ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମୋଦୀ ସରକାରରେ ମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଫେବ୍ରୁଆରି ୨୮ରେ ଓଡ଼ିଶା ଆସୁଛନ୍ତି ଅମିତ ଶାହ।

(ଭୁବନେଶ୍ୱରରୁ ସରୋଜ ମହାପାତ୍ର): ଫେବ୍ରୁଆରି ୨୮ରେ ଭୁବନେଶ୍ୱରରେ କ’ଣ କହିବେ ଅମିତ ଶାହ? ନବୀନ ସରକାରଙ୍କ ଉପରେ ଏଥର ବର୍ଷିବେ ନା ନରମିବେ? ବିଜେପି କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିବା ପାଇଁ କି ମନ୍ତ୍ର ଫୁଙ୍କିବେ? ଏସବୁ ପ୍ରଶ୍ନ ଏବେ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ରାଜନୀତି ସହ ଜଡ଼ିତ ଥିବା ଲୋକଙ୍କ ମନରେ ଉଙ୍କି ମାରୁଛି।

ଅମିତ ଶାହ ଫେବ୍ରୁଆରି ୨୮ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ହେବା ପରେ ଏହା ହେଉଛି ଶାହଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଗୃହ ମନ୍ତ୍ରୀ ହେବା ପରେ ଶାହ ବିଭିନ୍ନ ରାଜ୍ୟ ଗସ୍ତରେ ଯାଇଛନ୍ତି। ହେଲେ ଓଡ଼ିଶା ଆସି ନଥିଲେ। ମନ୍ତ୍ରୀ ହେବା ପୂର୍ବରୁ ଯେତେବେଳେ ରାଷ୍ଟ୍ରୀୟ ସଭାପତି ଥିଲେ ସେତେବେଳେ ସେ ଅନେକ ଥର ଓଡ଼ିଶାର ବିଭିନ୍ନ ସ୍ଥାନକୁ ଆସି ରାଲି କରିଥିଲେ। ଯେଉଁଠି ସମାବେଶ କରୁଥିଲେ ସେଠି ସେ ସିଧାସଳଖ ନବୀନ ସରକାର ଉପରେ ବର୍ଷୁଥିଲେ।

ଏବେ ଗୃହମନ୍ତ୍ରୀ ଭାବେ ଶାହ ଓଡ଼ିଶା ଆସୁଛନ୍ତି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ନାଗରିକତା ସଂଶୋଧନ ଆଇନ (ସିଏଏ) ସଚେତନତା ରାଲିରେ ଉଦବୋଧନ ଦେବେ। ଏହି ସମାବେଶରେ ଶାହ କଂଗ୍ରେସ ଉପରେ ବର୍ଷିବା ନିଶ୍ଚିତ। କାରଣ କଂଗ୍ରେସ ଏହି ଆଇନକୁ ବିରୋଧ କରି ଆସୁଛି। ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏହି ସମାବେଶ ହେଉଥିବାରୁ ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କ ପ୍ରତି ତାଙ୍କର କ’ଣ ଆଭିମୁଖ୍ୟ ରହିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ନାଗରିକତା ସଂଶୋଧନ ବିଲ୍‌ ଯେତେବେଳେ ସଂସଦରେ ଉପସ୍ଥାପନ ହେଲା ସେତେବେଳେ ଏହାକୁ ବିଜେଡି ସମର୍ଥନ ଦେଇଥିଲା। ହେଲେ ଏନ୍‌ଆର୍‌ସିକୁ ବିରୋଧ କରିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସିଏଏ ଏବଂ ଏନ୍‌ଆର୍‌ସିକୁ ନେଇ ସ୍ପଷ୍ଟୀକରଣ ଦେଇଥିଲେ। ଆମେ ସିଏଏକୁ ସମର୍ଥନ କରୁଛୁ ଏବଂ ଏନ୍‌ଆର୍‌ସି ଓଡ଼ିଶାରେ ଲାଗୁ ହେବନି ବୋଲି ନବୀନ କହିଥିଲେ। ଏବେ ଶାହ ନବୀନଙ୍କ ପ୍ରତି କି ଆଭିମୁଖ୍ୟ ପୋଷଣ କରୁଛନ୍ତି ତା’ ଉପରେ ନଜର ରହିଛି।

ଗତ ୨୦୧୭ ମସିହାରେ ଅମିତ ଶାହ ଦୁଇ ଦିନିଆ ଭୁବନେଶ୍ୱର ଗସ୍ତରେ ଆସିଥିଲେ। ଭୁବନେଶ୍ୱର ଜନତା ମଇଦାନରେ ଦଳର କର୍ମୀଙ୍କୁ ଉଦ୍‌ବୋଧନ ଦେଇଥିଲେ। କର୍ମୀଙ୍କୁ ମିଶନ-୧୨୦ ପାଠ ପଢ଼ାଇବା ସହ ନବୀନଙ୍କୁ ‘ପୋଡ଼ା ଟ୍ରାନ୍ସଫର’ କହି ସମାଲୋଚନା କରିଥିଲେ। ଶାହଙ୍କର ଏହି କଡ଼ା ମନ୍ତବ୍ୟ ରାଜ୍ୟ ରାଜନୀତିକୁ ହଲ୍‌ଚଲ୍‌ କରିଥିଲା। ଏହା ପରଠୁ ନିର୍ବାଚନ ପର୍ଯ୍ୟନ୍ତ ଶାହ ଯେତେଥର ଓଡ଼ିଶା ଆସିଛନ୍ତି ସେତେଥର ନବୀନ ସରକାରଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି।

ନିର୍ବାଚନ ପରେ ବିଜେପି-ବିଜେଡି ସମ୍ପର୍କ ବଦଳିଛି। ନିର୍ବାଚନ ପୂର୍ବରୁ ବିଜେପିର କେନ୍ଦ୍ର ନେତାମାନେ ଯେମିତି ବିଜେଡି ବିରୋଧରେ ସ୍ୱର ଶାଣିତ କରୁଥିଲେ ତାହା ନିର୍ବାଚନ ପରେ ନରମି ଯାଇଥିଲା। କାରଣ ବିଜେପି ନେତାମାନେ ଆଶା ରଖିଥିଲେ ଯେ ନରେନ୍ଦ୍ର ମୋଦୀଙ୍କ ହାୱାରେ ଓଡ଼ିଶାରେ ସରକାର ବଦଳିଯିବ। ବିଜେପି ୧୨୦ରୁ ଅଧିକ ଆସନ ପାଇଁ ସରକାର ଗଠନ କରିବ। ଏଥିପାଇଁ ଶାହ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। କିନ୍ତୁ ତାହା ସଫଳ ହେଲାନି। ଶାହଙ୍କ ମିଶନ-୧୨୦ ଗଣିତ ଅଧାରେ ରହିଗଲା। ଓଡ଼ିଶାରେ ପୁଣି ଥରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ଗଠନ କରିଥିଲା। ଦଳକୁ ଆଗକୁ ନେବା ପାଇଁ ଏବଂ ମିଶନ-୧୨୦ ଗଣିତକୁ ସଫଳ କରିବା ପାଇଁ ଶାହ ଆଉ କିଛି ନୂଆ ମନ୍ତ୍ର ଦେବେ କି ବୋଲି ଚର୍ଚ୍ଚା ଚାଲିଛି।

ସବୁଠୁ ବଡ଼ କଥା ହେଉଛି ନିର୍ବାଚନ ପରଠୁ ଓଡ଼ିଶାର ତୃଣମୂଳ ସ୍ତରର ବିଜେପି କର୍ମୀମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। କେନ୍ଦ୍ର ସରକାର ସଂସଦରେ ଆଣୁଥିବା ସବୁ ବିଲ୍‌କୁ ବିଜେଡି ସମର୍ଥନ ଦେଉଥିବାରୁ ଏବଂ କେନ୍ଦ୍ର ନେତାଙ୍କ ସ୍ୱର ବିଜେଡି ବିରୋଧରେ ନରମ ହୋଇଥିବାରୁ ତୃଣମୂଳ ସ୍ତରର କର୍ମୀଙ୍କ ମନରେ ଭାଳେଣି ପଡ଼ିଛି। ସେମାନେ ବିଜେଡି ବିରୋଧରେ ଯିବେ ନା ଚୁପ୍‌ଚାପ ରହିବେ ତାକୁ ନେଇ ସେମାନେ ଆଶଙ୍କାରେ ରହିଛନ୍ତି। ଏଣୁ ଶାହ ଫେବ୍ରୁଆରି ୨୮ରେ ଏହି ଦ୍ୱନ୍ଦ୍ୱ ଦୂର ପାଇଁ କ’ଣ କରୁଛନ୍ତି ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି।

ଇତି ମଧ୍ୟରେ ଉଭୟ ଓଡ଼ିଶା ଏବଂ ଦିଲ୍ଲୀରେ ବିଜେପି ସଭାପତି ବଦଳିଛନ୍ତି। ଓଡ଼ିଶା ବିଜେପିର ମଙ୍ଗ ସମୀର ମହାନ୍ତି ଧରିଥିବା ବେଳେ କେନ୍ଦ୍ରରେ ବିଜେପି ମଙ୍ଗ ଜେ ପି ନଡ୍ଡା ଧରିଛନ୍ତି। ଶାହ ଏବେ ସାଙ୍ଗଠନିକ ଦାୟିତ୍ୱରେ ନାହାନ୍ତି। ସେ ମୋଦୀ ସରକାରରେ କେନ୍ଦ୍ର ମନ୍ତ୍ରୀ। ଏଣୁ ବିଜେପି ସଙ୍ଗଠନ ସଜାଡ଼ିବା ଉପରେ ଶାହ କମ୍‌ ମନ୍ତବ୍ୟ ଦେଇ ପାରନ୍ତି ବୋଲି କୁହାଯାଉଛି। ହେଲେ ସିଏଏ ଏବଂ ଏନ୍‌ଆର୍‌ସିକୁ ନେଇ ଶାହ ନବୀନ ସରକାରଙ୍କ ପ୍ରତି ନରମ ନା କଠୋର ହେଉଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଫେବ୍ରୁଆରି ୨୮ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ନାଗରିକତା ସଂଶୋଧନ ଆଇନ (ସିଏଏ) ସଚେତନତା ରାଲିରେ ସେ ଉଦ୍‌ବୋଧନ ଦେବେ। ୨୯ରେ ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି।

Comment