ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଓଡ଼ିଶାରେ ପଛୁଆ ବର୍ଗ କମିସନ୍‌ ବସାଇବା ନେଇ ବିଜୁ ଜନତା ଦଳ ଯେଉଁଭଳି ତରବରିଆ ଭାବରେ ନିଷ୍ପତ୍ତି ନେଲେ ଓ ବିଧାନସଭାରେ ଏ ସଂକ୍ରାନ୍ତରେ ବିଲ ଗୃହୀତ କରାଇନେଲେ ତାହା ବିରୋଧୀ ଦଳକୁ ପୂରା ଆଶ୍ଚର୍ଯ୍ୟ କରିଛି। ଏହି କମିସନ୍‌ର ଉଦ୍ଦେଶ୍ୟ ହେଉଛି ପଛୁଆ ବର୍ଗ ଲୋକଙ୍କ ଆର୍ଥିକ ଓ ସାମାଜିକ ଅବସ୍ଥାର ସର୍ଭେ କରିବା।

କମିସନ୍‌ ପ୍ରତିଷ୍ଠାର ଲକ୍ଷ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ କହିଥିଲେ ଯେ ରାଜ୍ୟରେ କେତେ ପଛୁଆ ଲୋକ ଅଛନ୍ତି ତାହା ଜାଣିବା ଦରକାର। କିନ୍ତୁ ଦୁର୍ଭାଗ୍ୟବଶତଃ ଆମ ରାଜ୍ୟରେ ସେହି ତଥ୍ୟ ନାହିଁ। ଯାହାବି ଅଛି ୧୯୩୧ର ତଥ୍ୟ ଯାହାକି ୯୦ ବର୍ଷ ପୁରୁଣା। ପ୍ରକୃତ ତଥ୍ୟ ନଥିଲେ ସେମାନଙ୍କ ଉନ୍ନତି ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିବା ସମ୍ଭବ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ନବୀନଙ୍କ ଏହି ପଛୁଆ ବର୍ଗ ଖେଳରେ ବିରୋଧୀ ଦଳର ନେତାମାନେ ଏକା ମାଡ଼କେ ଘାଇଲା ହେଲେ ଏଥିରେ ଦ୍ୱିମତ ନାହିଁ।

ଉତ୍ତର ଭାରତର ରାଜ୍ୟ ଯଥା ବିହାର ଉତ୍ତର ପ୍ରଦେଶ ଓ ଦକ୍ଷିଣ ଭାରତର ରାଜ୍ୟ କର୍ଣ୍ଣାଟକ ଭଳି ଓଡ଼ିଶାରେ ଜାତିଆଣ ଭାବ କେବେ ବି ରାଜନୀତିରେ ଦେଖାଯାଇ ନାହିଁ। ଯଦିଓ ଅନ୍ୟ ପଛୁଆ ବର୍ଗ ବା ଓବିସି ଲୋକେ ମୋଟ ଜନସଂଖ୍ୟାର ୫୪ ପ୍ରତିଶତ, ସେମାନେ କେବେ ବି ଜାତି ଭିତ୍ତିରେ ଭୋଟ ଦେଇନାହାନ୍ତି। ଠିକ୍‌ ସେହିଭଳି ଅନୁସୂଚିତ ଜାତି ଓ ଜନଜାତି ବର୍ଗ ଯେଉଁମାନେ ଜଂସଂଖ୍ୟାର ଯଥାକ୍ରମେ ୨୪ ଓ ୧୭ ପ୍ରତିଶତ ସେମାନେ ବି ଜାତି ବା ସମ୍ପ୍ରଦାୟ ଭିତ୍ତିରେ ଭୋଟ ଦେଇନାହାନ୍ତି। ଅବଶ୍ୟ ଏହା ସତ୍ୟ ଯେ ଏସ୍‌ସି ଓ ଏସ୍‌ଟିମାନେ ବିଜୁ ଜନତା ଦଳ ସରକାରକ ପ୍ରାୟତଃ ଭୋଟ୍‌ ଦେଇ ଆସିଛନ୍ତି ଯାହାର କାରଣ ସେମାନଙ୍କ ପାଇଁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ।

ଏ ତ ଗଲା ଜାତିଭିତ୍ତିକ ଭୋଟ କଥା। ବିଜେଡି ଗତ ୨୦ ବର୍ଷ ଧରି ଯଦି ଓଡ଼ିଶାରେ ତା’ର ଦବଦବା ବଜାୟ ରଖି ଆସିଛି ତାହାର ଅନ୍ୟ ଏକ କାରଣ ମହିଳା ଭୋଟ୍‌। ବିଜେଡିର ଯେ ଏକ ମଜବୁତ ମହିଳା ଭୋଟ୍‌ ବ୍ୟାଙ୍କ ରହିଛି ଏଥିରେ ଦ୍ୱିମତ ନାହିଁ। ମିସନ୍‌ ଶକ୍ତି ଭଳି ସଂଗଠନ ଜରିଆରେ ନବୀନ ପଟ୍ଟନାୟକଙ୍କ ସରକାର ମହିଳାମାନଙ୍କୁ ନିଜ ଅକ୍ତିଆରରେ ରଖିପାରିଛନ୍ତି। ବସ୍ତୁତଃ, ୨୦୧୯ ବିଧାନସଭା ନିର୍ବାଚନରେ ମହିଳା ଭୋଟ ହିଁ ବିଜେଡିକୁ ଜିତିବାରେ ସାହାଯ୍ୟ କରିଥିଲା।

ସୁତରାଂ ପ୍ରଶ୍ନ ଉଠେ ହଠାତ୍‌ ନବୀନ ଏହି ଜାତି କାର୍ଡ କାହିଁକି ଖେଳିଲେ? ରାଜନୈତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ ଯଦିଓ ବିଜେଡି ପାଇଁ ବିଜେପି ଏଇକ୍ଷଣି ଏତେ ବଡ଼ ବିପଦ ନୁହେଁ, ତଥାପି ନବୀନ ଚାହିଁଲେନି କିଛି କୋଉଠି ଅସୁବିଧା ରହୁ ଯାହାକି ବିରୋଧୀ ଦଳକୁ ସୁଯୋଗ ଦେବ।

ଦିନେ ନା ଦିନେ ବିଜେପି ବିଜେଡି ପାଇଁ ଅସୁବିଧା ସୃଷ୍ଟି କରିବ ସେ କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲ ଭାବେ ଜାଣନ୍ତି ଏବଂ ଏହାର ପ୍ରମାଣ ହେଉଛି ଗତ ମାସରେ ଜାତୀୟ ପଛୁଆ ବର୍ଗ କମିସନର ଅଧ୍ୟକ୍ଷ ଭଗବାନ ଲାଲ ସାହାଣୀ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ବିଜେଡି ସରକାରଙ୍କୁ ଯେଉଁଭଳି ଧୁଲେଇ କଲେ। ୧୯୮୩ରୁ ପଛୁଆ ବର୍ଗ ବିଲ ପାସ ହୋଇଥିଲେ ହେଁ ଏ ପର୍ଯ୍ୟନ୍ତ କମିସନ ବସା ଯାଇନାହିଁ ବୋଲି ସାହାଣୀ ସରକାରଙ୍କୁ ସମାଲୋଚନା କରିଥିଲେ।

ବିଜେପି ଆଡୁ ବିପଦର ଆଶଙ୍କା ଥିବାରୁ ନବୀନ ଆଗୁଆ ପଦକ୍ଷେପ ନେଇ କମିସନ ବସାଇ ଦେଲେ ଏଭଳି ଏକ ଆଲୋଚନା ଏବେ ଜୋର ଧରିଛି।

Comment