ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ପାହିଲେ ମହାଶିବରାତ୍ରୀ। ଏଥିପାଇଁ ମନ୍ଦିର ପୂଜକଙ୍କଠାରୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଜାଗର ପାଇଁ ମନ୍ଦିରଗୁଡ଼ିକରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ଥର କୋଭିଡ କଟକଣା ମଧ୍ୟରେ ମହାଦେବଙ୍କ ଦର୍ଶନ କରିବାକୁ ଅନୁମତି ରହିଛି। ଅନ୍ୟ ପକ୍ଷରେ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମହାଶିବରାତ୍ରୀ ଅବସରରେ ମନ୍ଦିରଗୁଡ଼ିକରେ ଭିଡ଼ ନିୟନ୍ତ୍ରଣ ଏବଂ ଟ୍ରାଫି ସମସ୍ୟା ଦୂର କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ପୋଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ରାଜ୍ୟରେ କୋଭିଡ ସଂକ୍ରମଣ କମିଥିଲେ ମଧ୍ୟ ଭକ୍ତଙ୍କୁ କଟକଣା ମଧ୍ୟରେ ଦୂରରୁ ଠାକୁର ଦର୍ଶନ କରିବାକୁ ନିର୍ଦ୍ଦେଶ ରହିଛି। ରାଜଧାନୀର ସମସ୍ତ ମନ୍ଦିରରେ କୋଭିଡ ନିୟମ ପାଳନ କରିବାକୁ ଉଭୟ ସେବାୟତ ଏବଂ ଭକ୍ତଙ୍କୁ ପରାମର୍ଶ ଦିଆଯାଇଛି। ଚଳିତ ଥର ଲିଙ୍ଗରାଜ ମନ୍ଦିରରେ ଜାଗର ଦିନ ଆଡ଼କାଠ ପାଖରୁ ହିଁ ଲିଙ୍ଗରାଜଙ୍କ ଦର୍ଶନ କରିବାକୁ ଭକ୍ତଙ୍କୁ ଅନୁମତି ରହିଛି।

ଲିଙ୍ଗରାଜ ମନ୍ଦିରରେ ଦିନ ୩ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଅବକାଶ ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ୩ଟା ୩୦ରୁ ୫ଟା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ସେବାୟତ ଏବଂ ସେମାନଙ୍କ ପରିବାର ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ। ସନ୍ଧ୍ୟା ୫ଟାରୁ ସାଧାରଣ ଭକ୍ତଙ୍କୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଅନୁମତି ରହିଛି। ରାତି ୧୦ଟାରେ ଲିଙ୍ଗିରାଜ ମନ୍ଦିରରେ ମହାଦୀପ ଉଠିବ। ସୁରକ୍ଷା ଦୃଷ୍ଟିରୁ ରାଜଧାନୀରେ ଡିସିପିଙ୍କ ତତ୍ତ୍ଵାବଧାନରେ ୬ ଜଣ ଅତିରିକ୍ତ ଡିସିପି, ୧୨ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର ଏବଂ ୮୫ ଅଫିସରଙ୍କ ସହ ପ୍ରାୟ ୨୭ ପ୍ଲାଟୁନ ଫୋଲିସ ଫୋର୍ସ ମୁତୟନ ହେବେ।

ସାହାଣମେଲା ଦର୍ଶନ ଓ ଗର୍ଭଗୃହ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦିଆଯାଇ ନାହିଁ। ମନ୍ଦିର ଆସିବା ସମୟରେ ସାମାଜିକ ଦୂରତା ସହ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ବୟସ୍କ ବ୍ୟକ୍ତି, ଗର୍ଭବତୀ ଏବଂ ଶିଶୁମାନଙ୍କୁ ଜଗର ଦିନ ମନ୍ଦିର ନଆସିବାକୁ ଭୁବନେଶ୍ଵର ମହାନଗର ନିଗମ(ବିଏମସି) ପକ୍ଷରୁ ପରାମର୍ଶ ଦିଆଯାଇଛି।

ମହାଶିବରାତ୍ରୀ ଜାଗର ଲାଗି ସ୍ୱତନ୍ତ୍ର ରିଲିଫ କମିଶନର ଗାଇଡଲାଇନ୍ ଜାରି କରିଛନ୍ତି। ମନ୍ଦିର, ମେଳା ଓ ଉତ୍ସବରେ ଏକାଠି ସମୟରେ କୋଭିଡ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମହାଶିବରାତ୍ରୀ ଅବସରରେ ରାଜ୍ୟର ବିଭିନ୍ନ ମନ୍ଦିର, ଧର୍ମାନୁଷ୍ଠାନରେ ପୂଜା ଲାଗି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହେବାର ସମ୍ଭାବନା ରହିଥିବାରୁ ଏଥିପ୍ରତି ଦୃଷ୍ଟି ରଖିବାକୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳ, ବିଏମସି କମିଶନର ଏବଂ ପୋଲିସ କମିଶନର ମନ୍ଦିରରେ ଭିଡ଼ିକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ଗତବର୍ଷ ମଧ୍ୟ ମହାଶିବରାତ୍ରୀରେ ଭକ୍ତମାନଙ୍କୁ ଏକାଠି ଦୀପ ଜାଳିବାକୁ ବାରଣ କରାଯାଇଥିଲା।

Comment