ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଖାରବେଳନଗରରେ ଖୋଲିଲା ଆହାର କେନ୍ଦ୍ର। ଗରିବ ଓ ଦିନ ମଜୁରିଆ ଶ୍ରେଣୀର ଲୋକମାନେ କିପରି ସୁବିଧାରେ ଖାଦ୍ୟ ପାଇପାରିବେ ସେହି ଲକ୍ଷ୍ୟରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି କେନ୍ଦ୍ର ସୋମବାର ଉଦ୍‌ଘାଟିତ ହୋଇଛି।

ଏହାକୁ ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଉଦ୍‌ଘାଟନ କରିଥିଲେ।

ସେହିପରି ଏହି ଆହାର କେନ୍ଦ୍ର ନିକଟରେ ନିର୍ମାଣ ଶ୍ରମିକଙ୍କ ପାଇଁ ସାମୟିକ ରହଣୀ ସ୍ଥଳ ‘ଆଶ୍ରୟ’ ଉଦ୍‌ଘାଟନ କରାଯାଇଛି। ଏହି ଆଶ୍ରୟସ୍ଥଳରେ ୧୦୦ଟି ଶଯ୍ୟା ରହିଛି। ପୂର୍ବରୁ ଭୁବନେଶ୍ୱରରେ ୭ଟି ଆଶ୍ରୟସ୍ଥଳ ଖୋଲା ଯାଇଥିଲା। ଏସବୁ ଆଶ୍ରୟସ୍ଥଳ ୪୦ ଶଯ୍ୟା ବିଶିଷ୍ଟ ରହିଥିଲା।

‘‘ସ୍ମାର୍ଟସିଟି ଭୁବନେଶ୍ୱର ସାରା ଦେଶରେ ୧ ନମ୍ବର ମାନ୍ୟତା ପାଇଛି। ଏଣୁ ଭୁବନେଶ୍ୱରରେ ଯେଉଁମାନେ ମୁକ୍ତାକାଶ ତଳେ ରାତିରେ ରହୁଛନ୍ତି ସେମାନଙ୍କ ସୁବିଧା ପାଇଁ ଏହି ଆଶ୍ରୟସ୍ଥଳ ଖୋଲା ଯାଇଛି। ପୂର୍ବରୁ ୭ଟି କେନ୍ଦ୍ର ରହିଥିଲା। ଅଷ୍ଟମ ଆଶ୍ରୟସ୍ଥଳରେ ୧୦୦ଟି ଶଯ୍ୟା ରହିଛି। ଏଠାରେ ଯେଉଁମାନେ ରହିବେ ସେମାନେ ଆହାରକେନ୍ଦ୍ରରେ ମାଗଣାରେ ଖାଇ ପାରିବେ’’, କହିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା।

‘‘ବିଏମ୍‌ସି ତରଫରୁ ଭଲ ପଦକ୍ଷେପ ନିଆଯାଇଛି। ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଆହାରକେନ୍ଦ୍ର ସାଙ୍ଗକୁ ରାତି ଆଶ୍ରୟସ୍ଥଳ ଉଦ୍‌ଘାଟିତ ହୋଇଛି। ଲୋକମାନେ ଏହାଦ୍ୱାରା ବେଶୀ ଉପକୃତ ହେବେ’’, କହିଛନ୍ତି ବିଧାୟକ ସୁଶାନ୍ତ ରାଉତ।

Comment