ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ୬ଟି ରାଜ୍ୟକୁ ବାର୍ଡ ଫ୍ଲୁ ବ୍ୟାପିବା ପରେ ଲୋକଙ୍କର ଚିନ୍ତା ବଢ଼ିଛି। ତେବେ ଓଡ଼ିଶାରେ ଏପର୍ଯ୍ୟନ୍ତ ବାର୍ଡ ଫ୍ଲୁ ଆଶଙ୍କା ଦେଖାଯାଇନାହିଁ। ତେଣୁ ଜନସାଧାରଣ ଭୟଭୀତ ନ ହେବାକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ୧୨,୧୫୮ ନମୂନା ପରୀକ୍ଷା ହୋଇସାରିଛି। ତେବେ କୌଣସି ନମୂନାରେ ବାର୍ଡ ଫ୍ଲୁ ଥିବା ଜଣାପଡ଼ିନାହିଁ। ତେଣୁ ଏବେ ଭୟ କରିବାର କୌଣସି କାରଣ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ପ୍ରତିଷେଧକ ଭାବେ କୁକୁଡ଼ା ମାଂସ ଓ ଅଣ୍ଡାକୁ ଭଲ ଭାବେ ସିଝାଇ ଖାଇବାକୁ ପରାମର୍ଶ ଦିଆଯାଇଛି। ନିଜ ଅଞ୍ଚଳରେ ଯଦି ପକ୍ଷୀ ମଡ଼କ ଦେଖାଦିଏ ତେବେ ସେ ବିଷୟରେ ଲୋକମାନେ ୦୬୭୧-୨୪୧୪୩୧୦ ନମ୍ବରକୁ ଫୋନ୍ କରି କିମ୍ବା ୭୨୦୫୫୯୮୧୨୫  ନମ୍ବରରେ ହ୍ୱାଟସଆପ୍ କରି ଜଣାଇପାରିବେ ବୋଲି କୁହାଯାଇଛି।

ଅନ୍ୟପଟେ ସରକାରଙ୍କ ପକ୍ଷରୁ ରାଜ୍ୟରେ ବାର୍ଡ ଫ୍ଲୁ ସ୍ଥିତି ନେଇ ତତ୍ପରତା ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନର ପକ୍ଷୀଙ୍କ ସ୍ୱାବ ଉପରେ ନଜର ରଖାଯାଇଛି। ଗତ ୬ ତାରିଖରେ ରାଜ୍ୟରେ ଜିଲ୍ଲାସ୍ତରୀୟ ରାପିଡ୍ ଆକ୍ସନ ଟିମ୍ ଗଠନ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ନୂଆବର୍ଷ ଆରମ୍ଭରୁ ଦେଶରେ ବାର୍ଡ ଫ୍ଲୁ ସଙ୍କଟ ଦେଖାଦେଇଛି। ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, କେରଳ ଓ ଝାଡ଼ଖଣ୍ଡ ଆଦି ରାଜ୍ୟରେ ଏହି ରୋଗ ବ୍ୟାପିବାରେ ଲାଗିଛି। କେରଳ ସରକାର ୪୦ ହଜାର ପକ୍ଷୀଙ୍କୁ ମାରିବା ପାଇଁ ନିର୍ଦ୍ଦେଶ ଦେବା ସହ ବାର୍ଡ ଫ୍ଲୁକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି।

Comment