ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଙ୍ଗଳବାର କୋରାପୁଟ ଦାମନଯୋଡ଼ି ନାଲ୍‌କୋର କ୍ରସର ଏବଂ କନ୍‌ଭେୟରର ସିଷ୍ଟମ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରଣାଳି ଦ୍ୱାରା କମ୍ପାନୀର ଆଲୁମିନା ବିଶୋଧନର ପଞ୍ଚମ ସ୍ରୋତ ପାଇଁ ବକ୍ସାଇଟ୍ ଯୋଗାଣ ବୃଦ୍ଧି ହୋଇପାରିବ। ଏହି ପ୍ରକଳ୍ପଟି ଏପ୍ରିଲ ୨୦୨୨ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଓ ଏଥିପାଇଁ ପ୍ରକଳ୍ପ ମୂଲ୍ୟ ୪୮୩ କୋଟି ରହିଛି।

ଏନେଇ ପ୍ରହ୍ଲାଦ ଯୋଶୀ କହିଛନ୍ତି, “ଆଗାମୀ ୨୦୨୪ ସୁଦ୍ଧା ଦେଶରେ ୫ ଟ୍ରିଲିଅନ ଡଲାର ଆର୍ଥିକ ସ୍ଥିତି ବଜାୟ ରଖିବାକୁ ଆମେ ଲକ୍ଷ୍ୟ ରଖିଛୁ। ଏଥିରେ ମୁଁ ନିଶ୍ଚିତ ଯେ ଏହି ବିକାଶ ଯାତ୍ରାରେ ନାଲ୍‌କୋ ତା’ର ସଫଳତାର କାହାଣୀ ରଚିବ।“

ଓଡ଼ିଶାରେ ଦେଶର ପ୍ରାୟ ୫୧ ପ୍ରତିଶତ ବକ୍ସସାଇଟ୍‌, ୨୫ ପ୍ରତିଶତ କୋଇଲା ଏବଂ ୩୪ ପ୍ରତିଶତ ଲୁହା ପଥର ସମ୍ବଳ ଗଚ୍ଛିତ ରହିଛି। ଏହା ବ୍ୟତୀତ ୯୬ ପ୍ରତିଶତ କ୍ରୋମାଇଟ୍ ଏବଂ ୪୪ ପ୍ରତିଶତ ମାଙ୍ଗାନିଜ ମଧ୍ୟ ଅଛି। ଆମ ସରକାର ଏହି ସବୁ ଅଞ୍ଚଳଗୁଡ଼ିକରେ ବସବାସ କରୁଥିବା ଲୋକମାନଙ୍କ ସହିତ ଦେଶର କଲ୍ୟାଣ ପାଇଁ ଖଣିଜ ପଦାର୍ଥରେ ସମୃଦ୍ଧ ରାଜ୍ୟଗୁଡ଼ିକର ଖଣିଜ କାର୍ଯ୍ୟ ଚାଲୁ ରଖିବା ପାଇଁ ଅନେକଗୁଡ଼ିଏ ପଦକ୍ଷେପ ନେଉଛନ୍ତି ବୋଲି ପ୍ରହ୍ଲାଦ ଯୋଶୀ କହିଥିଲେ।

ଏହା ପୂର୍ବରୁ ପହ୍ଲାଦ ଯୋଶୀ ନାଲ୍‌କୋର ବିଶାଖାପାଟଣାଠାରେ ବୈଠକରେ ଯୋଗ ଦେଇଥିଲେ ଓ କମ୍ପାନୀର ଅଭିବୃଦ୍ଧି ତ୍ୱରାନ୍ୱିତ ପାଇଁ  ଉତ୍ସାହିତ କରିଥିଲେ। ସେ ଏହି ବୈଠକରେ କହିଥିଲେ ଯେ ନାଲ୍‌କୋ ହେଉଛି ବିଶ୍ୱର ସବୁଠାରୁ ନ୍ୟୁନତମ ବକ୍ସାଇଟ୍ ଏବଂ ଆଲୁମିନା ଉତ୍ପାଦନକାରୀ କମ୍ପାନି ଯିଏକି କ୍ରମାଗତ ୪ ବର୍ଷ ଧରି ସଫଳତାର ମାନ୍ୟତା ପାଇଆସୁଛି। ସେ ମଧ୍ୟ ନାଲ୍‌କୋର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିବା ସହିତ ଦୁର୍ଗମ ଅଞ୍ଚଳରେ ପରିଚାଳନା କାର୍ଯ୍ୟ ଚାଲୁ ରଖିବାକୁ ଆହ୍ୱାନ ଦେଇଥିଲେ।

ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧୀନସ୍ଥ ଏକ ନବରତ୍ନ ଉଦ୍ୟମ, ଯାହାର ମୁଖ୍ୟ କାର୍ଯ୍ୟାଳୟ ଓଡ଼ିଶାର ଭୁବନେଶ୍ୱରଠାରେ ଅବସ୍ଥିତ। ଏହି କମ୍ପାନୀ ହେଉଛି ଏସିଆର ଅନ୍ୟତମ ବୃହତ ସମନ୍ୱିତ ବକ୍ସାଇଟ୍‌-ଆଲୁମିନା-ଆଲୁମିନିୟମ-ପାୱାର କମ୍ପେ୍ଲକ୍ସ।

Comment