ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜର ଇସ୍ତହାର ଘୋଷଣା କରିଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ହାତେଇବା ପାଇଁ ଲକ୍ଷ୍ୟ ରଖିଥିବା ବିଜେପି ଶୁକ୍ରବାର ନିଜର ନିର୍ବାଚନୀ ଇସ୍ତହାର ପ୍ରକାଶ କରିଛି। ଦଳର ବରିଷ୍ଠ ନେତା ନିତିନ ଗଡକରୀ ଓ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀଙ୍କ ଉପସ୍ଥିତିରେ ଦଳ ଦିଲ୍ଲୀବାସୀଙ୍କ ପାଇଁ ଅନେକ ପ୍ରତିଶ୍ରୁତି ଘୋଷଣା କରିଛି।

ଏହି ପ୍ରତିଶ୍ରୁତି ତାଲିକାରେ ବିଜେପି ଦିଲ୍ଲୀବାସୀଙ୍କୁ ୨ ଟଙ୍କାରେ କିଲେ ଅଟା ଦେବ ବୋଲି ଘୋଷଣା କରିଛି। ଏଥିସହିତ ପ୍ରତି ଘରକୁ ପାଇପ୍ ଯୋଗେ ପିଇବା ପାଣି ଓ ଦିଲ୍ଲୀରେ ଟ୍ୟାଙ୍କରମାନଙ୍କ ରାଜୁତି ହଟେଇବାକୁ ବିଜେପି ପ୍ରତିଶ୍ରୁତି ଦେଇଛି।ଏହାସହ ଦିଲ୍ଲୀରେ ଭ୍ରଷ୍ଟାଚାର ମୁକ୍ତ ସରକାର, ୨ ଶହ ନୂଆ ସ୍କୁଲ୍, ୧୦ଟି ବଡ଼ କଲେଜ ଆଦିର ନିର୍ମାଣ ପାଇଁ ବିଜେପି ଘୋଷଣା କରିଛି। ଦଳ ଦିଲ୍ଲୀରେ ସରକାରକୁ ଆସିଲେ ପିଏମ୍ ଆବାସ ଯୋଜନା, କିଷାନ ସମ୍ମାନ ନିଧି ଯୋଜନା ଓ ଆୟୁଷ୍ମାନ ଯୋଜନାକୁ ଦିଲ୍ଲୀରେ ଲାଗୁ କରିବା ପାଇଁ ନିଜର ନିର୍ବାଚନୀ ଇସ୍ତହାରରେ ପ୍ରତିଶ୍ରୁତି ଦେଇଛି।

ଏହି ଅବସରରେ ବିଜେପି ନେତା ନିତିନ ଗଡକରୀ କହିଥିଲେ ଯେ ଦଳ ଦିଲ୍ଲୀର ଭବିଷ୍ୟତ ବଦଳେଇବାକୁ ଲକ୍ଷ୍ୟ ରଖିଛି। ତେଣୁ ଦଳ ଏଠାରେ ସରକାର ଗଢ଼ିବାକୁ ଇଚ୍ଛା ରଖିଛି। ଏଥିସହିତ ଦିଲ୍ଲୀ ପାଇଁ ପ୍ରଦୁଷଣ ସମସ୍ୟା ମଧ୍ୟ ଏକ ବଡ଼ ବିପଦ ହୋଇଥିବାକୁ ଏହାକୁ କମ୍ କରିବାକୁ ଦଳ ପ୍ରୟାସ କରିବ ବୋଲି ସେ କହିଛନ୍ତି।

ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀର ସମସ୍ତ ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ଏହାପରେ ଫେବ୍ରୁଆରୀ ୧୧ ତାରିଖରେ ଭୋଟଗଣନା କରାଯାଇ ନିର୍ବାଚନରେ ବିଜୟୀ ପ୍ରାର୍ଥୀମାନଙ୍କ ନାଁ ଘୋଷଣା କରାଯିବ।

Comment