ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

  • ୮ ବିଧାୟକ ହେଲେ ସଭାପତି
  • ୩ ମନ୍ତ୍ରୀଙ୍କୁ ବି ସଭାପତି ଦାୟିତ୍ଵ
  • ମୟୂରଭଞ୍ଜ ସଦର ନାଁରେ ନୂଆ ସାଙ୍ଗଠନିକ ଜିଲ୍ଲା
  • ଅନନ୍ତ ଜେନା ହେଲେ ଭୁବନେଶ୍ୱର ଜିଲ୍ଲା ସଭାପତି

ବହୁ ତର୍ଜମା ଏବଂ କସରତ୍‌ ପରେ ବିଜେଡି ଜିଲ୍ଲା ସଭାପତି ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୧୯ ନୂଆ ମୁହଁକୁ ସଭାପତି କରାଯାଇଛି। ପ୍ରଥମ ଥର ପାଇଁ ବିଜେଡି ସାଙ୍ଗଠନିକ ଜିଲ୍ଲା ସଂଖ୍ୟା ବୃଦ୍ଧି କରିଛି। ମୟୂରଭଞ୍ଜ ଜିଲ୍ଲାକୁ ଭାଙ୍ଗି ମୟୂରଭଞ୍ଜ ସଦର ନାଁରେ ନୂଆ ସାଙ୍ଗଠନିକ ଜିଲ୍ଲା ଗଠନ କରିଛି। ଫଳରେ ବିଜେଡିର ସାଙ୍ଗଠନିକ ଜିଲ୍ଲା ସଂଖ୍ୟା ୩୨ରୁ ୩୩କୁ ବୃଦ୍ଧି ପାଇଛି।

ଏହି ତାଲିକାରେ କିଛି ବରିଷ୍ଠ ନେତା ସଭାପତି ପଦରୁ ବାଦ୍‌ ପଡ଼ିଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ପ୍ରଦୀପ ପାଣିଗ୍ରାହୀ, କଳିକେଶନାରାୟଣ ସିଂହଦେଓ, ଲାଲବିହାରୀ ହିମିରିକା, ମଙ୍ଗଳା କିଷାନ୍‌। ଏଥର ୮ ଜଣ ବିଧାୟକଙ୍କୁ ସଭାପତି ଦାୟିତ୍ୱ ମିଳିଛି।

ବିଧାୟକ ବିଜୟ ରଞ୍ଜନ ସିଂହ ବରିହା, ଅନନ୍ତ ନାରାୟଣ ଜେନା, କିଶୋର ମହାନ୍ତି, ମହିଧର ରଣା, ପ୍ରଶାନ୍ତ ମୁଦୁଲି, ପୂର୍ଣ୍ଣ ଚନ୍ଦ୍ର ବାକା, ରମେଶ ବେହେରା, ସାରଦା ପ୍ରଧାନଙ୍କୁ ସଭାପତି କରାଯାଇଛି। ସେହିପରି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝିଙ୍କୁ ବି ଦଳ ସଙ୍ଗଠନ ଦାୟିତ୍ୱ ଦେଇଛି।

ସେହିପରି ତିନି ମନ୍ତ୍ରୀ ଟୁକୁନି ସାହୁ, ପ୍ରଫୁଲ୍ଲ ମଲ୍ଲିକ, ସୁଦାମ ମାର୍ଣ୍ଡିଙ୍କୁ ବି ସଭାପତି ଦାୟିତ୍ୱ ମିଳିଛି। ରାଜ୍ୟସଭା ରେସ୍‌ରେ ଥିବା ମହେଶ୍ୱର ମହାନ୍ତି, ରବୀନ୍ଦ୍ର ଜେନା, ଦେବାଶିଷ ସାମନ୍ତରାୟ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏବଂ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ବି ସଭାପତି କରିଛି ବିଜେଡି।

‘‘ସାଢ଼େ ୪ କୋଟି ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କର୍ମ ଦକ୍ଷତା ଉପରେ ଭରସା ରଖିଛନ୍ତି। ଓଡ଼ିଶାକୁ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ ଜାରି ରଖିଛନ୍ତି। ମତେ ଯେଉଁ ଦାୟିତ୍ଵ ଦିଆଯାଇଛି ତାହାକୁ ମୁଁ ଠିକ୍‌ ଭାବେ ତୁଲାଇବା ପାଇଁ ଉଦ୍ୟମ କରିବି। ଭୁବନେଶ୍ୱରରେ ଅନେକଗୁଡ଼ିଏ ପ୍ରକଳ୍ପ ନିର୍ମାଣ ହୋଇଛି। ଲୋକଙ୍କ ପାଇଁ ବହୁତ କିଛି କାର୍ଯ୍ୟକ୍ରମ କରାଯାଇଛି। ଏହା କେମିତି ଲୋକଙ୍କ ପାଖରେ ପହଞ୍ଚି ପାରିବ ସେନେଇ ଫୋକସ୍‌ ଦିଆଯିବ ଏବଂ ସଙ୍ଗଠନ ମଜବୁତ କରାଯିବ’’, କହିଛନ୍ତି ଅନନ୍ତ ନାରାୟଣ ଜେନା।

ଅନୁଗୁଳ, ଭୁବନେଶ୍ଵର, ବଲାଙ୍ଗିର, ଦେବଗଡ଼ ଭଳି ୧୯ ଜିଲ୍ଲାରେ ନୂଆ ଚେହେରାଙ୍କୁ ସଭାପତି ଦାୟିତ୍ଵ ମିଳିଥିବା ବେଳେ ବାଲେଶ୍ୱର, କଟକ, ପୁରୀ, କଳାହାଣ୍ଡି ଭଳି ଜିଲ୍ଲାରେ ସଭାପତିଙ୍କୁ ପରିବର୍ତ୍ତନ କରାଯାଇ ନାହିଁ।

ବିଜେଡିରେ ଏବେ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଚାଲିଛି। ଆସନ୍ତା ୨୩ରେ ରାଜ୍ୟ ସଭାପତି ପଦ ପାଇଁ ନବୀନ ପ୍ରାର୍ଥିପତ୍ର ଦାଖଲ କରିବେ। ଏହାପରେ ରାଜ୍ୟ ପରିଷଦ ସଦସ୍ୟ, ରାଜ୍ୟ କାର୍ଯ୍ୟକାରିଣୀ, ଦଳର ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ଛାତ୍ର, ଯୁବ ଓ ମହିଳା ସଙ୍ଗଠନ ସଭାପତିଙ୍କ ନାଁ ଘୋଷଣା କରାଯିବ।

Comment