ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

  • ଲିଙ୍ଗରାଜ ମହାପ୍ରଭୁଙ୍କ ନାଁରେ ରେକର୍ଡ ହେବ ଅଧିଗୃହିତ ଜମି
  • ଜମି ଦାନ କରିଥିବା ଲୋକଙ୍କ ନାଁରେ ଫଳକ ଲାଗିବ
  • ଜମି ବଦଳରେ ଦିଆଯିବ ଜମି
  • ବିସ୍ଥାପିତଙ୍କୁ ମିଳିବ ଘରଭଡ଼ା ସହାୟତା
  • ପରିବହନ ଖର୍ଚ୍ଚ ବାବଦରେ ମିଳିବ ସହାୟତା

ଏକାମ୍ର ଯୋଜନାରେ ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଯୋଜନା ପାଇଁ ସ୍ଥାନାନ୍ତର ହେବାକୁ ଥିବା ବାସଗୃହ, ମଠ ଓ ଦୋକାନ ଘର ପାଇଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି।

ଅଧିଗୃହିତ ହେବାକୁ ଥିବା ସମସ୍ତ ଜମି ଲିଙ୍ଗରାଜ ମହାପ୍ରଭୁଙ୍କ ନାଁରେ ରେକର୍ଡ କରାଯିବ। ଜମି ଦାନ କରିଥିବା ଲୋକଙ୍କ ନାମ ପ୍ରକଳ୍ପ ଅଞ୍ଚଳରେ ଫଳକରେ ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଲିଙ୍ଗରାଜ ମନ୍ଦିରର ପାରିପାର୍ଶ୍ୱିକ ଅଞ୍ଚଳର ଉନ୍ନତି, ସୌନ୍ଦର୍ଯ୍ୟକରଣ ନିମନ୍ତେ ଏକାମ୍ର ଯୋଜନା କାର୍ଯ୍ୟକାରୀ କରାଯାଉଛି। ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁ ସାଗର ଅଞ୍ଚଳର ୬୫ ଏକର ପରିମିତ ଅଞ୍ଚଳରେ ଏହି ସୁବିଧା ପ୍ରଦାନ କରାଯିବ।

ଜମି ବଦଳରେ ମିଳିବ ଜମି

ସ୍ଥିତିବାନ ସତ୍ତ୍ୱରେ ନିର୍ମିତ ବାସଗୃହଗୁଡ଼ିକୁ ରାଜ୍ୟ ସରକାରଙ୍କ ଅନୁମୋଦିତ ବ୍ୟବସ୍ଥା ଅନୁଯାୟୀ ସିଧାସଳଖ କିଣାଯାଇ ଅଧିଗ୍ରହଣ କରାଯିବ। ୨୦୧୩ର ଜମିଅଧିଗ୍ରହଣ ଏବଂ ଥଇଥାନ ପ୍ୟାକେଜ ଅନୁଯାୟୀ କ୍ଷତିପୂରଣ ଦିଆଯିବ।

ଅଧିଗୃହିତ ହେବାକୁ ଥିବା ଜମିର ବଜାର ଦର ଯେତିକି ଅଛି ତାଠୁ ଅଧିକ ମୂଲ୍ୟ ଦିଆଯିବ। ଏହାଛଡ଼ା ଯେଉଁ ବ୍ୟକ୍ତି ଜମି ବଦଳରେ ଜମି ନେବାକୁ ଚାହିଁବେ ସେମାନଙ୍କ ଅନ୍ୟତ୍ର ଜମି ଯୋଗାଇ ଦେବେ ସରକାର। ଅନ୍ୟତ୍ର ଦିଆଯିବାକୁ ଥିବା ବିକଳ୍ପ ଜମିର ମୂଲ୍ୟ ଅଧିଗୃହୀତ ଜମିର ମୂଲ୍ୟଠାରୁ କମ୍‌ ହୁଏ ତାହାଲେ ତାଙ୍କୁ ଆର୍ଥିକ ସହାୟତା ଦିଆଯିବ।

ବିସ୍ଥାପିତଙ୍କୁ ତୁରନ୍ତ ସହାୟତା

ବିସ୍ଥାପିତ ହେବାକୁ ଥିବା ପରିବାରଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସରକାର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି। ପ୍ରତି ପରିବାରକୁ ୧ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ।

ବିସ୍ଥାପିତଙ୍କୁ ଘରଭଡ଼ା ସହାୟତା ଯୋଗାଇ ଦେବାକୁ ସରକାର ଘୋଷଣା କରିଛନ୍ତି। ଜମି ଅଧିଗ୍ରହଣ ହେବା ଦିନରୁ ବର୍ଷକ ପର୍ଯ୍ୟନ୍ତ ପ୍ରତି ପରିବାରକୁ ଘରଭଡ଼ା ବାବଦରେ ୧୫ ହଜାର ଟଙ୍କା ଲେଖାଏଁ ଦିଆଯିବ।

ଏହାସହ ବାସଗୃହ ହରାଉଥିବା ପ୍ରତି ଘର ମାଲିକଙ୍କୁ ଏକକାଳୀନ ୨୦ ଲକ୍ଷ ଟଙ୍କା ଥଇଥାନ ଭତ୍ତା ବାବଦରେ ଯୋଗାଇ ଦିଆଯିବ।

ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ପ୍ୟାକେଜ

ସ୍ଥିତିବାନ ସତ୍ତ୍ୱରେ ନିର୍ମିତ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ରାଜ୍ୟ ସରକାରଙ୍କ ଅନୁମୋଦିତ ବ୍ୟବସ୍ଥା ଅନୁଯାୟୀ ସିଧାସଳଖ କିଣାଯାଇ ଅଧିଗ୍ରହଣ କରାଯିବ। ବାଣିଜ୍ୟିକ ପ୍ରତିଷ୍ଠାନ କରିଥିବା ବ୍ୟକ୍ତିଙ୍କୁ ସହାୟତା ରାଶି ଦେବାକୁ ସରକାର ଘୋଷଣା କରିଛନ୍ତି।

ସ୍ଥାନାନ୍ତର ହେବାକୁ ଥିବା ଦୋକାନ ମାଲିକଙ୍କୁ ପରିବହନ ଖର୍ଚ୍ଚ ବାବଦରେ ୧ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରାଯାଇଛି।

ବିସ୍ଥାପିତ ଦୋକାନୀଙ୍କୁ ମଧ୍ୟ ଘର ଭଡ଼ା ବାଦରେ ସହାୟତା ଦିଆଯିବ। ୨୦୦ ବର୍ଗ ମିଟର କିମ୍ବା ତାଠୁ କମ୍‌ ଜାଗାରେ ନିର୍ମିତ ଦୋକାନ ପାଇଁ ଜମି ଅଧିଗ୍ରହଣ ହେବା ଦିନରୁ ଦୋକାନ ଘର ମିଳିବା ପର୍ଯ୍ୟନ୍ତ ମାସିକ ୧୫ ହଜାର ଟଙ୍କା ଦିଆଯିବ। ସେହିପରି ୨୦୦ ବର୍ଗମିଟର ଏବଂ ତାଠୁ ଅଧିକ ଜାଗାରେ ନିର୍ମିତ ଦୋକାନ ଘର ପାଇଁ ମାସିକ ୨୦ ହଜାର ଟଙ୍କା ଘରଭଡ଼ା ସହାୟତା ମିଳିବ।

ଦୋକାନୀଙ୍କୁ ଥଇଥାନ

ଏକାମ୍ର ଯୋଜନାରେ ଦୋକାନ ହରାଉଥିବା ଦୋକାନୀଙ୍କୁ ସରକାର ଦୋକାନ ଘର ଯୋଗାଇ ଦେବେ। ନୂଆ ମାର୍କେଟ କମ୍ପ୍ଲେକ୍ସରେ ଏହି ଘର ଯୋଗାଇ ଦିଆଯିବ। ବଜାର ଦରଠାରୁ ୫୦ ପ୍ରତିଶତ ମୂଲ୍ୟରେ ଦୋକାନ ଘର ଯୋଗାଇ ଦିଆଯିବ। ଦୋକାନ ମାଲିକମାନେ ଚାହିଁଲେ ଏକକାଳୀନ ୨୦ ଲକ୍ଷ ଟଙ୍କା ସହାୟତା ଭାବେ ନେଇ ପାରିବେ।

ଉଠା ଦୋକାନୀଙ୍କ ପାଇଁ ସହାୟତା

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ବ୍ୟବସାୟ କରୁଥିବା ଉଠା ଦୋକାନୀମାନଙ୍କୁ ୩୦ ହଜାର ଟଙ୍କାର ସହାୟତା ରାଶି ଦୁଇଟି କିସ୍ତିରେ ଯୋଗାଇ ଦିଆଯିବ। ଭେଣ୍ଡିଂ ଜୋନ କରାଯାଇ ଉଠା ଦୋକାନୀମାନଙ୍କୁ ଥଇଥାନ କରାଯିବ।

ମଠକୁ ଜମି ଆବଣ୍ଟନ ଏବଂ ସଂରକ୍ଷଣ ବ୍ୟବସ୍ଥା ବିଏମ୍‌ସି କମିସନର କରିବେ।

Comment