ଓଡ଼ିଶାଲାଇଭ୍ ବ୍ୟୁରୋ

ସଂସଦରେ ବଜେଟ୍ ଉପସ୍ଥାପନ ହେବା ପରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

  • ବଜେଟକୁ ନେଇ ଦେଶବାସୀଙ୍କୁ ଉଦବୋଧନ୍ ଦେଲେ ମୋଦୀ
  • ଏଥର ବଜେଟରେ କୃଷି କ୍ଷେତ୍ରକୁ ଅଗ୍ରାଧିକାର – ପ୍ରଧାନମନ୍ତ୍ରୀ
  • ଆଧୁନିକ ଭାରତ ଗଠନରେ ସହାୟକ ହେବ ଚଳିତ ବଜେଟ୍ – ମୋଦୀ
  • ଏନ୍ଆରଏ, ନୂଆ ଆୟକର ବ୍ୟବସ୍ଥାକୁ ପ୍ରଂଶସା

“ଏଥରର ବଜେଟ୍ ନୂଆ ଭାରତର ଗଠନର ବାଟ ଦେଖାଇବା ସହ କୃଷି, ଶିକ୍ଷା, ଶିଳ୍ପ, ଟେକ୍ନୋଲୋଜି କ୍ଷେତ୍ରକୁ ଆଗକୁ ବଢ଼େଇବ। ଫଳରେ ଦେଶର ଯୁବକମାନେ ନିଯୁକ୍ତିର ସୁଯୋଗ ପାଇବେ। ଏଥିସହ ଏହି ବଜେଟ୍ ଦେଶର ନାଗରିକମାନଙ୍କୁ ଶକ୍ତିଶାଳୀ କରିବ।”

ଶନିବାର ସଂସଦରେ ବଜେଟ୍ ଉପସ୍ଥାପନ ପରେ ଦେଶବାସୀଙ୍କୁ ଉଦବୋଧନ ଦେଇ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ସେ କହିଛନ୍ତି ଯେ ଏଥର ବଜେଟ୍ ଆଧୁନିକ ଭାରତର ନିର୍ମାଣ କରିବ। ଏହି ବଜେଟ୍ ଦ୍ୱାରା ଦେଶରେ ନିଯୁକ୍ତିର ସୁଯୋଗ ମଧ୍ୟ ସୃଷ୍ଟି ହେବ। କୃଷି, ଶିଳ୍ପ, ଟେକ୍ନୋଲୋଜି ଭଳି କ୍ଷେତ୍ରର ବିକାଶ ହେବା ଦ୍ୱାରା ପରୋକ୍ଷରେ ଦେଶର ନାଗରିକମାନେ ନିଯୁକ୍ତି ପାଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି, “ଏଥର ବଜେଟରେ କୃଷି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ମୁଁ ଦେଶବାସୀଙ୍କ ତରଫରୁ ଅର୍ଥ ମନ୍ତ୍ରାଳୟ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ନୂଆ ବଜେଟ ଦ୍ୱାରା କୃଷକମାନଙ୍କର ଆୟ ଦ୍ୱିଗୁଣିତ ହୋଇପାରିବ। ଏଥିସହିତ ଦେଶରେ ନୂଆ ସ୍ମାର୍ଟ ସିଟି ନିର୍ମାଣ, ଇଲୋକ୍ଟ୍ରୋନିକ୍ସ ସାମଗ୍ରୀର ଉତ୍ପାଦନ ଦେଶର ବିକାଶକୁ ଆଗକୁ ବଢ଼େଇବ।”ସେହିପରି ପର୍ଯ୍ୟଟନର ବିକାଶ ପାଇଁ ବଜେଟରେ ଯୋଜନା ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବା ସହ ଦେଶର ଆର୍ଥିକ ପ୍ରଗତି ଓ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ପର୍ଯ୍ୟଟନ ଏପରି ଏକ ମାଧ୍ୟମ ଯେଉଁଥିରେ କମ ପୁଞ୍ଜିନିବେଶ ସହ ଅଧିକ ଆୟ ହୋଇପାରିଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଏଥିସହିତ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ବଜେଟ୍ ନିର୍ମାଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣରେ ଉଲ୍ଲେଖ କରିଛନ୍ତି।ଶେଷରେ ବ୍ୟାଙ୍କ୍ ଡିପୋଜିଟ୍ ଇନ୍ସ୍ୟୁରାନ୍ସ, ଏନ୍ଆରଏ ଏବଂ ନୂଆ ଆୟକର ବ୍ୟବସ୍ଥାକୁ ପ୍ରଶଂସା କରିବା ସହ ଏହି ବଜେଟ୍ ଭାରତର ଅର୍ଥନୀତିକୁ ଏକ ନୂଆ ଦିଗ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Comment