ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁର ଥିବା ପ୍ରାୟ ୧ ଶହରୁ ଅଧିକ ବର୍ଷ ତଳର ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ଓ ଜାମିଆ ମସଜିଦର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ କୋଟି ଟଙ୍କା ଲେଖାଏଁ ମଞ୍ଜୁର କରିଛନ୍ତି। ଏନେଇ ବ୍ରହ୍ମପୁର ସହରରେ ଥିବା ସଂଖ୍ୟାଲଘୁମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଏହି ଅର୍ଥ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ଯୋଗାଇ ଦିଆଯିବ।

ଚର୍ଚ୍ଚର ସମ୍ପ୍ରସାରଣ ଓ ବିକାଶ ଦିଗରେ ଏହି ଅର୍ଥ ନିଶ୍ଚିତ ଭାବରେ ସହାୟକ ହେବ। କେଉଁଭଳି ଭାବରେ ଅର୍ଥ ଖର୍ଚ୍ଚ ହେବ ତାହା ଚର୍ଚ୍ଚର ବିକାଶ କମିଟି ସ୍ଥିର କରିବ ବୋଲି ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ସମ୍ପାଦକ ପଲ ସାହୁ କହିଛନ୍ତି। ବର୍ତ୍ତମାନ ବ୍ରହ୍ମପୁରରେ ୧୫ ହଜାର ଖ୍ରୀଷ୍ଟିୟ ଧର୍ମାବଲମ୍ବୀ ବସବାସ କରନ୍ତି।

ଏହାସହ ଭାପୁର ବଜାରରେ ଥିବା ଜାମିଆ ମସଜିଦ କୋଠା ଅବସ୍ଥା ଜରାଜୀର୍ଣ୍ଣ ହୋଇଗଲାଣି। ମୁଖ୍ୟମନ୍ତ୍ରୀଙ୍କଠାରୁ ମିଳୁଥିବା ଅର୍ଥ ମୁଖ୍ୟତଃ କୋଠାର ମରାମତି, ଦ୍ଵିତୀୟ ମହଲା ନିର୍ମାଣ, ବୟସ୍କଙ୍କ ଓ ଶାରୀରିକ ବିକଳାଙ୍ଗଙ୍କ ପାଇଁ ଲିଫ୍ଟ, ସୌର ଶକ୍ତି ବ୍ୟବସ୍ଥା ଆଦି ପାଇଁ ଖର୍ଚ୍ଚ କରାଯିବ ବୋଲି ବିଜେଡି ସଂଖ୍ୟାଲଘୁ ସେଲ ରାଜ୍ୟ ସମ୍ପାଦକ ମହମ୍ମଦ ଫୟାଜ ଖାଁ କହିଛନ୍ତି।

ମସଜିଦରେ ବର୍ତ୍ତମାନ ଏକାଥରକେ ୩ ହଜାର ବ୍ୟକ୍ତି ନମାଜ ପଢ଼ି ପାରୁଛନ୍ତି। ଦ୍ଵିତୀୟ ମହଲା ନିର୍ମାଣ ହେଲେ ୬ ହଜାର ବ୍ୟକ୍ତି ନମାଜ ପଢିପାରିବେ। ବ୍ରହ୍ମପୁରରେ ୨୦ ହଜାର ମୁସଲିମଙ୍କ ପାଇଁ ମୋଟ ୮ଟି ମସଜିଦ ରହିଛି। ହେଲେ ଜାମିଆ ମସଜିଦକୁ ସର୍ବାଧିକ ଲୋକ ନମାଜ ପଢ଼ିବାକୁ ଆସିଥାନ୍ତି।

Comment