ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଚଳିତ ଦଶନ୍ଧିର ଏହା ସବୁଠାରୁ ବଡ଼ ଆହ୍ୱାନମୂଳକ ବଜେଟ ହେବାକୁ ଯାଉଛି।

ଦେଶର ଆର୍ଥିକ ଅବସ୍ଥା ମାନ୍ଦା ଦେଇ ଗତି କରୁଥିବା ବେଳେ ଓ ଜିଡିପି ହାର ଗତ ଦଶ ବର୍ଷ ମଧ୍ୟରେ ସବୁଠାରୁ ତଳେ ରହିଥିବା ବେଳେ ଅର୍ଥମନ୍ତ୍ରୀ ଶନିବାର ଦିନ ଯେଉଁ ବଜେଟ ସଂସଦରେ ଆଗତ କରିବେ ତାହା କେତେ କଷ୍ଟକର ସେକଥା ମୂଳରୁ ହିଁ ଅନୁମାନ କରାଯାଇପାରେ।

ଖାଲି ସେତିକି ନୁହେଁ,ଦେଶର ସାଙ୍କେତିକ ଅଭିବୃଦ୍ଧି ୪୨ ଭିତରେ ସବୁଠାରୁ କମ ବୋଲି ଆକଳନ କରାଯାଇଛି। ଆର୍ଥିକ ବର୍ଷ ୨୦୨୯-୨୦ରେ ଜିଡ଼ିପି ୫ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ମଧ୍ୟ ଆଗରୁ ରିପୋର୍ଟ ପ୍ରକାଶ ପାଇଛି।

ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ କେନ୍ଦ୍ର ସରକାରଙ୍କ ରାଜସ୍ୱ ଆଦାୟ ଉପରେ ଭୀଷଣ  ପ୍ରଭାବ ପକାଇବ। ରାଜସ୍ୱ ଆୟ ପ୍ରାୟ ୨ ଲକ୍ଷ କୋଟି ଟଙ୍କା କମ ହେବ ବୋଲି ହିସାବ କରାଯାଇଛି। ଏସବୁର ଗୋଟିଏ ଅର୍ଥ ବାହାରୁଛି ଯେ ଅର୍ଥମନ୍ତ୍ରୀଙ୍କ ପାଇଁ ଆଶା ଓ ବାସ୍ତବତା ଭିତରେ ଏକ ସନ୍ତୁଳନ ଆଣିବା ଅତ୍ୟନ୍ତ କଷ୍ଟକର ହେବ। ଏହାର ୭ଟି କାରଣ ରହିଛି।

୧. ଅଗ୍ରୀମ ଅନୁମାନ କରାଯାଉଛି ଯେ ଦେଶର ଅର୍ଥ ବ୍ୟବସ୍ଥା ସହିତ ଯୋଡ଼ା ହୋଇଥିବା କେତେକ ସୂଚକାଙ୍କ ତଳେ ରହିବା ଆରମ୍ଭ କରିଛି। ଏଥିରେ ପୁଞ୍ଜି ବିନିଯୋଗ କଥା ବି ରହିଛି। ପୁଞ୍ଜି ନିବେଶ ୧ ପ୍ରତିଶତ କମିବାର ସ୍ପଷ୍ଟ ସଂକେତ ମିଳୁଛି। ଏହାର ଅର୍ଥ ଗତ ୧୭ ବର୍ଷ ମଧ୍ୟରେ ପୁଞ୍ଜି ନିବେଶ ସବୁଠାରୁ କମ ହେବ। ଏଥି ସହିତ କୃଷି ଉତ୍ପାଦନ, ମାନୁଫାକଚରିଂ ଆଦି କ୍ଷେତ୍ରରେ  ମଧ୍ୟ ସୂଚକାଙ୍କ ହ୍ରାସ ପାଇଛି ଏହା ଜଣାପଡିଛି।

୨. ଦେଶରେ ମହଙ୍ଗା ସ୍ଥିତିରେ ମଧ୍ୟ କୌଣସି ପରିବର୍ତ୍ତନ ଦେଖାଯାଉ ନାହିଁ। ରିଜର୍ଭ ବ୍ୟାଙ୍କର ଆକଳନ ଅନୁସାରେ କଞ୍ଜୁମର ପ୍ରାଇସ ଇଣ୍ଡେକ୍ସ ଭିତ୍ତିକ ମହଙ୍ଗା ୭.୩୫ ପ୍ରତିଶତରେ ପହଂଚିଛି। ପନିପରିବା ମହଙ୍ଗା ହେବା ଯୋଗୁଁ ଏହି ଦରବୃଦ୍ଧି ଦେଖା ଦେଇଛି। ମହଙ୍ଗା ଅବସ୍ଥାକୁ ଲକ୍ଷ୍ୟ କରି ରିଜର୍ଭ ବ୍ୟାଙ୍କ ଛଅ ଥର ରେପୋ ଦରରେ କାଟତି କରିବା ପାଇଁ ବାଧ୍ୟ ହୋଇଛି।

୩.  ତେଣେ ରାଜକୋଷ ନିଅଣ୍ଟ ମଧ୍ୟ ସାଙ୍ଘାତିକ ହୋଇପାରେ। ସରକାରଙ୍କ ପକ୍ଷରୁ ଆକଳନ କରାଯାଇଛି ଯେ ରାଜକୋଷ ନିଅଣ୍ଟ ଜିଡିପିର ୩.୮ ପ୍ରତିଶତ ଟପି ଯାଇପାରେ। ସରକାରଙ୍କ ଲକ୍ଷ୍ୟ ହେଉଛି ଏହି ନିଅଣ୍ଟ ଅତି ବେଶୀରେ ୩.୩ ପ୍ରତିଶତରେ ସୀମିତ ରଖିବା।

୪. ଟିକସ ଆଦାୟ ମଧ୍ୟ ଏବର୍ଷ କମ ହେବାକୁ ଯାଉଛି। ପାଖାପାଖି ୨ ଲକ୍ଷ କୋଟି ଟଙ୍କା ଟିକସ ଆଦାୟ କମିବାର ଆଶଙ୍କା ରହିଛି। ଯାହା ଫଳରେ କି ସରକାରୀ ଖର୍ଚ୍ଚ ବଢ଼ାଇବାରେ ସମସ୍ୟା ସୃଷ୍ଟି ହୋଇପାରେ। ଯେହେତୁ ସରକାରଙ୍କ ପାଖରେ ଅର୍ଥ ପ୍ରତିବନ୍ଧକ ସାଜିଛି ସେଥିପାଇଁ ଅର୍ଥନୀତିକୁ ଆଗେଇ ନେବା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ। ବ୍ୟକ୍ତିଗତ ଟିକସ ହାର କଣ ହେବ ତାହା ଏବେ ଅପେକ୍ଷା କରି ଦେଖିବାର କଥା।

୫. ଯେତେବେଳେ ରାଜକୋଷ ନିଅଣ୍ଟ ବଢୁଛି, ଅର୍ଥ ବ୍ୟବସ୍ଥାକୁ ବଢାଇବା ପାଇଁ ସରକାର କିଛି କରିପାରିବେ ନାହିଁ। ତେଣେ ସରକାର ଅଧିକ ଋଣ ବି କରିପାରିବେ ନାହିଁ କାରଣ ସେଥିରେ ବି ଘାଟା ହେବ।

୬. ଆର୍ଥିକ ମାନ୍ଦା ଅବସ୍ଥା କାରଣରୁ ୨୦୧୯ ଆର୍ଥିକ ବର୍ଷରେ ବ୍ୟାଙ୍କମାନଙ୍କ ଦ୍ୱାରା ଦିଆଯାଉଥିବା ୠଣ ମଧ୍ୟ ଭୀଷଣ ଭାବେ ହ୍ରାସ ପାଇଛି। ୨୦୧୯ ବର୍ଷରେ ବ୍ୟାଙ୍କମାନେ ୭ ପ୍ରତିଶତ କମ ଋଣ ଦେଇଛନ୍ତି ଯାହାକି ଦଶ ବର୍ଷ ମଧ୍ୟରେ ବିରଳ ଘଟଣା।

୭. ଆର୍ଥିକ ସଂସ୍କାରରେ ବି ସମସ୍ୟା ସୃଷ୍ଟି ହେବ ଏହା ଜଳଜଳ ଦେଖାଯାଉଛି। ଗତ ବର୍ଷ କେନ୍ଦ୍ର ସରକାର ୪୪ଟି ଶ୍ରମ ଆଇନରେ ସଂସ୍କାର ଆଣିବା କଥା ଚିନ୍ତା କରିଥିଲେ। ଏଥିରୁ ଗୋଟିଏ ଗତ ବର୍ଷ ସଂସଦରେ ଗୃହୀତ ହୋଇଛି। ତେବେ ଆର୍ଥିକ ମାନ୍ଦା ଅବସ୍ଥା ଯୋଗୁଁ ସଂରଚନାତ୍ମକ ସୁଧାର ଆଣିବା କ୍ଷେତ୍ରରେ ମୋଦୀ ସରକାର ପଛକୁ ହଟିବା ସ୍ପଷ୍ଟ ସଂକେତ ମିଳୁଛି।

Comment