ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମିବାଡ଼ି କାଗଜ ପତ୍ର ପାଇଁ ଆଉ ଲୋକମାନଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ିବନାହିଁ। ଏପ୍ରିଲ ପହିଲାରୁ ମାତ୍ର ୧ ଘଣ୍ଟାରେ ମିଳିବ ଜମିବାଡ଼ି କାଗଜପତ୍ର। ସବ୍‌ରେଜିଷ୍ଟ୍ରାର ଅଫିସ୍‌ରେ ପଞ୍ଜିକରଣ ପରେ ସେହିଦିନ ଅପରାହ୍‌ଣରେ ମିଳିବ ସବୁ ତଥ୍ୟ।

“ଓଡ଼ିଶା ରାଇଟ ଟୁ ପବ୍ଲିକ ସର୍ଭିସରେ ଯେଉଁସବୁ ମାମଲା ରହିଛି ତାକୁ ଫେବ୍ରୁଆରି ୫ ସୁଦ୍ଧା ସମାଧାନ କରାଯିବ। ଏହାପରେ ୧୦ ଫେବ୍ରୁଆରିରେ ରାଜସ୍ଵ ବିଭାଗ ମୋ ସରକାର ଅଧିନକୁ ଆସିବ। ସବ୍‌ରେଜିଷ୍ଟ୍ରାର ଅଫିସ୍‌ରେ ପଞ୍ଜୀକରଣ ପରେ ଆଉ ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ିବନାହିଁ। ମାତ୍ର ଘଣ୍ଟାକରେ ଲୋକମାନଙ୍କୁ ତଥ୍ୟ ଦିଆଯିବ”, କହିଛନ୍ତି ରାଜସ୍ଵ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।

ଏହାସହ ଯେଉଁ ତହସିଲଦାରଙ୍କ କାମ ବାକି ରହିଛି ସେମାନେ ତାହାକୁ ତୁରନ୍ତ ଶେଷ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନଙ୍କର ବାକି କାମ ଶେଷ ହୋଇପାରିନାହିଁ ସେମାନଙ୍କର ଛୁଟି ବାତିଲ କରାଯିବ। ଛୁଟି ଭିତରେ ସେମାନେ କାମ ଶେଷ କରିବେ ବୋଲି କହିଛନ୍ତି ପ୍ରଦୀପ୍ତ ମହାପାତ୍ର।

Comment