ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଦିଲ୍ଲୀ ନିର୍ବାଚନରେ ଅରବିନ୍ଦ କେଜରିୱାଲ ବିଜେପି ଓ କଂଗ୍ରେସ ଉପରେ ପୂରା ଝାଡୁ ମାରିଦେଇଛନ୍ତି। ଭୋଟ ବାକ୍ସରେ ଯେତେ ଭୋଟ ପଡ଼ିଥିଲା ତାହାର ପଚାଶ ପ୍ରତିଶତରୁ ଅଧିକ ଭୋଟ ପାଇ ଆମ ଆଦମୀ ପାର୍ଟି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏହାକୁ ମିଶାଇ କେଜରିୱାଲ ତିନି ଥର ଦିଲ୍ଲୀର ମୁକୁଟ ପିନ୍ଧିବା ପାଇଁ ଯାଉଛନ୍ତି।

ଦିଲ୍ଲୀ ସମରରୁ ରାଜନୈତିକ ଦଳମାନଙ୍କୁ ବହୁ ଶିକ୍ଷା ମିଳିଛି। ସବୁଠୁ ବଡ଼ ଶିକ୍ଷା ମିଳିଛି ବିଜେପିକୁ। ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ ଓ କେତେକାଂଶରେ ମହାରାଷ୍ଟ୍ର ପରେ ଗୋଟିଏ କଥା ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ବିଧାନସଭା ନିର୍ବାଚନରେ ସ୍ଥାନୀୟ ସମସ୍ୟା ଓ ପ୍ରସଙ୍ଗକୁ ହିଁ ଭୋଟର ଅଧିକ ଗୁରୁତ୍ୱ ଦେଇଥାନ୍ତି।

ଦିଲ୍ଲୀ ବିଧାନସଭା ନିର୍ବାଚନ ମଇଦାନକୁ ଅବଶ୍ୟ ବିଜେପି ବହୁ ଡେରିରେ ଡେଇଁଥିଲା। ସାହିନବାଗରେ ଦଳ ପକ୍ଷରୁ ମାହୋଲ ବଦଳାଇବା ପାଇଁ ଉଦ୍ୟମ କରାଯାଇଥିଲା। ସତ କଥା ଯେ ଆରମ୍ଭରେ କେଜରିୱାଲଙ୍କ ସପକ୍ଷରେ ହାୱା ଚାଲିଥିଲା। କିନ୍ତୁ ଅମିତ ଶାହ ଆକ୍ରମଣାତ୍ମକ ପ୍ରଚାର କରିବା ପରେ ସ୍ଥିତି ବଦଳି ଯାଇଥିଲା। ହେଲେ ସେତେବେଳକୁ ସବୁ କିଛି ସରିଥିଲା ଓ ଭୋଟରମାନେ ସ୍ଥିର କରି ସାରିଥିଲେ କାହାକୁ ଭୋଟ ଦେବେ।

ତେଣେ କେଜରିୱାଲ ଚଲାକିର ସହ ଦିଲ୍ଲୀର ସମସ୍ୟା ଉପରେ ଫୋକସ କରି ଚାଲିଥିଲେ। ଏହା ଆମ୍‌ ଆଦ୍‌ମୀ ପାର୍ଟିକୁ ପୂରା ସାଥ୍‌ ଦେଲା। ଅପରପକ୍ଷରେ କଂଗ୍ରେସ ମୂଳରୁ ହିଁ ପରାଜୟ ସ୍ୱୀକାର କରିସାରିଥିଲା। କଂଗ୍ରେସ ପ୍ରାର୍ଥୀ ମୁକେଶ କୁମାରଙ୍କ ଏକ  ଟୁଇଟରୁ ଏହାର ସ୍ପଷ୍ଟ ସଂକେତ ମିଳୁଥିଲା। ଏଣୁ ଦିଲ୍ଲୀ ନିର୍ବାଚନ ଯୁଦ୍ଧ ମୁଖ୍ୟତଃ ବିଜେପି ଓ ଆମ୍‌ ଆଦ୍‌ମୀ ପାର୍ଟି ଭିତରେ ହିଁ ସୀମିତ ଥିଲା।

ନିର୍ବାଚନ ଘୋଷଣା ସମୟରେ ତ ଲୋକେ କହୁଥିଲେ ଫଳ କେବଳ ଆପ ସପକ୍ଷରେ ହିଁ ଯିବ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ମଇଦାନକୁ ଓହ୍ଲାଇଲେ ସ୍ଥିତି କିଛିଟା ବଦଳିଲା। ମୋଦୀଙ୍କ ଚେହେରା ଓ ସାହିନବାଗ ଘଟଣା ଅନେକ ପରିମାଣରେ ବିଜେପି ପାଇଁ ସକାରାତ୍ମକ ହୋଇଥିଲା। ହେଲେ କେଜରିୱାଲ ପାଣି, ବିଜୁଳ ଆଦି ବୁନିୟାଦି କଥା ହିଁ କହି ଚାଲିଲେ।

ଦିଲ୍ଲୀର ଜନତା ସ୍ଥାନୀୟ ପ୍ରସଙ୍ଗକୁ ନେଇ ହିଁ ଭୋଟ ଦେଇଛନ୍ତି ବୋଲି ବୁଝିବାକୁ ପଡ଼ିବ। ଦିଲ୍ଲୀରେ ବିଜେପି ବିଗତ ୨୨ ବର୍ଷ ଧରି କ୍ଷମତା ବାହାରେ ରହିଥିବା ବେଳେ ଏବେ ଏଥିରେ ଆଉ ପାଞ୍ଚ ବର୍ଷ ଯୋଡ଼ା ହୋଇଗଲା। ବିଜେପି ପାଇଁ ଦିଲ୍ଲୀ ସତରେ ଏବେ ବହୁତ ଦୂରରେ।

Comment