ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ୱର ଉତ୍କଳ ମଣ୍ଡପରେ ରଙ୍ଗାରଙ୍ଗ ପରିବେଶରେ ଆୟୋଜିତ ହେଲା ଉତ୍ସବ
  • ବିଜୟ ମିଶ୍ରଙ୍କୁ ‘ଜୟଦେବ’ ସମ୍ମାନ
  • ମିହିର ଦାସଙ୍କୁ ଶ୍ରେଷ୍ଠ ଅଭିନେତା, ଅର୍ଚ୍ଚିତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର
  • ମୋହନ ସୁନ୍ଦର ଦେବଗୋସ୍ୱାମୀ ପୁରସ୍କାର ପାଇଲେ ଅକ୍ଷୟ ପରିଜା
  • ‘ଭିଜା ମାଟିର ସ୍ୱର୍ଗ’କୁ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ
  • ଓଡ଼ିଶାକୁ ଫିଲ୍ମ ଟୁରିଜିମ୍‌ ଡେଷ୍ଟିନେସନ କରିବାର ଲକ୍ଷ୍ୟ : ସଂସ୍କୃତି ମନ୍ତ୍ରୀ

ରଙ୍ଗାରଙ୍ଗ ପରିବେଶରେ ଅନୁଷ୍ଠିତ ହୋଇଯାଇଛି ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ୱର ଉତ୍କଳ ମଣ୍ଡପଠାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଓଡ଼ିଆ ଫିଲ୍ମରେ ଜୀବନବ୍ୟାପୀ ସାଧନା ପାଇଁ ବିଶିଷ୍ଟ ସଂଳାପକାର, ଚିତ୍ରନାଟ୍ୟ ଲେଖକ ଓ ନିର୍ଦ୍ଦେଶକ ବିଜୟ ମିଶ୍ରଙ୍କୁ ସମ୍ମାନଜନକ ‘ଜୟଦେବ’ ପୁରସ୍କାର ପ୍ରଦାନ କରାଯାଇଥିଲା।

ବିଜୟ ମିଶ୍ରଙ୍କୁ ୧ ଲକ୍ଷ ଟଙ୍କା, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।

ପୁରସ୍କାର ପ୍ରଦାନ ଉତ୍ସବରେ କୃଷି, କୃଷକ ସଶକ୍ତିକରଣ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଫିଲ୍ମ ପ୍ରଯୋଜକ ତଥା ଜୁରି କମିଟି ଅଧ୍ୟକ୍ଷ ସବ୍ୟସାଚୀ ମହାପାତ୍ର, ସଂସ୍କୃତି ଉପଦେଷ୍ଟା ଜନ୍ମେଜୟ ଲେଙ୍କା, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଅଧ୍ୟକ୍ଷ ରାମକୃଷ୍ଣ ସାହୁ, ଏକାଡେମୀ ସମ୍ପାଦକ ଡକ୍ଟର ବିଜୟ କୁମାର ଜେନା, ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶିକା ସଂଘମିତ୍ରା ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

‘‘ପୁରସ୍କାର ଆଗକୁ ଯିବାକୁ ପ୍ରୋତ୍ସାହିତ କରିଥାଏ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଫିଲ୍ମ ଓ ଟେଲି ଫିଲ୍ମ ଜଗତ ସହ ଜଡ଼ିତ କଳାକାରମାନଙ୍କୁ ପ୍ରତିବର୍ଷ ପୁରସ୍କୃତ କରାଯାଇ ଆଗକୁ ଯିବା ପାଇଁ ପ୍ରୋତ୍ସାହନ କରାଯିବା ସ୍ୱାଗତଯୋଗ୍ୟ ପଦକ୍ଷେପ। ଯିଏ ଯେଉଁ କ୍ଷେତ୍ରରେ କାମ କରୁ ମନରେ ନିଷ୍ଠା ଓ ସାଧନା ରହିଲେ ପ୍ରତ୍ୟେକ ମଣିଷ ସଫଳତା ହାସଲ କରିଥାଏ’’, କହିଛନ୍ତି ମନ୍ତ୍ରୀ ଡକ୍ଟର ଅରୁଣ ସାହୁ।

ସେ ଆହୁରି କହିଥିଲେ ଯେ ସମାଜରେ ଘଟୁଥିବା ସାଂପ୍ରତିକ ଘଟଣାବଳୀକୁ ନେଇ ଫିଲ୍ମ ନିର୍ମାଣ ହୋଇଥାଏ। ଫିଲ୍ମ ଯେତିକି ଆମୋଦ ଦେଇଥାଏ ତାଠୁ ଅଧିକ ସଚେତନତାର ବାର୍ତ୍ତା ମଧ୍ୟ ଦେଇଥାଏ।

ଏହି ଉତ୍ସବରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଥିଲେ, ‘‘ସମୟ ବଦଳିବା ସହିତ ମନୋରଞ୍ଜନର ମାଧ୍ୟମ ମଧ୍ୟ ବଦଳିଛି। ଦିନ ଥିଲା ଲୋକେ ସିନେମା ହଲ ଯାଇ ଫିଲ୍ମ ଦେଖୁଥିଲେ। ପରେ ଟେଲିଭିଜନ ଏହାର ସ୍ଥାନ ନେଲା। ଏବେ ମୋବାଇଲ ମାଧ୍ୟମରେ ଲୋକେ ସବୁକିଛି ପାଉଛନ୍ତି। ମନୋରଞ୍ଜନର ମାଧ୍ୟମ ସିନା ବଦଳି ଯାଇଛି, ହେଲେ ଅଭିନୟ ବଦଳିନି। ଫିଲ୍ମରୁ କିପରି ଅଧିକ ଆୟ ହୋଇପାରିବ ସେଥିପାଇଁ ଆମ ବିଜିନେସ୍‌ ମଡେଲକୁ ବଦଳାଇବା ଦରକାର। ଚଳଚ୍ଚିତ୍ର ଜଗତକୁ ଆର୍ଥିକ ଦୃଷ୍ଟିକୋଣରୁ ସ୍ୱଚ୍ଛଳ କରିବା ପାଇଁ ସମସ୍ତେ ଉଦ୍ୟମ କରିବା ଦରକାର।’’

‘‘ଦର୍ଶକମାନଙ୍କ ରୁଚିକୁ ଦୃଷ୍ଟିରେ ରଖି ଫିଲ୍ମ ନିର୍ମାଣ ହେବା ଦରକାର। ସିନେମାର ଗୁଣାତ୍ମକ ମାନ ଉପରେ ମଧ୍ୟ ଧ୍ୟାନ ଦିଆଯିବା ଦରକାର। ଓଡ଼ିଶାକୁ ଫିଲ୍ମ ଟୁରିଜିମ୍‌ ଡେଷ୍ଟିନେସନ କରିବାର ଲକ୍ଷ୍ୟ ରହିଛି। ଏଥିପାଇଁ ସମସ୍ତଙ୍କ ସହଯୋଗ ଦରକାର’’, କହିଥିଲେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ।

ସେହିପରି ଫିଚର ଫିଲ୍ମ ‘ଭିଜା ମାଟିର ସ୍ୱର୍ଗ’ କୁ ଶ୍ରେଷ୍ଠ ଫିଲ୍ମ ଭାବେ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ଫିଲ୍ମକୁ ପୁରସ୍କାର ବାବଦରେ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମନମୋହନ ମହାପାତ୍ର, ଶ୍ରେଷ୍ଠ ଅଭିନେତା ଭାବେ ମିହିରି ଦାସ ଏବଂ ଅର୍ଚ୍ଚିତା ସାହୁଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।

‘‘ଗୋଟିଏ ଜାତିର ଇତିହାସକୁ ଲୋକଙ୍କ ପାଖରେ ଉପସ୍ଥାପିତ କରିଥାଏ ଚଳଚ୍ଚିତ୍ର। ଚଳଚ୍ଚିତ୍ର କେବଳ ମନୋରଞ୍ଜନ ଦିଏ ନାହିଁ, ସମାଜିକ ଚଳଣିର କଥା କହିଥାଏ। ଆଧୁନିକ ଓଡ଼ିଶାର ବୟସ ଯେତିକି ଓଡ଼ିଆ ଚଳଚ୍ଚିତ୍ର ଜଗତର ବୟସ ସେତିକି। ସୀତା ବିବାହ ଫିଲ୍ମରୁ ଆରମ୍ଭ ହୋଇଥିବା ଓଡ଼ିଆ ଫିଲ୍ମ ଜଗତର ଜୟଯାତ୍ରା ଏବେ ଆଗକୁ ବଢ଼ିଛି। ଚଳଚ୍ଚିତ୍ର ଜଗତର ଜନକ ମୋହନ ସୁନ୍ଦର ଦେବଗୋସ୍ୱାମୀ ଯେଉଁ ଲକ୍ଷ୍ୟ ନେଇ ପ୍ରଥମେ ସୀତା ବିବାହ ଫିଲ୍ମ ନିର୍ମାଣ କରିଥିଲେ ତାହା ସଫଳତାର ସହ ଆଗେଇ ଚାଲିଛି’’, କହିଥିଲେ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ।

ଏହି ଉତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ୱର୍ଗ’ ପାଇଁ ଅକ୍ଷୟ ପରିଜାଙ୍କୁ ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ଏହି ଫିଲ୍ମ ପାଇଁ ଆଶୁତୋଷ ମହାପାତ୍ରଙ୍କୁ ଶ୍ରେଷ୍ଠ ଚିତ୍ରନାଟ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା।

‘ଓଲେ ଓଲେ ଦିଲ୍‌ ବୋଲେ’ ଫିଲ୍ମ ପାଇଁ ଡି ନିରଞ୍ଜନ ରେଡ୍ଡି ଶ୍ରେଷ୍ଠ କାହାଣୀକାର ସମ୍ମାନ ପାଇଥିବା ବେଳେ ବସନ୍ତରାଜ ସାମଲ ଶ୍ରେଷ୍ଠ ଗୀତିକାର, ଶାନ୍ତିରାଜ ଖୋସଲାଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଥିଲା। ସାଥୀ ତୁ ଫେରି ଆ ଫିଲ୍ମ ପାଇଁ କଣ୍ଠଶିଳ୍ପୀ କରୁଣାକରଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଏବଂ ଅନ୍ତରା ଚକ୍ରବର୍ତ୍ତୀଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ପୁରସ୍କାର ପ୍ରଦାନ କରାଯାଇଥିଲା।

ମନୋଜ ମହାପାତ୍ର ‘ଚାମ୍ପିଅନ୍‌’ ଫିଲ୍ମ ପାଇଁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ପୁରସ୍କାର ପାଇଥିବା ବେଳେ ଶିବାନୀଙ୍କୁ ‘ଫେରିଆ’ ଫିଲ୍ମ ପାଇଁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।

‘ଦିୱାନା ହେଲି ତୋ ପାଇଁ’ ଫିଲ୍ମ ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତ୍ରୀ ଭାବେ ରାକ୍ଷୀ ଏବଂ ଶିଶୁ କଳାକାର ଭାବେ ସାର୍ଥକ ହୋତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଫିଲ୍ମ ଫେରିଆ ପାଇଁ ଶ୍ରେଷ୍ଠ କଳା ନିର୍ଦ୍ଦେଶକ ପୁରସ୍କାର ସଂଗ୍ରାମ ମହାରଣା, ନନ୍ଦଲାଲ ମହାପାତ୍ରଙ୍କୁ ଶ୍ରେଷ୍ଠ ସଂଳାପକାର, ମୁନା ବାବୁଙ୍କୁ ଶ୍ରେଷ୍ଠ କୋରିଅଗ୍ରାଫର ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ସାଉଣ୍ଡ ରେକଡିଷ୍ଟ ଭାବେ ନିତ୍ୟଶ୍ରୀ ରଞ୍ଜନଙ୍କୁ ପୁରସ୍କୃତ କରାଯାଇଥିଲା।

ଶୁକ୍ରବାର ସନ୍ଧ୍ୟାରେ ଉତ୍କଳ ମଣ୍ଡପଠାରେ ୭ମ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବର ସିଧାପ୍ରସାରଣ ଓଡ଼ିଶାଲାଇଭ୍‌ ୟୁ ଟ୍ୟୁବ୍ ଚ୍ୟାନେଲରେ କରାଯାଇଥିଲା। ଆସନ୍ତାକାଲି ରାଜ୍ୟ ଟେଲି ପୁରସ୍କାର ପ୍ରଦାନ ଉତ୍ସବର ମଧ୍ୟ ସିଧାପ୍ରସାରଣ କରାଯାଇଥିଲା।

Comment