ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ-ଭୁବନେଶ୍ଵର ୧୬ ନମ୍ଵର ଜାତୀୟ ରାଜପଥ ହଂସପାଳ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ରବିବାର ରାତି ୨ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଏକ ଟାଭେରା କଟକରୁ ଭୁବନେଶ୍ଵର ଆଡ଼କୁ ଆସୁଥିବା ବେଳେ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେଇଥିବା ଜାଣାପଡ଼ିଛି।

କାଲି ବିଳମ୍ଵିତ ରାତିରେ ଏକ ଟାଭେରାରେ କିଛି ଲୋକ ଏକ ବିବାହ ଭୋଜିରୁ କଟକରୁ ଭୁବନେଶ୍ଵର ଫେରୁଥିଲେ। ଏହି ସମୟରେ କଟକ-ଭୁବନେଶ୍ଵର ଜାତୀୟ ରାଜପଥ ହଂସପାଳ ଛକ ନିକଟରେ ଏକ କୌଣସି ଏକ ଭାରି ଯାନ ଟାଭେରାକୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଟାଭେରାଟି ଭାଙ୍ଗି ଚୂରମାର ହୋଇଯାଇଥିଲା।

ଟାଭେରାରେ ବସିଥିବା ଲୋକମାନଙ୍କ ମଧ୍ୟରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ୨ଟି ଶିଶୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଆମ୍ଵୁଲାନ୍ସକୁ ଫୋନ କରିବା ସହ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Comment