ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡ଼ା ଡବଲ ମର୍ଡର ଘଟଣାର ନୂଆ ଖିଅ ଖୋଜୁଛି ଛତିଶଗଡ଼ ପୋଲିସ। ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ପାଇଁ ଛତିଶଗଡ଼ର ରାୟଗଡ଼ ପୋଲିସ ସବୁ ପ୍ରକାର ଉଦ୍ୟମ ଆରମ୍ଭ କରିଦେଇଛି। ହତ୍ୟାକାଣ୍ଡର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ଥିବା ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପୋଲିସ ଉଠାଇ ନେଇଛି।

ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ରାୟଗଡ଼ ପୋଲିସ ଗତ ଶୁକ୍ରବାର ରାତିରେ ଉଠାଇ ନେଇଥିଲା। କୌଣସି ଏକ ଅଜ୍ଞାତ ସ୍ଥାନରେ ବର୍ଦ୍ଧନଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି। ହେଲେ ବର୍ଦ୍ଧନ ନିର୍ଦ୍ଦୋଷ ବୋଲି ତାଙ୍କ ପରିବାର ଲୋକ କହିଛନ୍ତି।

୨୦୧୬ ମସିହାରେ ଝାରସୁଗୁଡ଼ା ସୀମାନ୍ତ ଛତିଶଗଡ଼ର ହମିରପୁର ଜଙ୍ଗଲରେ ଘଟିଥିଲା ଏହି ନୃଶଂସ ହତ୍ୟାକାଣ୍ଡ। ଅନୁପ ଲୁହା ରଡ୍‌ରେ କଳ୍ପନା ଏବଂ ତାଙ୍କ ଝିଅକୁ ପିଟିପିଟି ହତ୍ୟା କରିଥିଲେ। ଏହାସହ ପ୍ରମାଣ ନଷ୍ଟ ପାଇଁ ତାଙ୍କ ମୁହଁରେ ଗାଡ଼ି ଚଢ଼ାଇ ଦେଇଥିଲେ। ଏସବୁ ଘଟଣାର ମୂକ ସାକ୍ଷୀ ଥିଲେ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ। କାରଣ ଭୁବନେଶ୍ୱରରୁ ଯେଉଁ ବୋଲେରୋରେ ଅନୁପ, କଳ୍ପନା ଏବଂ ତାଙ୍କ ଝିଅ ଯାଇଥିଲେ ସେଥିରେ ବର୍ଦ୍ଧନ ହିଁ ଡ୍ରାଇଭର ଥିଲେ। ଏଣୁ ବର୍ଦ୍ଧନ ହିଁ ଏହି ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ତଥ୍ୟ ଦେଇପାରିବ।

ହତ୍ୟାକାଣ୍ଡରେ ଯେଉଁ ଲୁହା ରଡ୍‌ ଏବଂ ବୋଲେରୋ ବ୍ୟବହାର ହୋଇଥିଲା ତାହା କୁଆଡ଼େ ଗଲା ସେ ସମ୍ପର୍କରେ ବର୍ଦ୍ଧନ ପୋଲିସକୁ କହି ପାରିବ। ଏହାସହ ଏହି ହତ୍ୟାକାଣ୍ଡ ପଛରେ କେବଳ ଅନୁପ ନା ଆଉ କାହାର ହାତ ଅଛି ତାହା ମଧ୍ୟ ଡ୍ରାଇଭର ବର୍ଦ୍ଧନକୁ ପୋଲିସ ଜୋର କରିବ ବୋଲି କୁହାଯାଉଛି।

ଅନୁପଙ୍କ ସହିତ କଳ୍ପନା ୨୦୧୧ରୁ ୨୦୧୬ ଯାଏଁ ଭୁବନେଶ୍ୱରରେ ଏକାଠି ରହୁଥିଲେ। ତେବେ ସେ ଘରକୁ ଆଉ କିଏ ଯାଉଥିଲେ କି ନାହିଁ ଏବଂ କାହିଁକି ଏମିତି କାଣ୍ଡ ଘଟାଇବାକୁ ଅନୁପ ଯୋଜନା କଲେ ସେ ସମ୍ପର୍କରେ ବି ପୋଲିସ ବର୍ଦ୍ଧନଙ୍କୁ ପଚାରିବ। ବର୍ଦ୍ଧନ ଟପ୍ପୋଙ୍କୁ ଜେରା ପରେ ହିଁ ଅନୁପଙ୍କ ବିରୋଧରେ ପୋଲିସ ଚାର୍ଜସିଟ୍‌ ଦାଖଲ କରିବ ବୋଲି କୁହାଯାଉଛି। ଏପଟେ ଏହି ହତ୍ୟାକାଣ୍ଡ ପଛରେ ବର୍ଦ୍ଧନଙ୍କ ହାତ ଅଛି କି ନାହିଁ ତାହା ମଧ୍ୟ ଜଣାପଡ଼ିବ।

Comment