ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାଦେବଙ୍କ ସବୁଠୁ ବଡ଼ ପର୍ବ ମହାଶିବରାତ୍ରୀ। ଏହି ପବିତ୍ର ଦିନରେ ହୁଏ ଭକ୍ତ ଆଉ ଭଗବାନଙ୍କ ମିଳନ। ଶିବଙ୍କ ଆରାଧନା ପାଇଁ ନିର୍ଜଳ ଉପବାସ କରନ୍ତି ଭକ୍ତ। ହଜାର ହଜାର ଭକ୍ତ ଅପେକ୍ଷା କରି ଚାହିଁ ରହିଥାନ୍ତି ସେହି ସମୟକୁ ଯେଉଁ ସମୟରେ ମହାଦୀପ ଉଠେ। ତେବେ କେବେ ଭାବିଛନ୍ତି ଯେଉଁ ସେବାୟତ ମନ୍ଦିରରେ ମହାଦୀପ ଉଠାଇଥାନ୍ତି ସେମାନଙ୍କର କ’ଣ ଅନୁଭୂତି ଥାଏ?

ଏହି ଅନୁଭୂତି ଜାଣିବା ପାଇଁ ସେମତି ଜଣେ ସେବାୟତଙ୍କୁ ଭେଟିଥିଲା ଓଡ଼ିଶାଲାଇଭ୍‌ ଟିମ୍‌, ଯିଏ ପ୍ରତିବର୍ଷ ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠାଉଛନ୍ତି।

‘‘ମହାଦୀପ ଉଠିବା ପୂର୍ବରୁ ମନ୍ଦିର ବେଢ଼ାରେ ଆଳତୀ ହୁଏ। ବେଢ଼ା ପରିକ୍ରମା ପରେ ମହାଦୀପକୁ ଉପରକୁ ନେଉ। ଏଥିପାଇଁ ପୂରା ନିଷ୍ଠାରେ ନିର୍ଜଳ ଉପବାସ ରହୁ। କଷ୍ଟ ହୁଏ ହେଲେ ମହାଦେବଙ୍କ ମହାଦୀପ ଉଠାଇବାରେ ମହାଆନନ୍ଦ ମିଳେ। ଲାଗେ ପ୍ରଭୁ ପାଖରେ ଅଛନ୍ତି। ୨୦ ବର୍ଷ ହେଲା ମୁଁ ମହାଦୀପ ଉଠାଇ ଆସୁଛି’’ କହିଛନ୍ତି ଲିଙ୍ଗରାଜ ମନ୍ଦିର ସେବାୟତ ଯୋଗେନ୍ଦ୍ର ସମର୍ଥା।

ସେବାୟତ ଯୋଗେନ୍ଦ୍ର ସମର୍ଥାଙ୍କ କହିବା ଅନୁସାରେ ଲିଙ୍ଗରାଜ ମନ୍ଦିରରେ ବର୍ଷକୁ ୨୪ ଥର ମହାଦୀପ ଉଠେ। ତା’ ମଧ୍ୟରୁ ମହାଶିବରାତ୍ରୀ ସବଠୁ ଗୁରୁତ୍ୱପୂର୍ଣ୍ଣ। ୧୮୦ ଫୁଟ୍‌ ମନ୍ଦିର ଚଢ଼ିବା ବହୁତ କଷ୍ଟ, ହେଲେ ନିଷ୍ଠା ଥିଲେ ସବୁ ଅସମ୍ଭବ ବି ସମ୍ଭବ।

LEAVE A REPLY

Please enter your comment!
Please enter your name here