ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରାର୍ଥିପତ୍ର ଦାଖଲ କରିବାକୁ ୩ଘଣ୍ଟାରୁ ଅଧିକ ସମୟ ହେଲା ଅପେକ୍ଷା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜିରଓ୍ୱାଲ। ତଥାପି ତାଙ୍କ ପାଳି ଆସିନି। ଆଜି ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ତାରିଖ ହୋଇଥିଲା ବେଳେ କେଜିରଓ୍ୱାଲଙ୍କ ଟୋକନ୍‌ ନମ୍ବର ୪୫ ରହିଛି।

ପାର୍ଥିପତ୍ର ଦାଖଲ କରିବାର ଆଜି ଶେଷ ତାରିଖ ହୋଇଥିବାରୁ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ବହୁ ପ୍ରାର୍ଥୀଙ୍କ ଭିଡ଼ ଲାଗିଛି। ପ୍ରାର୍ଥିପତ୍ର ଦାଖଲ କରିବାକୁ ଅପେକ୍ଷା କରିଥିବାବେଳେ କେଜିରଓ୍ୱାଲ ଏକ ଟୁଇଟ କରିଛନ୍ତି। ଗଣତନ୍ତ୍ରରେ ଏତେ ମାତ୍ରାରେ ଲୋକ ଭାଗ ନେଉଥିବା ଦେଖି ଖୁସି ଲାଗୁଛି ବୋଲି ସେ ଟୁଇଟରେ ଲେଖିଛନ୍ତି।

କେଜିରଓ୍ୱାଲ ସୋମବାର ଦିନ ପ୍ରାର୍ଥିପତ୍ର ଭରିଥାନ୍ତେ। ରାଲିରେ ରାସ୍ତା ଜାମ୍‌ ହେବାରୁ ସମୟ ଗଡ଼ି ଯାଇଥିଲା। ଫଳରେ ସେ ପ୍ରାର୍ଥିପତ୍ର ଦାଖଲ କରିପାରିନଥିଲେ।

କେଜିରଓ୍ୱାଲ ନୂଆଦିଲ୍ଲୀ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିପକ୍ଷରେ ବିଜେପି ସୁନିଲ ଯାଦବଙ୍କ ନାଁ ପ୍ରାର୍ଥୀ ଭାବେ ଘୋଷଣା କରିଛି।

ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀର ସମସ୍ତ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ କରାଯିବ। ଫେବ୍ରୁଆରି ୧୧ରେ ଦିଲ୍ଲୀ ବିଧାନସଭା ରେଜଲ୍ଟ ଆସିବ ବୋଲି ଦିନ ଧାର୍ଯ୍ୟ କରାଯାଇଛି।

Comment