ଓଡ଼ିଶାଲାଇଭ୍ ବ୍ୟୁରୋ

  • ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପୁରସ୍କାର ପ୍ରଦାନ ଉତ୍ସବ
  • ଭୁବନେଶ୍ୱର ଉତ୍କଳ ମଣ୍ଡପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ
  • ‘ରହିଛି ରହିବି ତୋରି ପାଇଁ’ କୁ ଶ୍ରେଷ୍ଠ ଟେଲି ଧାରାବାହିକ ପୁରସ୍କାର
  • ହରିଶ ମହାନ୍ତି ପାଇଲେ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର
  • ଜୟନ୍ତ ସାଂପ୍ରାଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର

ଶୀତୁଆ ସନ୍ଧ୍ୟାରେ ରଙ୍ଗାରଙ୍ଗ ପରିବେଶରେ ୭ମ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ୱର ଉତ୍କଳ ମଣ୍ଡପଠାରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ‘ପେନ୍‌ସନ୍‌’ ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ପୁରସ୍କାର ପାଇଛି।

୧୯ ଏବଂ ୨୦ ତାରିଖ ଦୁଇ ଦିନ ଧରି ଉତ୍କଳ ମଣ୍ଡପଠାରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ ହୋଇଥିଲା। ୧୯ରେ ୩୦ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ୨୦ରେ ଟେଲି ପୁରସ୍କାର ପ୍ରଦାନ କରାଯାଇଥିଲା।

ଟେଲି ପୁରସ୍କାର ପ୍ରଦାନ ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହାସହ ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଅଧ୍ୟକ୍ଷ ତଥା ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ଡକ୍ଟର ରାମକୃଷ୍ଣ ସାହୁ, ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ସଂଘମିତ୍ରା ଶତପଥୀ, ଜୁରୀ କମିଟି ଅଧ୍ୟକ୍ଷ ଡକ୍ଟର ଶୈଳେଶ୍ୱର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

‘‘ଟେଲିଭିଜନ ଏବେ ମନୋରଞ୍ଜନର ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଟେଲିଭିଜନ ପ୍ଲାଟଫର୍ମରେ ନିଜ ଟାଲେଣ୍ଟ ଦେଖାଉଛନ୍ତି ଅଭିନେତା ଅଭିନେତ୍ରୀ। ଟେଲିଭିଜନ ହିଁ ବହୁ ପ୍ରତିଭାଙ୍କୁ ଲୋକଙ୍କ ସାମ୍ନାକୁ ଆଣି ପରିଚିତ କରାଇଛି। ଏହି ଟେଲି କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ପୁରସ୍କାର ଦେଉଛନ୍ତି। ବିଭିନ୍ନ ଟେଲିଭିଜନ ଚ୍ୟାନେଲ ଜାତୀୟ ସ୍ତରରେ ପ୍ରଶଂସିତ ହେଲା ଭଳି କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି। ଆଗାମୀ ଦିନରେ ସିନେ ଏବଂ ଟେଲି ଆୱାର୍ଡକୁ ଜାତୀୟ ସ୍ତର ଭଳି କରିବାକୁ ଉଦ୍ୟମ କରିବୁ’’, କହିଛନ୍ତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ।

ଏହି ପୁରସ୍କାର ପ୍ରଦାନ ଉତ୍ସବରେ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଥିଲେ, ‘‘ଟେଲିଭିଜନର ଏକ ସ୍ୱତନ୍ତ୍ର ଆକର୍ଷଣ ରହିଛି। ଏହି ଆକର୍ଷଣ ଆଗାମୀ ଦିନରେ ମଧ୍ୟ ରହିବ। ଟେଲିଭିଜନ ପରଦାରେ ଅଭିନୟ କରି ଅନେକ ଅଭିନେତା ସୁପରଷ୍ଟାର ହୋଇଛନ୍ତି। ଶାହରୁଖ ଖାନ୍‌ ‘ଫୌଜି’ ଧାରାବାହିକରୁ ଅଭିନୟ କ୍ୟାରିଅର ଆରମ୍ଭ କରିଥିବା ବେଳେ ସ୍ମୃତି ଇରାନୀ ଏବଂ ବିଦ୍ୟାବାଲାନ୍‌ ମଧ୍ୟ ଟେଲିଭିଜନରୁ ଆସିଛନ୍ତି। ରାମାୟଣ ଏବଂ ମହାଭାରତ ଭଳି ସିରିଏଲ ଟେଲିଭିଜନ ଜଗତରେ ଚହଳ ସୃଷ୍ଟି କରିଥିଲା। ଏହି ସିରିଏଲ ଆଜି ବି ଲୋକଙ୍କ ମନରେ ରହିଛି।’’

ଟେଲି ପୁରସ୍କାର ଉତ୍ସବ ପାଇଁ ଉତ୍କଳ ମଣ୍ଡପ ରଙ୍ଗିନ ଆଲୋକମାଳାରେ ସଜେଇ ହୋଇଥିଲା। ଥଣ୍ଡା ପଡୁଥିଲେ ମଧ୍ୟ ଏହି ଉତ୍ସବକୁ ଉପଭୋଗ କରିବା ପାଇଁ ଦର୍ଶକମାନଙ୍କର ଭିଡ଼ ଲାଗିଥିଲା। ସିନେମା ଏବଂ ଟେଲି ଫିଲ୍ମ ସହ ଜଡ଼ିତ ବ୍ୟକ୍ତିବିଶେଷମାନେ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ।

‘‘ଆଗଧାଡ଼ିର ଯେତେ ଚଳଚ୍ଚିତ୍ର ଅଭିନେତା ଅଛନ୍ତି ସମସ୍ତେ ଟେଲିଭିଜନ ପରଦାରୁ ହିଁ ଆସିଛନ୍ତି। ଟେଲି ଜଗତ ଓ ଚଳଚ୍ଚିତ୍ର ଜଗତ ଭିନ୍ନ ହୋଇଥିଲେ ମଧ୍ୟ ଟେଲିଭିଜନ ଦର୍ଶକଙ୍କ ମହଲରେ ବେଶୀ ଆଦୃତ ପାଉଛି। ଆଗାମୀ ଦିନରେ ଟେଲି କଳାକାରମାନେ ବହୁତ ଆଗକୁ ଯିବାକୁ ଲକ୍ଷ୍ୟ ରଖିବା ଦରକାର’’, କହିଛନ୍ତି ସ୍ୱତନ୍ତ୍ର ସଚିବ ରାମକୃଷ୍ଣ ସାହୁ।

ଏହି ଅବସରରେ ଶ୍ରେଷ୍ଠ ଟେଲି ଧାରାବାହିକ, ଶ୍ରେଷ୍ଠ ନିର୍ଦ୍ଦେଶକ, ଅଭିନେତା ଓ ଅଭିନେତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

‘ରହିଛି ରହିବି ତୋରି ପାଇଁ’ ଶ୍ରେଷ୍ଠ ଟେଲି ଧାରାବାହିକ ପୁରସ୍କାର ପାଇଥିଲା। ଏହାର ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା ଅତିଥିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିବା ବେଳେ ହରିଶ ମହାନ୍ତିଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମିଳିଥିଲା। ଟେଲି ଚଳଚ୍ଚିତ୍ର ‘ପେନ୍‌ସନ୍‌’ ପାଇଁ ଜୟନ୍ତ ସାଂପ୍ରାଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଲା।

ସେହିପରି ‘ରହିଛି ରହିବି ତୋରି ପାଇଁ’ ର ସୁଫିଳା ସିକନ୍ଦର ଏବଂ ‘କମ୍‌ଲି’ର ସୋନାଲୀ ନାୟକଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଟେଲି ଚଳଚ୍ଚିତ୍ର ‘ପାଇକ ବିଦ୍ରୋହ’ ପାଇଁ ଅନୁଜ ତ୍ୟାଗୀ ଏବଂ ନିଶ୍ଚୟ ରାଉତଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମିଳିଛି।

ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ପୁରସ୍କାର ମହମ୍ମଦ ବବ୍‌ଲୁ ଏବଂ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ପୁରସ୍କାର ପ୍ରିୟଙ୍କା ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ଖଳ ଅଭିନେତା ପୁରସ୍କାର ଗୋପାଳ ଶର୍ମାଙ୍କୁ ମିଳିଥିବା ବେଳେ ଶ୍ରେଷ୍ଠ ଖଳ ଅଭିନେତ୍ରୀ ପୁରସ୍କାର ନିର୍ଝରିଣୀ ମିଶ୍ରଙ୍କୁ ମିଳିଛି। ବିଶାଲ ପଟ୍ଟନାୟକ ‘ପାଇକ ବିଦ୍ରୋହ’ ଧାରାବାହିକ ପାଇଁ ଶ୍ରେଷ୍ଠ କାହାଣୀକାର ପୁରସ୍କାର ପାଇଥିବା ବେଳେ ପ୍ରସନ୍ନ କରଙ୍କୁ ‘ରୂପା ଜହ୍ନ’ ଧାରାବାହିକ ପାଇଁ ଶ୍ରେଷ୍ଠ ସଂଳାପକାର ପୁରସ୍କାର ମିଳିଛି। ଧର୍ମାନନ୍ଦ ବିଶ୍ୱାଳଙ୍କୁ ଶ୍ରେଷ୍ଠ ଚିତ୍ରନାଟ୍ୟ ପୁରସ୍କାର ମିଳିଛି।

Comment