ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଷୀ, କୃଷି ବିଶେଷଜ୍ଞ ଓ କୃଷି ଶିଳ୍ପୋଦ୍ୟୋଗୀଙ୍କୁ ଗୋଟିଏ ଜାଗାରେ ଏକାଠି କରିବାର ସୁଯୋଗ ଆଣିଥିଲା ‘କୃଷି ଓଡ଼ିଶା-୨୦୨୦’।
‘ଲାଭଜନକ କୃଷି ପାଇଁ ପ୍ରୟାସ’ ଥିମ୍କୁ ନେଇ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହୋଇଥିବା ‘କୃଷି ଓଡ଼ିଶା-୨୦୨୦’ ସବୁ ଦୃଷ୍ଟିକୋଣରୁ ଏକ ସଫଳ ମହୋତ୍ସବ ପାଲଟିଛି। ଫିକି ସହଯୋଗିତାରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ଏହି କୃଷି ମହୋତ୍ସବ ଚାଷୀମାନଙ୍କ ପାଇଁ ପ୍ରୟୋଗଶାଳାର କ୍ଷେତ୍ର ପାଲଟିଥିବା କହିଲେ କିଛି ଭୁଲ୍ ହେବନି।
ପାଞ୍ଚ ଦିନିଆ କୃଷି ମହୋତ୍ସବରେ ପ୍ରତିଦିନ ଆୟୋଜିତ ହୋଇଥିଲା କର୍ମଶାଳା ଓ ପାଠଶାଳା। କର୍ମଶାଳାରେ ଚାଷୀମାନେ ନୂଆ କୃଷି ଯନ୍ତ୍ରାଂଶ, ବୈଷୟିକ ଜ୍ଞାନ କୌଶଳ ଏବଂ ବୈଜ୍ଞାନିକ ପଦ୍ଧତିକୁ ଆପଣାଇ କିପରି ଲାଭଜନକ ଚାଷ କରିପାରିବେ ସେ ସମ୍ପର୍କରେ ତାଲିମ୍ ନେଇଥିଲେ। କୃଷି ବିଶେଷଜ୍ଞ, କୃଷି ବୈଜ୍ଞାନିକ ଏବଂ କୃଷି ଶିଳ୍ପୋଦ୍ୟୋଗୀ ଏହି କର୍ମଶାଳାରେ ଯୋଗ ଦେଇ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ।
ସେହିପରି ପାଠଶାଳାରେ ଚାଷୀମାନେ ଲାଭଜନକ ଚାଷ, ବଜାର ଚାହିଦା ଏବଂ କେଉଁ ଚାଷ କଲେ ଭଲ ଆୟ ହେବ ସେ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ଚାଷୀମାନେ ମଧ୍ୟ ପାଠଶାଳାରେ ବିଭିନ୍ନ ଚାଷ ସମ୍ପର୍କରେ କୃଷି ବିଶେଷଜ୍ଞମାନଙ୍କୁ ପଚାରି ବୁଝିଥିଲେ।
‘‘ଚଳିତ ‘କୃଷି ଓଡ଼ିଶା’କୁ ଆକର୍ଷଣୀୟ କରିବା ପାଇଁ ନୂଆ ପଦକ୍ଷେପ ନିଆଯାଇଛି। ଯେଉଁ ଚାଷୀ ଭାଇ ଭଉଣୀମାନେ କୃଷି ମହୋତ୍ସବକୁ ଆସି ଲାଭଜନକ ଚାଷ ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି ସେମାନେ ଏହାକୁ କୃଷି କ୍ଷେତ୍ରରେ ଲାଗୁ କରନ୍ତୁ। ଏହାସହ ନିଜ ଅଞ୍ଚଳର ଅନ୍ୟ ଚାଷୀମାନଙ୍କୁ ଅବଗତ କରନ୍ତୁ। ବିଶେଷକରି ଶିକ୍ଷିତ ଯୁବକମାନଙ୍କୁ ଚାଷ ପ୍ରତି ଉତ୍ସାହିତ କରନ୍ତୁ। ଚାଷ ପାଇଁ ରାଜ୍ୟ ସରକାର ଯେଉଁ ସବୁ ସହୟତା ଦେଉଛନ୍ତି ସେ ସମ୍ପର୍କରେ ଯୁବ ଚାଷୀମାନେ ଜାଣିବା ଉଚିତ। ଚଳିତ କୃଷି ଓଡ଼ିଶାରେ କୃଷି ବିଶେଷଜ୍ଞ ଏବଂ ବୈଜ୍ଞାନିକମାନେ ଯେଉଁ ପରାମର୍ଶ ଦେଇଛନ୍ତି ତାହାକୁ ସମସ୍ତେ ବ୍ୟବହାର କଲେ କୃଷି କ୍ଷେତ୍ରରେ ଓଡ଼ିଶା ଆଗକୁ ଯାଇ ପାରିବ’’, କହିଛନ୍ତି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।
ଏଥର ‘କୃଷି ଓଡ଼ିଶା’ କର୍ମଶାଳାରେ ‘ପରିବେଶ ଉପଯୋଗୀ ଚାଷ ଓ ଜଳ ସମ୍ପଦର ସୁପରିଚାଳନା’, ‘ଚାଷ ପାଇଁ ଦୀର୍ଘମିଆଦ ଉପାୟ’, ‘କୃଷି ଉତ୍ପାଦର ବଜାର ସଂଯୋଗ’, ଯୁବ କୃଷି ଶିଳ୍ପୋଦ୍ୟୋଗୀଙ୍କ ପକ୍ଷରୁ ବ୍ୟବହୃତ ଜ୍ଞାନକୌଶଳର ପ୍ରଚାରପ୍ରସାର, ‘ଫାର୍ମ ପରିଚାଳନା ଏବଂ ସଫଳ ଚାଷ’, ‘ଚାଷକ୍ଷେତ୍ରରେ ବିପଦକୁ ଏଡାଇବା ପାଇଁ ବୀମାର ଆବଶ୍ୟକତା’ ଶୀର୍ଷକ ଉପରେ ଆଲୋଚନା କରାଯାଇଥିଲା।
‘‘ସାରା ପୃଥିବୀ ଏବେ ଜଳସଂକଟ ଆଡ଼କୁ ଗତି କରୁଛି। ତେବେ ଓଡ଼ିଶାରେ ଜଳ ସଙ୍କଟ ବର୍ତ୍ତମାନ ପର୍ଯ୍ୟନ୍ତ ଦେଖା ଦେଇ ନଥିଲେ ମଧ୍ୟ କୃଷକମାନେ ଏବେଠାରୁ ଜଳର ସୁପରିଚାଳନା ଶିଖିବା ଉଚିତ’’, ପରିବେଶ ଉପଯୋଗୀ ଚାଷ ଓ ଜଳ ସମ୍ପଦର ସୁପରିଚାଳନା କର୍ମଶାଳାରେ ମତ ରଖିଥିଲେ ଜେନ୍ ଇରିଗେସନ୍ ମାର୍କେଟିଂ ଉପସଭାପତି ସଂଗୀତା ଲାଧା।
ପାଣିପାଗରେ କିଛି ବର୍ଷ ହେଲା ଅନିୟମିତତା ଦେଖାଦେଉଥିବାରୁ ଚାଷୀମାନେ କେବଳ ପାରମ୍ପରିକ ଶୈଳୀରେ ଚାଷ କଲେ ଚଳିବନି ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ। ତେଣୁ ଚାଷକୁ ଲାଭଜନକ କରିବାକୁ ହେଲେ ପାଣିପାଗ ପୂର୍ବାନୁମାନ ସଂପର୍କରେ ଚାଷୀମାନେ ସଚେତନ ହେବା ଉଚିତ ବୋଲି କର୍ମଶାଳାରେ ମତ ରଖିଥିଲେ ବିଶେଷଜ୍ଞ ତଥା ଆରଏମ୍ଏସଆଇ ପ୍ରାଇଭେଟ୍ ଲିମିଟେଡର ବରିଷ୍ଠ ଉପସଭାପତି ପୁଷ୍ପେନ୍ଦ୍ର ଜୋହରି।
ଏପଟେ ପାଠଶାଳାରେ ମଧ୍ୟ ଚାଷୀ ଚାଷ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ଏଥିରେ କୃଷି ବିଶ୍ୱବିଦ୍ୟାଳୟର ପ୍ରଫେସର, କୃଷି ବିଜ୍ଞାନୀମାନେ ପାଠଶାଳାରେ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଚାଷ କ୍ଷେତ୍ରରେ ଚାଷୀମାନେ କେଉଁସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ବିଷୟରେ ପଚାରି ବୁଝିଥିଲେ। ଚାଷୀମାନେ ମଧ୍ୟ ଅତି ନିକଟରୁ ଅଭିଜ୍ଞ ପରାମର୍ଶଦାତାଙ୍କୁ ପାଇ ମନଖୋଲି ଚାଷର ଲାଭ-କ୍ଷତି, ନୂଆ ନୂଆ ଚାଷ ପ୍ରଣାଳି ସଂପର୍କରେ ବୁଝିଥିଲେ।
ଏଥର ପାଠଶାଳାରେ କୃଷି କ୍ଷେତ୍ରର ପରିଚାଳନା, ମାଇକ୍ରୋ ଜଳସେଚନ, କୃଷିରେ ଦେଖାଦେଉଥିବା ଅନିଶ୍ଚିତତା, କୃଷି ଉତ୍ପାଦର ବଜାର ସଂଯୋଗ ଓ ଲାଭଜନକ ଚାଷ ଉପରେ ଗୁରୁତ୍ୱ ଦିଆଯାଇଥିଲା।
‘‘କେବଳ ପାରମ୍ପରିକ ଚାଷ କଲେ ଚଳିବନାହିଁ। ସମୟ ଉପଯୋଗୀ ଏବଂ କମ୍ ଖର୍ଚ୍ଚରେ କିଭଳି ଅଧିକ ଲାଭ ମିଳିବ ସେହିଭଳି ଚାଷ କରିବା ଦରକାର’’, ଓୟୁଏଟିର ପ୍ରଫେସର ଡକ୍ଟର ଅଶ୍ୱିନୀ ଗୋଏଲ୍ କହିଥିଲେ।
‘‘ଚାରି ଦିନରେ କୃଷି ଓ କୃଷକର ସବୁ ଦିଗକୁ ଛୁଇଁଲା ଭଳି ବିଷୟ ଉପରେ କର୍ମଶାଳା ରଖିଥିଲୁ। ଏଥି ସହିତ ପାଠଶାଳାରେ ସିଧାସଳଖ କୃଷକ ଯେପରି ନିଜର ମନକଥା କହି ପାରିବ ଓ ସମସ୍ୟା ସଂପର୍କରେ ସମାଧାନର ବାଟ ପାଇବ ସେଥିପାଇଁ ମଧ୍ୟ ଯୋଜନା କରିଥିଲୁ। କର୍ମଶାଳା ଓ ପାଠଶାଳାରେ ସମସ୍ତଙ୍କ ଯୋଗଦାନକୁ ଦେଖି ଲାଗୁଛି ଆମ ରାଜ୍ୟର କୃଷି ଓ କୃଷକ ନିଶ୍ଚିତ ଭାବେ ଲାଭ ପାଇବେ’’, କହିଛନ୍ତି ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡକ୍ଟର ଏନ୍ ମୁଥୁକୁମାର।
ଚଳିତ କୃଷି ମହୋତ୍ସବରେ ବହୁ ନାମୀଦାମୀ କମ୍ପାନିର ଷ୍ଟଲରେ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶିତ ହୋଇଥିଲା। ଏହାକୁ ଚାଷୀମାନେ ବୁଲି ଦେଖିବା ସହ ଏହାର ବ୍ୟବହାର ସମ୍ପର୍କରେ ପଚାରି ବୁଝିଥିଲେ।
‘‘କୃଷି କ୍ଷେତ୍ର ସହ ପଶୁ ସମ୍ପଦ ଏବଂ ମତ୍ସ୍ୟ ଚାଷ କ୍ଷେତ୍ରରେ ରାଜ୍ୟ ସରକାର ପ୍ରୋତ୍ସାହନ ଦେଉଛନ୍ତି। ଚାଷୀମାନେ ଏହାର ଫାଇଦା ଉଠାଇବା ଦରକାର। ଏହାସହ ଏସବୁ କ୍ଷେତ୍ରରେ ପୁଞ୍ଜି ନିବେଶ କରିବାର ବ୍ୟାପକ ସୁଯୋଗ ରହିଛି’’, କହିଥିଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର କମିସନର ତଥା ସଚିବ ଆର୍ ରଘୁପ୍ରସାଦ।
ଚାଷୀ ଏବଂ କୃଷି ବିଶେଷଜ୍ଞଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରିବାର ସୁଯୋଗ ଆଣିଥିଲା କୃଷି ଓଡ଼ିଶା-୨୦୨୦। ଏହି କୃଷି ମହୋତ୍ସବ ଜ୍ଞାନର ଆଦାନ ପ୍ରଦାନର ଏକ କ୍ଷେତ୍ର ପାଲଟିଥିଲା। ଚାଷୀମାନେ ଏହି ମହୋତ୍ସବରେ ସାମିଲ ହୋଇ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବାର ସୁଯୋଗ ଆଣିଥିଲା।