ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରୋନା ଭାଇରସ ପାଇଁ ରାଜ୍ୟ ସରକାର ଚିନ୍ତାରେ ଥିବା ବେଳେ ଏବେ ରାଜଧାନୀରେ ଭୁବନେଶ୍ଵରରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି। ଓୟୁଏଟି କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି। ଓୟୁଏଟିଠାରୁ ୧ କିଲୋମିଟର ପରିଧି ଭିତରେ କୁକୁଡ଼ା ଓ ପକ୍ଷୀ ମରା ଅଭିଯାନ ଆରମ୍ଭ ହୋଇଛି।

କୁକୁଡ଼ା ମାରିବା ପାଇଁ ୧୨ଟି ଟିମ୍‌ ଗଠନ କରାଯାଇଛି। ବାର୍ଡ ଫ୍ଲୁ ପାଇଁ କେନ୍ଦ୍ର ସରକାରଙ୍କର ଯାହା ଗାଇଡଲାଇନ୍‌ ରହିଛି ସେହି ଅନୁସାରେ କୁକୁଡ଼ା ମରାଯାଉଛି। ସଂକ୍ରମିତ ଅଞ୍ଚଳରେ ଥିବା କୁକୁଡ଼ାକୁ ମାରି ଗଭୀର ଗାତରେ ପୋତି ଦେଇ ଚୂନ, ବ୍ଲିଚିଂ ପାଉଡର ପକାଇବାକୁ କୁହାଯାଇଛି। କୁକୁଡ଼ାକୁ ମାରିବା ପାଇଁ ୭ଟି ଟିମ୍‌ ଓ ନିରୀକ୍ଷଣ କରିବା ପାଇଁ ୫ଟି ଟିମ୍‌ ଗଠନ ହୋଇଛି।

ଗତ ଦୁଇଦିନ ହେଲା ଓୟୁଏଟିରେ ଥିବା ଫାର୍ମରେ କୁକୁଡ଼ାଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା। ଫଳରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ବାର୍ଡ ଫ୍ଲୁ ଆଶଙ୍କା କରି କୁକୁଡ଼ାଙ୍କ ରକ୍ତ ନମୁନା ଭୋପାଳସ୍ଥିତ ଟେଷ୍ଟିଂ ଲ୍ୟାବ୍‌କୁ ପଠାଇଥିଲେ। ଏହାପରେ ଆସିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ଓୟୁଏଟିରେ କୁକୁଡ଼ା ବାର୍ଡ ଫ୍ଲୁ ଦ୍ୱାରା ଆକ୍ରାନ୍ତ।

ଅନ୍ୟପଟେ ବାର୍ଡ ଫ୍ଲୁ ଭୟରେ ନନ୍ଦନକାନନର ପକ୍ଷୀ ବିହାର ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ପକ୍ଷୀ ବିହାର ଖୋଲା ହେବନି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।

Comment