ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିମାନ ବନ୍ଦର ‘ଲିଙ୍କ୍‌ ବିଲ୍ଡିଂ’ ଭୁଶୁଡ଼ିବାକୁ ନେଇ ତାତିଲା ରାଜନୀତି ପାଣିପାଗ।

ବମିଖାଲ ଓଭରବ୍ରିଜ ଟ୍ରାଜେଡି ଲୋକଙ୍କ ମନରୁ ନଯାଉଣୁ ଆଉ ଏକ ଭୟଙ୍କର ଦୁର୍ଘଟଣା ଘଟିଛି ଭୁବନେଶ୍ୱରରେ। ଶୁକ୍ରବାର ବିଳମ୍ବିତ ରାତିରେ ଭୁବେନଶ୍ୱର ବିମାନ ବନ୍ଦରରେ ନିର୍ମାଣାଧିନ ଲିଙ୍କ୍ ବିଲ୍ଡିଂ ଭୁଶୁଡ଼ିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।

କେବଳ ଛାତ ଭୁଶୁଡ଼ିନି, ଏଥିରେ ଜଣେ ଶ୍ରମିକଙ୍କ ଜୀବନ ଯାଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ତେବେ ଏହି ଦୁର୍ଘଟଣା ପାଇଁ ଦାୟୀ କିଏ ଏବଂ କାହିଁକି ଏମିତି ଘଟିଲା ତାକୁ ନେଇ କାଦୁଆ ଫିଙ୍ଗା ଚାଲିଛି।

ବିଜେଡି ଉପରେ ବିଜେପି ଏବଂ ବିଜେପି ଉପରେ ବିଜେଡି ଦୋଷ ଲଦିଥିବା ବେଳେ କଂଗ୍ରେସ ଉଭୟ ଦଳକୁ ଟାର୍ଗେଟ କରିଛି। ଏପଟେ ବିମାନ ବନ୍ଦର କର୍ତ୍ତୃପକ୍ଷ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ କମିସନରେଟ୍‌ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ଠିକା ସଂସ୍ଥାର ମାଲିକ ଦିଲ୍ଲୀପ ଖଟେଇ ଏବଂ ଇଞ୍ଜିନିୟରଙ୍କୁ ଡାକି ପଚରା ଉଚରା କରିବା ପରେ ଗିରଫ କରିଛି।

‘‘କମିସନରେଟ୍‌ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। କାହିଁକି କୋଠା ଭୁଶୁଡ଼ିଲା ତାର ଯାଞ୍ଚ ବୈଷୟିକ ଟିମ୍‌ କରିବ। ଆମେ ଠିକା ସଂସ୍ଥାର ମାଲିକ ଏବଂ ଇଞ୍ଜିନିୟରଙ୍କୁ ଡାକି ଏୟାରପୋର୍ଟ ଥାନାରେ ପଚରା ଉଚରା କରିଛୁ। ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’’, କହିଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ।

ଶୁକ୍ରବାର ରାତି ସାଢ଼େ ୧୧ଟା। ଭୁବନେଶ୍ୱର ବିମାନ ବନ୍ଦରର ଟିର୍ମନାଲ ୧ରୁ ୨କୁ ସଂଯୋଗ କରିବା ପାଇଁ ଲିଙ୍କ୍ ବିଲ୍ଡିଂ ନିର୍ମାଣ ଚାଲିଥିଲା। ଶୁକ୍ରବାର ହିଁ ଏହାର ଛାତ ପଡ଼ିଥିଲା। ତେବେ ରାତି ସାଢ଼େ ୧୧ଟାରେ ବି ନିର୍ମାଣ କାମ ଶେଷ ହୋଇ ନଥିଲା। କିଛି ଶ୍ରମିକ କାମ କରୁଥିବା ବେଳେ ହଠାତ୍‌ ଛାତ ଭୁଶୁଡ଼ିଥିଲା।

ଛାତ ଭିତରେ କିଛି ଶ୍ରମିକ ଫସି ରହିଥିବା ଖବର ଆସିଲା। ଏୟାରପୋର୍ଟ ଥାନା ପୋଲିସ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଢେଙ୍କାନାଳର ନବ କିଶୋର ସ୍ୱାଇଁଙ୍କୁ ଗୁରୁତର ଭାବେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ଆଉ ଜଣେ ଶ୍ରମିକ ଫସିଥିବା ଜଣାପଡ଼ିବା ପରେ ଉଦ୍ଧାରକାରୀ ଟିମ୍‌ ଉଦ୍ୟମ ଜାରି ରଖିଥିଲେ। ପ୍ରାୟ ଦୁଇ ଘଣ୍ଟାର ଅପରେସନ ପରେ ଫସିଥିବା ଶ୍ରମିକ ଉଦ୍ଧାର ହୋଇଥିଲେ। ହେଲେ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ନାଁ ଅନ୍ତର୍ଯ୍ୟାମୀ ଗୁରୁ, ତାଙ୍କ ଘର କଟକ ଜିଲ୍ଲା ନରସିଂହପୁରରେ।

ଏହାକୁ ନେଇ ଖୋଳତାଡ଼ ଚାଲିଛି। ସବୁ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ହେଲେ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏମିତି ଅଘଟଣ କାହିଁକି ଘଟିଲା ତାକୁ ନେଇ ପ୍ରଶ୍ନବାଚୀ ଉଠିଛି। ନିମ୍ନମାନର କାମ ନା ଆଉ କିଛି ତାହା ତଦନ୍ତ ପରେ ସ୍ପଷ୍ଟ ଜଣାପଡ଼ିବ। ଏହି ଦୁର୍ଘଟଣା ପରେ ଦିଲ୍ଲୀପ କନଷ୍ଟ୍ରକ୍ସନ୍‌ର ପରିଚାଳନା ନିର୍ଦ୍ଦେଶକ ଦିଲ୍ଲୀପ ଖଟେଇ ବେପରୁଆ ଭାବେ ମନ୍ତବ୍ୟ ଦେଇଥିଲେ। ସେ ସିଧା ସିଧା ସବୁ ଦୋଷ ଶ୍ରମିକଙ୍କ ଉପରେ ଲଦି ଦେଇଥିଲେ। ଦିଲ୍ଲୀପଙ୍କ ଏହି ବେପରୁଆ ମନ୍ତବ୍ୟ ସନ୍ଦେହ ବଢ଼ାଇଛି।

୨୦୧୯ ଫେବ୍ରୁଆରି ମାସରେ ଲିଙ୍କ୍‌ ବିଲ୍ଡିଂ ନିର୍ମାଣ ପାଇଁ ଶୁଭ ଦିଆଯାଇଥିଲା। ଶୁଭ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ବିଲ୍ଡିଂ ନିର୍ମାଣ ପାଇଁ ୮୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ଅକ୍ଟୋବର ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ନିର୍ମାଣ ଶେଷ ହେବା ପୂର୍ବରୁ ଛାତ ଭୁଶୁଡ଼ି ପଡ଼ିଛି।

ଏଠାରେ ପ୍ରଶ୍ନ ଉଠୁଛି ଦିଲ୍ଲୀପ କନଷ୍ଟ୍ରକସନ୍‌କୁ ଟେଣ୍ଡର ଦେଇଥିଲା କିଏ? ଟେଣ୍ଡର ଦେବା ପୂର୍ବରୁ ତାର କାଗଜପତ୍ର ଯାଞ୍ଚ ହୋଇଥିଲା କି ନାହିଁ? ଅନ୍ତର୍ଜାତୀୟ ବିମାନ ବନ୍ଦରରେ କାମ କରିବା ପାଇଁ ଏହି କମ୍ପାନି ପାଖରେ ଦକ୍ଷତା ଥିଲା କି ନାହିଁ? ଏସବୁ ପ୍ରଶ୍ନକୁ ନେଇ ଏବେ ରାଜନୀତି ସରଗରମ ହୋଇଛି।

‘‘ଏହା ଏକ ଦୁଃଖଦ ଘଟଣା। ଏଭଳି ଘଟଣାରେ ବିଜେପି ଭଳି ଆମେ ରାଜନୀତି କରୁନା। ଆମେ ଚାହୁଁଛୁ ଘଟଣାର ତଦନ୍ତ ହେଉ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ’’, କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ‘‘ବିମାନ ବନ୍ଦର ଲିଙ୍କ୍‌ ବିଲ୍ଡିଂ କାମ ଯିଏ ନେଇଥିଲେ ତାଙ୍କ କେଉଁ କେଉଁ ବିଜେଡି ନେତାଙ୍କ ସହ ସମ୍ପର୍କ ଅଛି ତାହା ସ୍ପଷ୍ଟ ହେବା ଦରକାର।’’

‘‘ବିଜେପି-ବିଜେଡି ଏଭଳି ଦୁଃଖଦ ଘଟଣାରେ ରାଜନୀତି କରିବା ଠିକ୍‌ ନୁହେଁ। ତାଙ୍କ କଳି କେବଳ ଲୋକ ଦେଖାଣିଆ। କିନ୍ତୁ ଦିଲ୍ଲୀରେ ଉଭୟ ଦଳର ଭଲ ସମ୍ପର୍କ’’, କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

Comment