ଓଡ଼ିଶାଲାଇଭ୍ ବ୍ୟୁରୋ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଯେଉଁ ନୂଆ ବ୍ୟକ୍ତିଗତ କର ସ୍ଲାବ ଘୋଷଣା କରିଛନ୍ତି ତାହା ସମସ୍ତଙ୍କୁ ସୁହାଇ ନପାରେ। ଟିକସ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ନୂଆ ବ୍ୟବସ୍ଥାରେ ବିଶେଷ କିଛି ଫାଇଦା ହେବ ନାହିଁ। ଟିକସ ହିସାବ ଅନୁଯାୟୀ ଯେଉଁମାନେ ଅତି ବେଶି ରୋଜଗାର କରୁଛନ୍ତି ସେମାନଙ୍କ ପାଇଁ ଟିକସ ଛାଡ଼ ସହ ପୁରୁଣା ଦର ହିଁ ଲାଭଜନକ ହେବ।

ଅର୍ଥମନ୍ତ୍ରୀ ଯେଉଁ ଘୋଷଣା କରିଛନ୍ତି ସେଥିରେ କୁହାଯାଇଛି ଯେ ଯେଉଁମାନେ ଏବେ ମିଳୁଥିବା ବିଭିନ୍ନ ଛାଡ଼କୁ ପରିତ୍ୟାଗ କରିବେ ସେମାନେ ହିଁ ନୂଆ ଟିକସ ଦରକୁ ଯାଇପାରିବେ। ଏଣୁ ନୂଆକୁ ଯିବେ କି ପୁରୁଣାରେ ରହିବେ ତାହା ଟିକସ ଦାତାଙ୍କ ଉପରେ ହିଁ ନିର୍ଭର କରିବ। ବିଶେଷଜ୍ଞଙ୍କ ମତରେ ଆଗରୁ ସେକ୍ସନ ୮୦ CC, ୮୦CCD, NPS, ଘରଭଡ଼ା ଆଦିରେ ଯେଉଁ ଛାଡ଼ ନେଉଥିଲେ ତାହା ନୂଆ ବ୍ୟବସ୍ଥାରେ ଅକାମୀ ହୋଇପଡ଼ିବ। କେବଳ NPS ହିଁ ନୂଆ ଟିକସ ହାରରେ କାମ ଦେବ।

ଯେଉଁମାନେ ନୂଆ ଚାକିରି ଆରମ୍ଭ କରିଛନ୍ତି ଏବଂ ଟିକସ ବ୍ୟବସ୍ଥାର ଗୋଳମାଳିଆ ହିସାବକୁ ଯିବା ପାଇଁ ଚାହୁଁନାହାନ୍ତି ସେମାନେ ନୂଆ ବ୍ୟବସ୍ଥାକୁ ଯିବା ଭଲ। ‘ଓଡ଼ିଶା ଲାଇଭ୍’ର ହିସାବ ଅନୁଯାୟୀ ଦରମା ହାର ଯେଉଁମାନଙ୍କ କମ ବା ମଧ୍ୟମ ଧରଣର ସେମାନେ ନୂଆ ବ୍ୟବସ୍ଥାରେ ବିଶେଷ କିଛି ଫାଇଦା ପାଇବେ ନାହିଁ। ଉଲ୍ଲେଖ କରାଯାଇପାରେ ଯେ, ଆସନ୍ତା ଏପ୍ରିଲ ପହିଲାରୁ ନୂଆ ଟିକସ ଦର ଲାଗୁ ହେବ।

Comment