ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୨୦-୨୧ ରେଳ ବଜେଟ୍‌ରେ ଓଡ଼ିଶାର ଭାଗ କମିବାକୁ ନେଇ ତେଜିଲା ରାଜନୀତି।

ରେଳ ବଜେଟ୍‌ରେ ଓଡ଼ିଶାର ଭାଗ କମିଛି। ଏହାକୁ ନେଇ ରାଜନୀତି ତେଜିଛି। ବିଜେଡି ଓ କଂଗ୍ରେସ ଏହାକୁ ନେଇ ବିଜେପିକୁ ବାଣ ମାରିଥିବା ବେଳେ ବିଜେପି ଏହାର ଜବାବ ଦେଇଛି। ଓଡ଼ିଶାକୁ ଯେତିକି ମିଳିବା କଥା ତାଠୁ ଅଧିକ ମିଳିଛି ବୋଲି ବିଜେପି କହିଛି।

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରେଳ ବଜେଟ୍‌ ଆଗତ କରିଥିଲେ କେନ୍ଦ୍ର ସରକାର। ଏଥିରେ ଓଡ଼ିଶାକୁ ମିଳିଥିଲା ୪ ହଜାର ୩୭୩ କୋଟି ଟଙ୍କା। ହେଲେ ୨୦୨୯-୨୦ ଆର୍ଥିକ ବର୍ଷ ତୁଳନାରେ ଏହା କମ୍‌ ବୋଲି ବିଜେଡି ଅଭିଯୋଗ କରିଛି।

୨୦୧୯-୨୦ରେ ଓଡ଼ିଶାକୁ ୫ ହଜାର ୯୯୩ କୋଟି ଟଙ୍କା ମିଳିଥିଲା। ଗତ ଥର ତୁଳନାରେ ଏଥର ୧୨୬୦ କୋଟି ଟଙ୍କା ହ୍ରାସ ପାଇଛି।

‘‘କେନ୍ଦ୍ର ସରକାର ରେଳ ବଜେଟ୍‌ରେ ଓଡ଼ିଶାକୁ ଅବହେଳା କରିଛନ୍ତି। ମୁଖ୍ୟମନ୍ତ୍ରୀ ନୂଆ ରେଳପଥ ପାଇଁ ଅଧିକ ଟଙ୍କା ଦାବି କରିଥିଲେ। ଆମେ ଆଶା ରଖିଥିଲୁ ଏଥର ବଜେଟ୍‌ରେ ବ୍ୟବୟରାଦ ବଢ଼ିବ। ହେଲେ କେନ୍ଦ୍ର ସରକାର କତ ଥର ତୁଳନାରେ ବ୍ୟବୟରାବଦ କମ୍‌ କରିଛନ୍ତି। ଏହାକୁ ନେଇ ଆମେ ପ୍ରଧାନମନ୍ତ୍ରୀ ଏବଂ ରେଳ ମନ୍ତ୍ରୀଙ୍କୁ ଭେଟିବୁ’’, କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ଏପଟେ ବିଜେଡି ଭଳି କଂଗ୍ରେସ ମଧ୍ୟ ସମାନ ଅଭିଯୋଗ କରିଛି। କଂଗ୍ରେସ ଅମଳରେ ଓଡ଼ିଶାକୁ ଯେତିକି ଟଙ୍କା ମିଳୁଥିଲା ତାହା ବିଜେପି ଅମଳରେ ହ୍ରାସ ପାଇଛି।

‘‘ଅନ୍ୟ ମେଟ୍ରୋ ସିଟିରେ ଯେମିତି ରେଲୱେ ପକ୍ଷରୁ ଉନ୍ନତମାନର ହସ୍ପିଟାଲ ନିର୍ମାଣ କରାଯାଇଛି ଓଡ଼ିଶାରେ ସେଭଳି କରିବାକୁ ଆମେ ଦାବି କରିଥିଲୁ। ଓଡ଼ିଶାବାସୀ ଏଥିରେ ଉପକୃତ ହୋଇଥାନ୍ତେ। ଭୁବନେଶ୍ୱର ଓ କଟକ ରେଳ ଷ୍ଟେସନର ଉନ୍ନତୀକରଣ ପାଇଁ ଆମେ ଦାବି କରିଥିଲୁ। ସେଥିପ୍ରତି ଧ୍ୟାନ ଦିଆଗଲା ନାହିଁ’’, କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ।

ଏପଟେ ବିଜେଡି ଓ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର। ଓଡ଼ିଶାକୁ ରେଳ ଅନୁଦାନ କମିନି, ବରଂ ବଢ଼ିଛି ବୋଲି ସେ ଯୁକ୍ତି ବାଢ଼ିଛନ୍ତି।

‘‘ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୪ ହଜାର ୩୭୩ କୋଟି ଟଙ୍କା ମିଳିଛି। ନୀତି ଆୟୋଗର କ୍ଲିୟରାନ୍ସ ମିଳିବା ପରେ ଆଉ ୨ ହଜାର ୯୫୭ କୋଟି ଟଙ୍କା ଆସିବ। ରେଳବାଇ କ୍ଷେତ୍ରରେ ଓଡ଼ିଶା ଅଧିକ ୨ ହଜାର କୋଟି ଟଙ୍କା ପାଇବ। ବିଜେଡି ତୁଛା ଅଭିଯୋଗ କରୁଛି। କଂଗ୍ରେସ ଅମଳରେ କେତେ ଅନୁଦାନ ଆସୁଥିଲା ତାହା ସମସ୍ତେ ଜାଣିଛନ୍ତି’’, କହିଛନ୍ତି ଗୋଲକ ମହାପାତ୍ର।

ଏଥର ଖୋର୍ଦ୍ଧା-ବଲାଙ୍ଗିର ନୂଆ ରେଳପଥ ପାଇଁ ସର୍ବାଧିକ ୫୨୦ କୋଟି ଟଙ୍କା ମିଳିଛି। ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀ ଏବଂ ନୂଆପଡ଼ା-ଗୁଣୁପୁର-ଥେରୁବାଲି ରେଳପଥକୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି।

ସେହିପରି ସମ୍ବଲପୁର-ତଳଚେର ଡବଲ ଲାଇନ୍‌ ପାଇଁ ୨୯୨ କୋଟି, ସମ୍ବଲପୁର-ଟିଟିଲାଗଡ଼ ଡବଲ ଲାଇନ ପାଇଁ ୩୮୨ କୋଟି, ଟିଟିଲାଗଡ଼-ବିଜୟନଗରମ୍ ତୃତୀୟ ଲାଇନ ପାଇଁ ୩୮୦ କୋଟି, ଝାରସୁଗୁଡ଼ା-ବିଳାସପୁର ରେଳପଥ ପାଇଁ ୨୮୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ହରିଦାସପୁର-ପାରଦୀପ ରେଳପଥ ପାଇଁ ୧୦୦ କୋଟି ଏବଂ ତାଳଚେର-ବିମଳାଗଡ଼ ରେଳପଥ ପାଇଁ ୧୪୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

Comment