ଓଡ଼ିଶାଲାଇଭ୍ ବ୍ୟୁରୋ

ବିଭିନ୍ନ ରାଜ୍ୟରେ ଏବେ ପକ୍ଷୀମାନଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି।

କରୋନା କାଳରେ ଏବେ ଦେଶବାସୀଙ୍କୁ ‘ବାର୍ଡ ଫ୍ଲୁ’ ଭୟ ଘାରିବାରେ ଲାଗିଛି। ଗତ କିଛି ଦିନ ହେଲା ଦେଶର ବିଭିନ୍ନ ଅଞ୍ଚଳରୁ ପକ୍ଷୀମାନଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସୁଥିବାବେଳେ ଏହାର କାରଣ ‘ବାର୍ଡ ଫ୍ଲୁ’ ବୋଲି ଜଣାପଡ଼ିଛି। ଯାହାକୁ ନେଇ ଏବେ ସାଧାରଣ ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି।

ଦେଶର ୭ଟି ରାଜ୍ୟରେ ଏବେ ‘ବାର୍ଡ ଫ୍ଲୁ’ର ଆତଙ୍କ ବଢ଼ିବାରେ ଲାଗିଛି। ଏହା ଭିତରେ ଗୁଜରାଟ ଓ ମହାରାଷ୍ଟ୍ର ଭଳି ଉନ୍ନତ ରାଜ୍ୟ ଥିବାବେଳେ କେରଳ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ମଧ୍ୟ ପକ୍ଷୀମାନଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ଚାରିଆଡ଼େ ଏବେ ଆଲର୍ଟ ଜାରି କରାଯାଇଛି।କାନପୁରରେ ଚିଡ଼ିଆଖାନା ସିଲ୍

ଉତ୍ତରପ୍ରଦେଶର କାନପୁରରେ ଥିବା ଏକ ଚିଡ଼ିଆଖାନାରେ ‘ବାର୍ଡ ଫ୍ଲୁ’ ଭାଇରସ୍ ଦେଖାଯିବା ପରେ ଏହାକୁ ତୁରନ୍ତ ସିଲ୍ କରିଦିଆଯାଇଛି। ଏଠାରେ ଗତ କିଛି ଦିନ ତଳେ କିଛି ପକ୍ଷୀ ପ୍ରାଣ ହରାଇଥିଲେ। ଏହାପରେ ତାଙ୍କର ସାମ୍ପୁଲ ପରୀକ୍ଷଣ ପାଇଁ ପଠାଯାଇଥିଲା। ସେ ଭିତରୁ ଚାରିଜଣଙ୍କର ରିପୋର୍ଟ ‘ବାର୍ଡ ଫ୍ଲୁ’ ଆସିଛି। ଯାହାପରେ ଏହାକୁ ତୁରନ୍ତ ସିଲ୍ କରିଦିଆଯିବା ସହ ଆଖପାଖର ଅଞ୍ଚଳକୁ ରେଡ୍ ଜୋନ୍ ଘୋଷିତ କରାଯାଇଛି।

ଦିଲ୍ଲୀରେ ବାର୍ଡ ଫ୍ଲୁ ଆଲର୍ଟ

ରାଜଧାନୀ ଦିଲ୍ଲୀରେ ଏବେ ସୁଦ୍ଧା ‘ବାର୍ଡ ଫ୍ଲୁ’ ଦେଖିବାକୁ ମିଳିନି। ଏହାସତ୍ତ୍ୱେ ମଧ୍ୟ ସେଠାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଲର୍ଟ ଜାରି କରିଛନ୍ତି। ଦିଲ୍ଲୀର ଏକ ପାର୍କରେ ୧୭ଟି କାଉ ମରିଥିବା ଜଣାପଡ଼ିଛି। ତେବେ ଏହାର କାରଣ ‘ବାର୍ଡ ଫ୍ଲୁ’ ନା ଅନ୍ୟ କିଛି ତାହା ଜଣାପଡ଼ିନି। ଅନ୍ୟପଟେ ‘ବାର୍ଡ ଫ୍ଲୁ’ ଭୟରେ ଦିଲ୍ଲୀ ପ୍ରଶାସନ ଗାଜିପୁରରେ ଥିବା ଫାର୍ମକୁ ୧୦ ଦିନ ପାଇଁ ବନ୍ଦ କରିଦେଇଛି।ହିମାଚଳ ପ୍ରଦେଶରେ ମରାଗଲା ୩୫୦୦ ପକ୍ଷୀ 

ହିମାଚଳ ପ୍ରଦେଶର ପୋଙ୍ଗ ଅଞ୍ଚଳରେ ପ୍ରତିବର୍ଷ ହଜାର ହଜାର ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ। ଚଳିତ ବର୍ଷ କିନ୍ତୁ ଏଠାରେ ‘ବାର୍ଡ ଫ୍ଲୁ’ର ଆତଙ୍କ ଦେଖିବାକୁ ମିଳିଛି। ଯାହାକୁ ଆଖି ଆଗରେ ରଖି ସେଠାରେ ୩୫୦୦ ପକ୍ଷୀଙ୍କୁ ହତ୍ୟା କରାଯାଇଛି। ରାଜ୍ୟରେ କାଉମାନଙ୍କର ମୃତ୍ୟୁ ବଢ଼ିବାକୁ ଲାଗିଥିବାବେଳେ ପ୍ରଶାସନ ଏବେ ଆଲର୍ଟ ଜାରି କରିଛି।

ତେବେ ଓଡ଼ିଶାରେ ଏପର୍ଯ୍ୟନ୍ତ ‘ବାର୍ଡ ଫ୍ଲୁ’ ଦେଖିବାକୁ ମିଳିନି। ଯଦି ରାଜ୍ୟର କେଉଁ ଅଞ୍ଚଳରେ ଏପରି କିଛି ଦେଖିବାକୁ ମିଳେ ତେବେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ଏନେଇ ଲୋକଙ୍କୁ ସଚେତନ କରିବ ବୋଲି କୁହାଯାଇଛି।

Comment