ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍‌ ଅଧିବେଶନ। ଏପ୍ରିଲ ମାସ ୯ ତାରିଖ ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଚାଲିବାକୁ ଥିବା ଏହି ବଜେଟ୍‌ ଅଧିବେଶନରେ ମୋଟ୍‌ ୩୧ଟି କାର୍ଯ୍ୟ ଦିବସ ରହିଛି।

ଅଧିବେଶନ ଆରମ୍ଭରୁ ରାଜ୍ୟପାଳ ଦିବଙ୍ଗତ ରାଜନେତା ଓ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଅଭିଭାଷଣ ଆରମ୍ଭ କରିଥିଲେ।

ରାଜ୍ୟପାଳ ନିଜ ଅଭିଭାଷଣର କହିଛନ୍ତି, ‘‘ଲୋକଙ୍କ ସୁବିଧା ପାଇଁ ମୋ ସରକାର ଆରମ୍ଭ ହୋଇଛି। ଓଡ଼ିଶାକୁ ନୂଆ ଉଚ୍ଚତାକୁ ନେବା ପାଇଁ ମୋ ସରକାର ଲାଗି ରହିଛି। 5-T ଜରିଆରେ ଶାସନକୁ ଅଧିକ କ୍ରିୟାଶୀଳ କରାଯାଇଛି।’’

‘‘ଚାଷୀଙ୍କ ପାଇଁ କାଳିଆ, ପିଲାଙ୍କ ପାଇଁ ଛାତ୍ରବୃତ୍ତି ଓ କୃଷି ଶିଳ୍ପକୁ ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀ କୃଷି ଶିଳ୍ପ ଯୋଜନା ଲାଗୁ ହୋଇଛି। କୃଷି କ୍ଷେତ୍ରରେ ଜଳ ଯୋଗାଣ ପାଇଁ ବହୁ ବ୍ୟାରେଜ, କେନାଲ, ଉଠା ଜଳସେଚନ ଜରିଆରେ ଜଳ ଯୋଗାଣ ହେଉଛି। ଚାଷୀଙ୍କ ଆୟ ବୃଦ୍ଧି ପାଇଁ ବହୁ କାର୍ଯ୍ୟକ୍ରମ କରାଯାଇଛି, ’’ ଅଭିଭାଷଣ ଦେଇଛନ୍ତି ପ୍ରଫେସର ଗଣେଶୀ ଲାଲ।

ରାଜ୍ୟପାଳ ତାଙ୍କ ଅଭିଭାଷଣରେ ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଯୋଜନା ଉପରେ କହିଥିଲେ।

ସେ କହିଛନ୍ତି, ‘‘ସ୍ଵାସ୍ଥ୍ୟ ସେବାରେ ଉନ୍ନତି ପାଇଁ କଟକ ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ପଦକ୍ଷେପ ନିଆଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକମାନଙ୍କୁ ମାଗଣା ଚିକିତ୍ସା ସେବା ମିଳୁଛି। ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣା ଔଷଧ ମିଳୁଛି।’’

‘‘୫୭୬ଟି ସ୍କୁଲରେ ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା କରାଯାଇଛି। ୪୧ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସ୍କୁଲ ୟୁନିଫର୍ମ ଯୋଗାଇ ଦିଆଯାଉଛି। ଓଡ଼ିଶା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜମି ଯୋଗାଇ ଦିଆଯାଇଛି। ୨୧୪ଟି ଆଦର୍ଶ ବିଦ୍ୟାଳୟ ଖୋଲାଯାଇଥିବା ବେଳେ ଆଉ ୩୬ଟି ଖୋଲାଯିବ।’’

‘‘ଫନିରେ କ୍ଷତିଗ୍ରସ୍ତ ପୁରୀ ସହର ପାଇଁ ବହୁ କାର୍ଯ୍ୟ କରାଯାଇଛି। ୫୭,୫୫୦ ଭୂମିହୀନଙ୍କୁ ଜାଗା ମିଶନରେ ଜମି ଦିଆଯାଇଛି। ପାନୀୟ ଜଳ ପାଇଁ ଜଳ ସାଥୀ ଓ ପରିମଳ ପାଇଁ ସ୍ଵଚ୍ଛସାଥୀ ଆରମ୍ଭ ହୋଇଛି।’’

ଆସନ୍ତା ବର୍ଷକୁ ପେପରଲେସ୍‌ ବଜେଟ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଅଭିଭାଷଣରେ ରାଜ୍ୟପାଳ କହିଥିଲେ।

ଅଧିବେଶନ ଆରମ୍ଭ ହେଉ ହେଉ ଆସନରୁ ଉଠି ପଳାଇଲେ କଂଗ୍ରେସ ସଦସ୍ୟ।

ଚଳିତବର୍ଷ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୮ ତାରିଖ ଦିନ ଚିଠା ବଜେଟ୍‌ ଆଗତ କରିବେ। ୨୦୧୯-୨୦ ଆର୍ଥିକ ବର୍ଷରେ ପୂର୍ଣ୍ଣାଙ୍ଗ ବଜେଟ ୧.୩୯ ଲକ୍ଷ କୋଟି ଟଙ୍କା ରହିଥିଲା। ୨୦୧୮-୧୯ ତୁଳନାରେ ଏହା ୧୫.୭ ପ୍ରତିଶତ ଅଧିକ ରହିଥିଲା।

Comment