ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବନ୍ଦ ରହିଲା ସ୍କୁଲ, କଲେଜ
  • ଟାୟର ଜାଳି ରାସ୍ତା ଅବରୋଧ
  • ଟ୍ରେନ ଚଳାଚଳ ପ୍ରଭାବିତ
  • ଗଡ଼ିଲାନି ଯାତ୍ରୀବାହୀ ବସ୍‌
  • ଦୋକାନ, ବଜାର ବନ୍ଦ ରହିଲା

ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶାରେ ଜୋର୍‌ ଧରିଲା ଆନ୍ଦୋଳନ। ଓକିଲ ଏବଂ ସାଧାରଣ ଲୋକଙ୍କ ଆନ୍ଦୋଳନ ପାଇଁ ପଶ୍ଚିମ ଓଡ଼ିଶା ପୂରା ଠପ୍‌ ହୋଇଯାଇଥିଲା। କେଉଁଠି ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ତ କେଉଁଠି ଟ୍ରେନ୍‌ ରୋକ କରାଯାଇଥିଲା। ସ୍କୁଲ, କଲେଜ ବନ୍ଦ ରହିବା ସହ ବସ୍‌ ଚଳାଚଳ ବି ଠପ୍‌ ହୋଇଯାଇଥିଲା।

ସବୁଠୁ ବଡ଼ କଥା ହେଉଛି ଏହି ଆନ୍ଦୋଳନକୁ ବିଜେଡି, ବିଜେପି ଏବଂ କଂଗ୍ରେସ ସମର୍ଥନ ଦେଇଥିଲେ। ହେଲେ ପରସ୍ପର ଉପରେ କାଦୁଅ ଫିଙ୍ଗା ଚାଲିବାରୁ ରାଜନୀତି ପାଣିପାଗ ଗୋଳିଆ ହୋଇଯାଇଛି।

ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ଦାବିରେ ଆନ୍ଦୋଳନ କିଛି ନୂଆ ନୁହେଁ। ଆଗରୁ ମଧ୍ୟ ଆନ୍ଦୋଳନ ହୋଇଥିଲା। ଏବେ ବି ବିଭିନ୍ନ ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ଚାଲିଛି। ତେବେ ଆନ୍ଦୋଳନରତ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ବାର୍‌ କାଉନସିଲ୍‌ ବାର୍‌ କାଉନସିଲ ଅଫ ଇଣ୍ଡିଆକୁ ଚିଠି ଲେଖିବା ପରେ ଆନ୍ଦୋଳନ ଆଜି ଉଗ୍ରରୂପ ଧାରଣ କରିଥିଲା।

ସମ୍ବଲପୁରରୁ ସୁନ୍ଦରଗଡ଼, ଦେବଗଡ଼ରୁ ବୌଦ୍ଧ ସବୁଠି ଜୋରଦାର ଆନ୍ଦୋଳନ ଚାଲିଥିଲା। ଆନ୍ଦୋଳନକାରୀମାନେ ମୋଟରସାଇକେଲ ଶୋଭାଯାତ୍ରା କରିଥିଲେ। ବ୍ୟବସାୟୀମାନେ ଦୋକାନ ବଜାର ବନ୍ଦ କରି ଆନ୍ଦୋଳନରେ ସାମିଲ ହୋଇଥିଲେ।

‘‘ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଖୁବ୍‌ଶୀଘ୍ର ଏନେଇ ବିଚାର କରାଯିବ’’, କହିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା।

ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବରେ ଅଖ, ଚକ, ଦୋକାନ ବଜାର ସବୁ ବନ୍ଦ ରହିଥିଲା। ଏହାକୁ ନେଇ ତିନି ଦଳ ଭିତରେ ଆରୋପ ପ୍ରତ୍ୟାରୋପ ଚାଲିଛି।

‘‘ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ହେଲେ କେନ୍ଦ୍ର ସରକାର ଏଥିରେ ସହମତ ହେଉ ନାହାନ୍ତି। କେନ୍ଦ୍ର ସରକାର ଚାହିଁଲେ ଏହା ପ୍ରତିଷ୍ଠା ହୋଇପାରିବ’’, କହିଛନ୍ତି ବିଜେଡି ବିଧାୟକ କିଶୋର ମହାନ୍ତି।

ବିଜେପି ଏହାକୁ କାଉଣ୍ଟର କରିଛି। ରାଜ୍ୟ ସରକାର କେନ୍ଦ୍ର ଉପରେ ଦୋଷ ଲଦି ଦେଇ ଖସି ଯିବାକୁ ବସିଛନ୍ତି ବୋଲି କହିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ।

‘‘କେଉଁ ଜାଗାରେ ସ୍ଥାୟୀ ହାଇକୋର୍ଟ ବେଞ୍‌ଚ ପ୍ରତିଷ୍ଠା ହେବ ତାହା ପ୍ରଥମେ ରାଜ୍ୟ ସରକାର ସ୍ଥିର କରନ୍ତୁ। ହାଇକୋର୍ଟ ବେଞ୍‌ଚ ପାଇଁ ଜମି ଯୋଗାଇ ଦେବା ସହ ସ୍ଥାନ ନିରୂପରଣ କରନ୍ତୁ। ତାହା ନକରି କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦି ଦେବା ଠିକ୍‌ ନୁହେଁ’’, କହିଛନ୍ତି ସୁରେଶ ପୂଜାରୀ।

ଏପଟେ ଦୁଇ ଦଳଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ବରିଷ୍ଠ ନେତା ନରସିଂହ ମିଶ୍ର। ସେ କହିଛନ୍ତି ଯେ, ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନାଁରେ ଉଭୟ ଦଳ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଯଦି ଆନ୍ତରିକତା ଥାନ୍ତା ତାହାଲେ ବେଞ୍ଚ କେବେଠୁ ପ୍ରତିଷ୍ଠା ହୋଇ ସାରନ୍ତାଣି।

Comment