ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଡକ୍ଟର ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ଭୁବନେଶ୍ଵର ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ, ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଏହି ସଭା ଅନୁଷ୍ଠିତ ହୋଇଥିଲା।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ବିଶିଷ୍ଟ ଗାୟିକା ଡକ୍ଟର ଶ୍ୟାମାମଣୀ ଦେବୀ, ଖ୍ୟାତନାମା ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କର, ‘ଲାର୍କ ବୁକ୍‌ସ୍‌’ର ପ୍ରତିଷ୍ଠାତା ମହେନ୍ଦ୍ର ମିଶ୍ର, ଓଡ଼ିଶୀ ନୃତ୍ୟଶିଳ୍ପୀ ଡକ୍ଟର କୁମ୍‌ କୁମ୍‌ ମହାନ୍ତି, ସାହିତ୍ୟିକ ଡକ୍ଟର ଗୌରହରି ଦାସ, କାଦମ୍ବିନୀ ସମ୍ପାଦକ ଡକ୍ଟର ଇତି ସାମନ୍ତ ପ୍ରମୁଖ ଡକ୍ଟର ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ।

ପ୍ରଖ୍ୟାତ କଣ୍ଠଶିଳ୍ପୀ ଶ୍ୟାମାମଣୀ ଦେବୀ ‘ହରି ଭଜନ କୋ ମାନୋ ରେ…’, ଡକ୍ଟର ବିଜୟ ଜେନା ‘ଆଜି ଦେବ ବୋଲି କେଉଁ ଭିକ୍ଷା…’, ଗୁରୁ ରାମହରି ଦାସ ‘ଜୀବନପାତ୍ର ମୋ ଭରିଛ କେତେ ମତେ…’, ମହାପାତ୍ର ମିନତୀ ଭଞ୍ଜ ‘ଜୀବନ ବିନ୍ଦୁ…’ ଆଦି ସଙ୍ଗୀତ ପରିବେଷଣ କରି ଗୁରୁମା ସୁନନ୍ଦାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଅବସରରେ ଦିଲ୍ଲୀପ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ସୁନନ୍ଦା ପଟ୍ଟନାୟକଙ୍କ କୃତି ଓ କୃତିତ୍ୱ ଉପରେ ଆଧାରିତକ ଏକ ପ୍ରାମାଣିକ ଚିତ୍ର ପ୍ରଦର୍ଶିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ବିଜୟ କୁମାର ନାୟକ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ରଙ୍କ ସମେତ ବହୁ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର, ସଙ୍ଗୀତପ୍ରେମୀ, ସଂସ୍କୃତିପ୍ରେମୀ, ଗବେଷକ ଯୋଗ ଦେଇଥିଲେ।

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଡକ୍ଟର ସଙ୍ଗୀତା ଗୋସାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here