ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଜାନୁଆରି ୨୭ରୁ ଝାରସୁଗୁଡ଼ାରୁ କୋଲକତା ଉଡ଼ିବ ବିମାନ
  • ଜାନୁଆରି ୩୧ରୁ ଭୁବନେଶ୍ଵରରୁ ବାରାଣାସୀ
  • ଫେବ୍ରୁଆରି ୨୯ରୁ ବାରାଣାସୀରୁ ଭୁବନେଶ୍ଵର
  • ଜୁଲାଇରେ ଝାରସୁଗୁଡ଼ାରୁ ମୁମ୍ଵାଇ
  • ଜୁଲାଇ ପହିଲାରେ ପ୍ରୟାଗରାଜରୁ ଭୁବନେଶ୍ଵରକୁ ଉଡ଼ିବ ବିମାନ

ଓଡ଼ିଶାରେ ବିମାନ ଚଳାଚଳ ନେଇ ରାଜ୍ୟ ସରକାରଙ୍କ ସହ ବିମାନ କମ୍ପାନିଙ୍କ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସିଙ୍ଗାପୁର, ଦୁବାଇ ଓ ଆବୁଧାବିକୁ ବିମାନ ଉଡ଼ାଣ ନେଇ ପ୍ରସ୍ତାବ ଦିଆଯାଇଛି। ଏହାସହ ନୂଆ ରୁଟ୍‌ରେ ଯେଉଁ ଘରୋଇ କମ୍ପାନି ବିମାନ ଚଳାଚଳ କରିବେ ସେମାନଙ୍କୁ ୧ ପ୍ରତିଶତ ଇନ୍ଧନ ରିହାତି ଦିଆଯିବ।

ଅନ୍ୟପକ୍ଷରେ ଜାନୁଆରି ୨୭ରୁ ଝାରସୁଗୁଡ଼ାରୁ କୋଲକତା, ଜାନୁଆରି ୩୧ରୁ ଭୁବନେଶ୍ଵରରୁ ବାରାଣାସୀକୁ ଓ ଫେବ୍ରୁଆରି ୨୯ରୁ ବାରାଣାସୀରୁ ଭୁବନେଶ୍ଵରକୁ ଇଣ୍ଡିଗୋ ଦ୍ଵାରା ବିମାନ ଉଡ଼ାଣ ନେଇ ନିଷ୍ପତ୍ତି ହୋଇଛି। ସେହିପରି ଜୁଲାଇରେ ଝାରସୁଗୁଡ଼ାରୁ ମୁମ୍ଵାଇ ଓ ପ୍ରୟାଗରାଜରୁ ଭୁବନେଶ୍ଵରକୁ ବିମାନ ଚଳାଚଳ କରାଯିବ ବୋଲି କୁହାଯାଇଛି।

ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି, “ଆମର ଲକ୍ଷ୍ୟ ହେଉଛି ଜୟପୁର, ରାଉରକେଲା ଓ ଉତ୍‌କେଲାରେ କେମିତି ଅଧିକରୁ ଅଧିକ ବିମାନ ଚଳାଚଳ ହୋଇପାରିବ। ଆଉ ସବୁଠାରୁ ବଡ଼ ଲକ୍ଷ୍ୟ ହେଉଛି ସିଙ୍ଗାପୁର, ହଂକଂ, ଆବୁଧାବିକୁ ବିମାନ ଉଡ଼ାଣ। ଏନେଇ ଆମେ କମ୍ପାନିଗୁଡ଼ିକ ସହ ଆଲୋଚନା କରି ପିଲିସି ତିଆରି କରିବୁ।”

ଏହାସହ ଉତ୍ତରପୂର୍ବାଞ୍ଚଳ ଓ ବିମାନ ଉଡ଼ାଣ ସୁବିଧା ନଥିବା ସ୍ଥାନମାନଙ୍କ ବିଷୟରେ ବୈଠକରେ ଆଲୋଚନା କରାଯାଇଛି। ଏହି ସବୁ ସ୍ଥାନକୁ ଘରୋଇ ବିମାନ ଉଡ଼ାଣ ନେଇ ପ୍ରସ୍ତାବ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ସଚିବ ପ୍ରଦୀପ ସିଂ ଖୋର୍ଲା, ଯୁଗ୍ମ ସଚିବ ଉଷା ପାଢ଼ୀ, ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ଅଧ୍ୟକ୍ଷ ଅରବିନ୍ଦ ସିଂହ, ରାଜ୍ୟ ପରିବହନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠିଙ୍କ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ସହ ବିଭିନ୍ନ ବିମାନ କମ୍ପାନୀର ସିଇଓ ଉପସ୍ଥିତ ଥିଲେ।

Comment