ଶାସକ ବିଜେଡି ସହିତ ଦଳର ସମ୍ପର୍କ କେତେବେଳେ ଥଣ୍ଡା ତ କେତେବେଳେ ଗରମ ଭଳି। ସୁତରାଂ, ସମୀର ମହାନ୍ତି ସଭାପତି ହେବା ପରେ ବିଜେଡି ପ୍ରତି ବିଜେପିର ମନୋଭାବ ଅଧିକ କଡ଼ା ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

ସମୀରଙ୍କ ନିର୍ବାଚନ ସହ ବିଜେପିର ପଶ୍ଚିମ ଓଡ଼ିଶା ପ୍ରୀତି ମଧ୍ୟ ଅନେକଟା ହ୍ରାସ ପାଇବ। ଦୀର୍ଘ ୧୫ ବର୍ଷର ବ୍ୟବଧାନ ପରେ ବିଜେପି ଉପକୂଳ ଓଡ଼ିଶାର ଜଣେ ନେତାଙ୍କୁ ସଭାପତି ଆସନରେ ବସାଇଛି। ଗତ ନିର୍ବାଚନରେ ଦଳ ଉପକୂଳ ଓଡ଼ିଶାରେ ବିଶେଷ ଭଲ ପ୍ରଦର୍ଶନ କରିନଥିବା କାରଣରୁ ଏହି ଅଞ୍ଚଳରୁ କେହି ଜଣେ ସଭାପତି ହେବା ଦରକାର ବୋଲି ଦଳର ତୁଙ୍ଗ ନେତାଙ୍କ ମହଲରେ ମନ୍ଥନ ଚାଲି ଆସିଥିଲା। ଉପକୂଳ ଓଡ଼ିଶାରୁ କେବଳ ମନମୋହନ ସାମଲ ଓ ବିଶ୍ୱଭୂଷଣ ହରିଚନ୍ଦନ ହିଁ ସଭାପତି ହୋଇପାରିଥିଲେ। ଅବଶ୍ୟ ଧର୍ମେନ୍ଦ୍ରଙ୍କ ବାପା ଦେବେନ୍ଦ୍ର ପ୍ରଧାନ ବି ଅତୀତରେ ଥରେ ସଭାପତି ଥିଲେ। କିନ୍ତୁ ସେତେବେଳେ ଦଳର ସ୍ଥିତି ଥିଲା ନଗଣ୍ୟ ଓ ଅନୁଗୁଳ ଉପକୂଳ ଓଡ଼ିଶାର ବୋଲି ଗଣା ଯାଉନଥିଲା।

ସମୀର ମହାନ୍ତିଙ୍କ ସଭାପତି ନିର୍ବାଚନ ପରେ ଉପକୂଳ ଓଡ଼ିଶାରେ ଦଳ ଏଣିକି ଭଲ କରିବ ବୋଲି ଅନୁମାନ କରାଯାଉଛି। ବିଶେଷ କରି ସହରାଞ୍ଚଳରେ ଦଳ ପାଇଁ ଭୋଟ ଗୋଟାଇବାରେ ସମୀର ସହାୟକ ହେବେ ବୋଲି ଆକଳନ କରାଯାଇଛି। ଆଗକୁ ପୌର ନିର୍ବାଚନ ଥିବାରୁ ବିଜେପି ତାର ନିର୍ବାଚନ ରଣନୀତିକୁ ଅଧିକ ଶାଣିତ କରିବ ଏହା ନିଶ୍ଚିତ।

ଖାଣ୍ଟି ଉପକୂଳରୁ ଜଣକୁ ସଭାପତି ନକରି ଭୁବନେଶ୍ୱରରୁ ଜଣକୁ ଅଧ୍ୟକ୍ଷ ପଦ ଦିଆଇବା ପଛରେ ଆଉ ଏକ ବଡ଼ କାରଣ ହେଲା ଦଳ ଭିତରେ ଗୋଷ୍ଠୀ ବିବାଦକୁ ରୋକିବା। ବିଶେଷକରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବର୍ଦ୍ଧିତ ପ୍ରଭାବକୁ ରୋକିବା ପାଇଁ ସମୀର ଭିତିରିଆ କୌଶଳ ପ୍ରସ୍ତୁତ କରିଚାଲିବେ ଏହା  ସ୍ପଷ୍ଟ ଦେଖାଯାଉଛି। କେନ୍ଦ୍ର ନେତାମାନଙ୍କ ସହ ଅପରାଜିତାଙ୍କ ଉତ୍ତମ ସମ୍ପର୍କ ଓଡ଼ିଶାର ନେତାମାନଙ୍କୁ ସବୁବେଳେ ଆଶଙ୍କା ମଧ୍ୟରେ ରଖିଆସିଛି। ଏଣୁ ସମୀରଙ୍କ ଉପସ୍ଥିତି ସେହି ଭୟକୁ କିଞ୍ଚିତ ଲାଘବ କରିପାରେ। ନିକଟରେ ଅପରାଜିତା ଯୁବକ ଓ ମହିଳାଙ୍କ ପାଇଁ ଦୁଇଟି ସଂଗଠନ ପ୍ରତିଷ୍ଠା କରିଛନ୍ତି ଓ ତାଙ୍କର କାମ କରିବାର ତରିକା ଅନ୍ୟମାନଙ୍କ ଠାରୁ ପୂରା ଅଲଗା।

ସମୀରଙ୍କ ପଛରେ ସମସ୍ତ ଜିଲ୍ଲା ବିଜେପି ସଭାପତି ଓ ରାଜ୍ୟ ପରିଷଦର ସଭ୍ୟଙ୍କ ସମର୍ଥନ ଥିବା କାରଣରୁ ଦଳ ଭିତରେ ତାଙ୍କ ପ୍ରଭାବ ଏବେ ଜୋରଦାର ହେବ ବୋଲି କୁହାଯାଉଛି। ପୂର୍ବତନ ସଭାପତି ବସନ୍ତ ପଣ୍ଡାଙ୍କ ତୁଳନାରେ ସମୀରଙ୍କ ସଭାପତି ହେବା ଦଳ ପାଇଁ ନିଶ୍ଚିତଭାବେ ଅଧିକ ଲାଭଦାୟକ ହେବ ବୋଲି ଦଳ ଭିତରେ ଚର୍ଚ୍ଚା ହେଉଛି।

Comment