ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କରୋନା ପାଇଁ ଅନଲାଇନ୍‌ କାର୍ଯ୍ୟକ୍ରମ
  • କଳାକାର ଓ ଶିଳ୍ପୀମାନଙ୍କ ମଧ୍ୟରେ ସୃଜନଶୀଳତା ବୃଦ୍ଧି ପାଇଁ ପଦକ୍ଷେପ
  • ୧୮ରୁ ୩୦ ବର୍ଷ ମଧ୍ୟରେ ୧୦୦୦ ଛାତ୍ରଛାତ୍ରୀଙ୍କୁ ମନୋନିତ କରାଯିବ
  • ମିଳିବ ୧୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି
  • ୩୦ରୁ ଅଧିକ ବୟସର ଅଂଶଗ୍ରହକାରୀଙ୍କ ମଧ୍ୟରୁ ୩୦୦ ଜଣ ହେବେ ମନୋନିତ
  • ସେମାନଙ୍କୁ ମିଳିବ ୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି
  • ୧୦୦ଟି ଶ୍ରେଷ୍ଠ ସନ୍‌ଡେ ଆର୍ଟ ସ୍କୁଲକୁ ୧୦ ହଜାର ଟଙ୍କା ଲେଖାଏଁ ମିଳିବ

ରାଜ୍ୟ ଲଳିତ କଳା ଏକାଡେମୀ ଆନୁକୂଲ୍ୟରେ ବିଭିନ୍ନ ବର୍ଗର କଳାକାର ଓ ଜନସାଧାରଣଙ୍କୁ ନେଇ ଅନଲାଇନରେ ସୃଜନଶୀଳତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବିଶ୍ୱରେ ଦେଖାଦେଇଥିବା କରୋନା ମହାମାରୀ ଭୟାବହତା ଯୋଗୁଁ ବନ୍ଦ ପ୍ରାୟ ହୋଇପଡ଼ିଥିବା ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟକ୍ରମରେ ରାଜ୍ୟର କଳାକାର ବର୍ଗ ମଧ୍ୟରେ ଯେଉଁ ସ୍ଥାଣୁତ୍ୱ ଦେଖାଦେଇଛି ତାହାକୁ ଉଜ୍ଜୀବୀତ କରିବା ଏବଂ କଳାକାର ଓ ଶିଳ୍ପୀମାନଙ୍କ ମଧ୍ୟରେ ସୃଜନଶୀଳତା ଓ ସଚେତନତା ବୃଦ୍ଧି କରିବା ପାଇଁ ଏହି କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ହୋଇଛି।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ୧୮ରୁ ୩୦ ବର୍ଷ ମଧ୍ୟରେ ଥିବା ୧୦୦୦ ଜଣ ଛାତ୍ରଛାତ୍ରୀଙ୍କୁ ମନୋନିତ କରି ପ୍ରତ୍ୟେକଙ୍କୁ ୧୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ।

୩୦ରୁ ଅଧିକ ବୟସର ଅଂଶଗ୍ରହକାରୀଙ୍କ ମଧ୍ୟରୁ ୩୦୦ ଜଣଙ୍କୁ ମନୋନିତ କରି ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

ଲଳିତକଳା ଏକାଡେମୀ ସ୍ୱୀକୃତିପ୍ରାପ୍ତ ସନ୍‌ଡେ ଆର୍ଟ ସ୍କୁଲଗୁଡ଼ିକରୁ ୧୦୦ଟି ଶ୍ରେଷ୍ଠ ସ୍କୁଲକୁ ମନୋନିତ କରି ସେଗୁଡ଼ିକୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏହି ଅନଲାଇନ୍‌ ପ୍ରକ୍ରିୟା ସମ୍ପର୍କରେ ସବିଶେଷ ବିବରଣୀ ନିର୍ଣ୍ଣୟ କରି ଏହାକୁ ବିଜ୍ଞପ୍ତି ଭାବେ ଆଗୁଆ ଜନସାଧାରଣଙ୍କୁ ଅବଗତ କରାଯିବ ବୋଲି ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ କେବଳ ଭିଜୁଆଲ ଆର୍ଟର ଚିତ୍ରକଳା, ଭାସ୍କର୍ଯ୍ୟ କଳା, ମୁଦ୍ରଣ କଳା ଆଦି ରହିବ। ଏ ସମସ୍ତ କାର୍ଯ୍ୟକ୍ରମ ୧ ମାସ ଯାଏଁ ଚାଲିବ। ଅନଲାଇନ୍‌ ମାଧ୍ୟମରେ ଅଂଶଗ୍ରହଣକାରୀମାନେ ଏହାକୁ ପଠାଇବେ ଏବଂ ସଂଗୃହୀତ କଳାକୃତିଗୁଡ଼ିକୁ ରାଜ୍ୟର ପ୍ରତିଷ୍ଠିତ କଳାକାରମାନେ ବିଚାରକ ଭାବେ ଯୋଗ ଦେଇ ସେଗୁଡ଼ିକୁ ମନୋନିତ କରିବେ।

ଏହି ବୈଠକରେ ଲଳିତ କଳା ଏକାଡେମୀର ଅଧ୍ୟକ୍ଷ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଏକାଡେମୀର ସମ୍ପାଦକ ଗଜେନ୍ଦ୍ର ସାହୁ ଯୋଗ ଦେଇଥିଲେ।

Comment