ଓଡ଼ିଶାଲାଇଭ୍ ବ୍ୟୁରୋ

ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ ମଧ୍ୟ ବିରୋଧୀଙ୍କ ବିରୋଧରେ ଶେଷ ହୋଇଛି।

ବିଧାନସଭାର ବଜେଟ୍ ଅଧିବେଶନରେ ବିରୋଧୀଙ୍କ ହୋ ହଲ୍ଲାରେ କମ୍ପୁଛି ଗୃହ। ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକଙ୍କ ଲଗାତାରା ବିରୋଧ ହେତୁ ଦୁଇ ଦିନ ହେଲାଣି ଗୃହ କାର୍ଯ୍ୟ ସୁରୁଖୁରରେ ହୋଇପାରୁନି। ବାଚସ୍ପତି ବାରମ୍ବାର ଗୃହକୁ ମୁଲତବୀ ଘୋଷଣା କରିବା ସହିତ ବିଧାୟକମାନଙ୍କୁ ବୁଝାଇବାରେ ବ୍ୟସ୍ତ ରହିଛନ୍ତି।

ଅଫିସର ଗ୍ୟାଲେରୀ ଫାଙ୍କା ପଡ଼ିବାକୁ ନେଇ ଉଠିଲା ପ୍ରଶ୍ନ

ଶୁକ୍ରବାର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଅଫିସର ଗ୍ୟାଲେରୀ ଖାଲିପଡ଼ିବା କଥାକୁ ନେଇ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ଏହି ପ୍ରସଙ୍ଗରେ ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲିଆସି ବିରୋଧ କରିବା ଆରମ୍ଭ କରିଦେଇଥିଲେ। ଯେଉଁଥିପାଇଁ ବାଚସ୍ପତି ରୁଲିଂ ଜାରି କରିବା ସହିତ ବିରୋଧ ସମୟର କୌଣସି ତଥ୍ୟ ଗଣମାଧ୍ୟମକୁ ଦିଆଯିବ ନାହିଁ ବୋଲି କହିଥିଲେ।ଏହି ଘଟଣାକୁ ନେଇ ଗୃହରେ ତୁମ୍ବିତୋଫାନ୍ ଆରମ୍ଭ କରିଦେଇଥିଲେ ବିରୋଧୀ। ତୁରନ୍ତ ବାଚସ୍ପତି ନିଜର ରୁଲିଂ ହଟାନ୍ତୁ ବୋଲି ବିଧାୟକମାନେ ଦାବି କରିଥିଲେ। ଶେଷରେ ପରିସ୍ଥିତି ଖରାପ ହେବା କାରଣରୁ ବାଚସ୍ପତି ଶନିବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ।

ଦ୍ୱିତୀୟ ଦିନରେ ବି ଠିକ୍ ସେ ଚାଲିପାରିଲାନି ଗୃହ

ଶନିବାର ଗୃହ ଆରମ୍ଭ ହେବା ପରେ ମଧ୍ୟ ସେଇ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ବିରୋଧୀମାନେ ଗୃହର ମଧ୍ୟ ଭାଗକୁ ଚାଲିଆସି ବାଚସ୍ପତିଙ୍କୁ ରୁଲିଂ ହଟାଇବାକୁ ଦାବି କରିଥିଲେ। ଏହାପରେ ବାଚସ୍ପତି ପ୍ରଥମେ ଦିନ ୩ଟା ଓ ଏହାପରେ ପରେ ୫.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଏଥିସହିତ ଆଗକୁ ଗୃହକାର୍ଯ୍ୟ ଠିକ୍ ସେ ଚାଲିବା ପାଇଁ ବାଚସ୍ପତି ଶନିବାର ପୁଣିଥରେ ସର୍ବଦଳୀୟ ବୈଠକ ଡକାଇଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ କହିବା କଥା, “ବିଧାନସଭା ଚାଲିବା ପାଇଁ ସ୍ୱତନ୍ତ୍ର ନିୟମ ରହିଛି। ବାଚସ୍ପତି ସେହି ନିୟମ ଅନୁସାରେ ଗୃହ ଚଲାନ୍ତୁ। ବିଧାୟକମାନଙ୍କ ଅଧିକାର ଅଛି ସେମାନେ ଗୃହରେ ପ୍ରଶ୍ନ ଉଠାଇପାରିବେ ଏବଂ ବିରୋଧ କରିବେ। ବାଚସ୍ପତି ଏହାକୁ ରୋକିବା ପାଇଁ ରୁଲିଂ ଜାରି କରିବା ଠିକ୍ ନୁହେଁ।”

ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ଯେ, ଗଣତନ୍ତ୍ରରେ ବିଧାୟକମାନେ ବିଧାନସଭାରେ ବିରୋଧ କରିବେନି ତ କେଉଁଠି କରିବେ। ବାଚସ୍ପତି ବିଧାୟକମାନଙ୍କ କଥା ଶୁଣିବା ଦରକାର। ବାଚସ୍ପତି ବିଧାୟକଙ୍କ କଥା ଶୁଣୁନଥିବାରୁ ସେମାନେ ବିରୋଧ କରୁଛନ୍ତି ବୋଲି ସେ କହିଛନ୍ତି।ଅନ୍ୟପଟେ ବାଚସ୍ପତି ଜାରି କରିଥିବା ରୁଲିଂ କେବଳ ପ୍ରଥମ ଦିନ ପାଇଁ ଥିଲା। ଦ୍ୱିତୀୟ ଦିନରେ ଗୃହରେ ବିଧାୟକମାନଙ୍କ ଉପରେ କୌଣସି ରୁଲିଂ ନଥିଲା। ଏହାସତ୍ତ୍ୱେ ମଧ୍ୟ ବିରୋଧୀମାନେ ଗୃହରେ ହୋ ହଲ୍ଲା କରୁଛନ୍ତି। ଯେଉଁ କାରଣରୁ ଗୃହ କାର୍ଯ୍ୟ ଠିକ୍ ସେ ହୋଇପାରୁନି ବୋଲି ଶାସକ ଦଳର ନେତାମାନେ କହୁଛନ୍ତି।

Comment