ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବିଜେଡି ମହିଳା ନେତ୍ରୀ ମିନାକ୍ଷୀ ମିଶ୍ର ଆଜି ବ୍ରହ୍ମପୁର ଏସପିଙ୍କ ଅଫିସ ସମ୍ମୁଖରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ଶରୀରର ୯୦ ଭାଗ ପୋଡ଼ିଯାଇଛି। ତାଙ୍କୁ ଚିକିତ୍ସା ଲାଗି ପ୍ରଥମେ ବ୍ରହ୍ମପୁର ବଡ଼ ମେଡିକାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ମିନାକ୍ଷୀଙ୍କ ପୁଅକୁ ପୋଲିସ କୌଣସି କାରଣରୁ ଗିରଫ କରିଥିଲା। ସେଥିପାଇଁ ମିନାକ୍ଷୀ ମିଶ୍ର ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ପ୍ରଭାତ କୁମାର ରାଉତରାୟଙ୍କ ନିକଟକୁ ଆସି ତାଙ୍କ ପୁଅ ରାଜାକୁ କାହିଁକି ଗିରଫ କରାଗଲା ସେ ବିଷୟ ଜାଣିବାକୁ ଚାହିଁ ଥିଲେ। ସେତେବେଳେ ଏସ୍‌ପି ପିନାକ ମିଶ୍ର ଅନ୍ୟ କାମରେ ବ୍ୟସ୍ତ ଥିଲେ। ଘଟଣାର ଉପଯୁକ୍ତ ତଦନ୍ତ କରାଯିବ ବୋଲି ଅତିରିକ୍ତ ଏସପି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ମିନାକ୍ଷୀ ନିଜେ ଏକ ଜାରରେ ଲୁଚାଇଆଣିଥିବା କିରାସିନିକୁ ଧରି ଅଫିସ ଆଗକୁ ଆସି ନିଜ ଉପରେ ଢାଳିଦେଇ ଆତ୍ମାହୁତି ଉଦ୍ୟମ କରିଥିଲେ।

ମିନାକ୍ଷୀ ମିଶ୍ରଙ୍କୁ ତୁରନ୍ତ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ବ୍ରହ୍ମପୁର ଏସପି, ବିଜେଡି ନେତା ତଥା ବ୍ରହ୍ମପୁର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ, ସୁବାଷ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ଏକ ପାର୍କିଙ୍ଗ ବିଷୟକୁ ନେଇ ଗଣ୍ଡଗୋଳ ପରେ ରାଜାକୁ ବିଏନପୁର ପୋଲିସ ଗିରଫ କରିଥିଲା।

ରାଜା ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ମିନାକ୍ଷୀ ମିଶ୍ର ଯୁକ୍ତି ବାଢିଥିଲେ। ମିନାକ୍ଷୀଙ୍କ ଯୁକ୍ତି ଥିଲା ଯେ, ଗତ ଜାନୁଆରି ୨୮ ତାରିଖ ଦିନ ଦଳେ ଲୋକ ରାଜାକୁ ନିର୍ମମ ଭାବେ କ୍ରିକେଟ ବ୍ୟାଟରେ ପିଟିଥିଲେ। ସିସିଟିଭିରେ ଏନେଇ ସ୍ପଷ୍ଟ ଜଣାପଡୁଛି। ତଥାପି ପୋଲିସ ରାଜାକୁ କାହିଁକି ଗିରଫ କଲା ବୋଲି ମିନାକ୍ଷୀ ପୋଲିସକୁ ପ୍ରଶ୍ନ କରିଥିଲେ।

LEAVE A REPLY

Please enter your comment!
Please enter your name here