ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ବହୁଚର୍ଚ୍ଚିତ ପାଟଣାଗଡ଼ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ହାଇକୋର୍ଟ ଆଜି ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି। ପୁଞ୍ଜିଲାଲ ତାଙ୍କ ମା’ଙ୍କ ଶୁଦ୍ଧି କ୍ରିୟାରେ ଯୋଗଦେବାକୁ ପ୍ରାର୍ଥନା କରି ହାଇକୋର୍ଟରୁ ଅନ୍ତରୀଣ ଜାମିନ୍ ଆବେଦନ କରିଥିଲେ।

ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁ ଆଜି ଏହି ମାମଲାର ଶୁଣାଣି କରି ପୁଞ୍ଜିଲାଲଙ୍କୁ ଚାରି ଦିନିଆ ଜାମିନ୍ ପ୍ରଦାନ କରିଛନ୍ତି। ଆସନ୍ତା ୨୪ରୁ ୨୮ତାରିଖ ପର୍ଯ୍ୟନ୍ତ ସେ ଜାମିନ୍‌ରେ ଯିବେ। ୨୮ତାରିଖରେ ଦିନ ୧୧ଟାରେ ଆସି ଅଦାଲତରେ ହାଜର ହେବେ।

ଏହି ଅନ୍ତରୀଣ ଜାମିନ୍ ସହ ହାଇକୋର୍ଟ ପୁଞ୍ଜିଲାଲଙ୍କ ପାଇଁ କେତେକ ସର୍ତ୍ତ ମଧ୍ୟ ଲାଗୁ କରିଛନ୍ତି। ଏହି ଜାମିନ୍ ସମୟରେ ସେ କୌଣସି ଗଣମାଧ୍ୟମ ସହ ଆଲୋଚନା କରିବେ ନାହିଁ କିମ୍ବା ଗଣମାଧ୍ୟମକୁ କିଛି କହିବେ ନାହିଁ। ସାକ୍ଷୀମାନଙ୍କୁ ପ୍ରଭାବିତ କରିବେ ନାହିଁ। ଯଦି ସେ ଜାମିନ୍ ସମୟରେ ବାହାରକୁ ଯାଆନ୍ତି ତାହେଲେ ସ୍ଥାନୀୟ ଥାନାଧିକାରୀଙ୍କୁ ଅବଗତ କରିବେ। ଥାନା ଅଧିକାରୀ ମଧ୍ୟ ଏହି ସମୟରେ ତାଙ୍କ ଉପରେ ନଜର ରଖିବାକୁ ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି।

୨୦୧୮ ଫେବ୍ରୁଆରି ୨୩ରେ ନବବିବାହିତ ସୌମ୍ୟଶେଖରଙ୍କ ପତ୍ନୀ ରିମା ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଏଥିରେ ସୌମ୍ୟ ଶେଖରଙ୍କ ଜେଜେମା’ଙ୍କର ମୃତ୍ୟୁ ହୋଇଥିଲା ବେଳେ  ଗୁରୁତର ଅବସ୍ଥାରେ ନବ ବିବାହିତ ଦମ୍ପତ୍ତିଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସୌମ୍ୟଶେଖର ବି’ ଆଖି ବୁଜି ଦେଇଥିଲେ। ଘଟଣାକୁ ନେଇ ପାଟଣାଗଡ଼ ଥାନା ପୋଲିସ୍ ସେହିଦିନ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।

ପରେ ଏହି ଘଟଣାର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚ୍ ଏସ୍‌ଆଇଟି ନେଇଥିଲା। ୨୦୧୮ ଏପ୍ରିଲ ୨୫ରେ ପୁଞ୍ଜିଲାଲଙ୍କୁ ଗିରଫ କରିଥିଲା କ୍ରାଇମ୍‌ବ୍ରାଞ୍ଚ୍। ଶେଷଥର ପାଇଁ ୨୦୧୯ ମାର୍ଚ୍ଚ ୨୫ରେ ପୁଞ୍ଜିଲାଲଙ୍କ ନିୟମିତ ଜାମିନ୍ ଆବେଦନକୁ ଖାରଜ କରିଥିଲେ ହାଇକୋର୍ଟ।

ଗତ ୧୦ ତାରିଖରେ ପୁଞ୍ଜିଲାଲଙ୍କ ମା’ଙ୍କର ଦେହାନ୍ତ ହେବାରୁ ଅନ୍ତିମକ୍ରିୟା ପାଇଁ ନିମ୍ନ ଅଦାଲତରୁ ତାଙ୍କୁ ଦିନିକିଆ ଜାମିନ୍ ମିଳିଥିଲା। ଏବେ ଶ୍ରାଦ୍ଧ କାର୍ଯ୍ୟରେ ଯୋଗ ଦେବା ଲାଗି ହାଇକୋର୍ଟ ତାଙ୍କୁ ଚାରି ଦିନିକିଆ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି। ପୁଞ୍ଜିଲାଲଙ୍କ ପକ୍ଷରୁ ଆଇନଜୀବୀ ମନୋଜ କୁମାର ପତି ମାମଲା ପରିଚାଳନା କରୁଥିଲେ।

Comment