ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କଳାକାରମାନଙ୍କୁ ଆଗୁଆ ୪ ମାସର ଭତ୍ତା
  • ମାର୍ଚ୍ଚ, ଏପ୍ରିଲ, ମେ’, ଜୁନ୍‌ ପାଇଁ ମିଳିଲା ଆଗୁଆ ଭତ୍ତା
  • ରାଜ୍ୟର ୩୪ ହଜାର ୬୫୩ ଜଣ କଳାକାର ଉପକୃତ
  • ଭତ୍ତା ବାବଦରେ ୧୬ କୋଟି ୬୩ ଲକ୍ଷ ୩୪ ହଜାର ଟଙ୍କା ବ୍ୟୟ

କରୋନା ସଙ୍କଟର ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ବୃଦ୍ଧ, ବୃଦ୍ଧା, ଅସହାୟ ମହିଳା ଏବଂ ଦିବ୍ୟାଙ୍ଗମାନଙ୍କୁ ଆଗୁଆ ୩ ମାସର ଭତ୍ତା ଦେବା ପରେ ଏବେ ରାଜ୍ୟ ସରକାର ଓଡ଼ିଶାର କଳାକାରମାନଙ୍କୁ ଆଗୁଆ ଭତ୍ତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଏହି ଭତ୍ତା ଦିଆଯାଇଛି।

ମାର୍ଚ୍ଚ, ଏପ୍ରିଲ, ମେ’, ଜୁନ୍‌ ମାସର ଆଗୁଆ ଭତ୍ତା କଳାକାରମାନଙ୍କୁ ଦିଆଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ଭତ୍ତା ପ୍ରଦାନ କରାଯାଇଛି। କଳାକାରମାନଙ୍କୁ ଆଗୁଆ ୪ ମାସର ଭତ୍ତା ଦେବା ପାଇଁ ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଘୋଷଣା କରିଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆଗୁଆ ୪ ମାସର ଭତ୍ତା ଦେଇଥିବାରୁ ୩୪ ହଜାର ୬୫୩ ଜଣ କଳାକାର ଉପକୃତ ହୋଇଛନ୍ତି। ଏ ବାବଦରେ ୧୬ କୋଟି ୬୩ ଲକ୍ଷ ୩୪ ହଜାର ଟଙ୍କା ଦିଆଯାଇଥିଲା।

ସମସ୍ତ ଜିଲ୍ଲାରେ ଥିବା କଳାକାରମାନଙ୍କୁ ଆଗୁଆ ଭତ୍ତା ବଣ୍ଟନ କରିବା ପାଇଁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସମସ୍ତଙ୍କ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲେ। ପ୍ରତି କଳାକାର ମାସକୁ ୧୨୦୦ ଟଙ୍କା ଲେଖାଏଁ ଭତ୍ତା ପାଉଛନ୍ତି।

ଓଡ଼ିଶାର ଲୋକକଳା ଏବଂ କଳାକାରମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସ୍ତରରେ ରାଜ୍ୟ ସ୍ତରୀୟ ରାଜ୍ୟ କଳା ସଂସ୍କୃତି ସଂଘ, ଜିଲ୍ଲା ସ୍ତରରେ ଜିଲ୍ଲା କଳା ସଂସ୍କୃତି ସଂଘ, ବ୍ଲକ ସ୍ତରରେ ମଧ୍ୟ ସଂଘ ଗଠନ କରାଯାଇଛି। ସେହିପରି ସହରାଞ୍ଚଳମାନଙ୍କରେ ନଗର କଳା ସଂସ୍କୃତି ସଂଘ ଗଠନ କରାଯାଇଛି।

ଓଡ଼ିଶାରେ ମୋଟ ୪୭୧ ପ୍ରକାରର ଲୋକକଳା ରହିଥିବା ବେଳେ ୯୦୦ରୁ ଅଧିକ କଳାକାର ସଂଘ ରହିଛି। ମହିଳା କଳାକାରମାନେ ମଧ୍ୟ ସକ୍ରିୟ ଅଛନ୍ତି।

ଓଡ଼ିଶାର ଲୋକକଳାକୁ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ପ୍ରତି ମାସରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଓଡ଼ିଆ ଲୋକକଳାକାରମାନଙ୍କୁ ନିଜର କଳା ପ୍ରଦର୍ଶନ କରିବାର ସୁଯୋଗ ଦିଆଯାଉଥିଲା। ହଜି ଯାଉଥିବା ଲୋକକଳାକୁ ଉଜ୍ଜୀବୀତ କରି ରଖିବା ପାଇଁ ବିଭାଗ ତରଫରୁ ଏହି ପ୍ରୟାସ ଆରମ୍ଭ କରାଯାଇଥିଲା।

coronaଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସବୁବେଳେ ଓଡ଼ିଶାର ଲୋକକଳା ଏବଂ କଳାକାରମାନଙ୍କୁ ପ୍ରୋତ୍ସାହିତ କରି ଆସିଛି। ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକକଳାକୁ ପ୍ରାଧାନ୍ୟ ଦେବାକୁ ଯାଇ ପ୍ରତ୍ୟେକ ବ୍ଲକ୍‌ରେ ‘ନାଟ୍ୟ ମଣ୍ଡପ’ ଏବଂ ରାଜଧାନୀ ଭୁବନେଶ୍ୱରରେ ଏକ ‘ଲୋକକଳା ଭବନ’ ନିର୍ମାଣ କରିବାକୁ ଘୋଷଣା କରିଥିଲା। ଓଡ଼ିଶାର ଲୋକକଳାକୁ ଉଜ୍ଜୀବୀତ କରି ରଖିବା ଏବଂ କଳାକାରମାନଙ୍କୁ ଆଗକୁ ଆଣିବା ପାଇଁ ବ୍ୟାପକ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର।

Comment