ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ହିଂସାରେ ସହିଦ ହୋଇଥିବା ପୋଲିସ୍ କନଷ୍ଟେବଲ ରତନ ଲାଲଙ୍କ ପରିବାରକୁ ଏକ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଏଥିସହିତ ତାଙ୍କ ପରିବାର ମଧ୍ୟରୁ ଜଣକୁ ସରକାରୀ ଚାକିରି ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି କେଜରିୱାଲ।
ସୋମବାରଠାରୁ ଦିଲ୍ଲୀରେ ଆରମ୍ଭ ହୋଇଥିବା ଏହି ହିଂସା ଏବେ ଉଗ୍ର ରୂପଧାରଣ କରିଛି। ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ପଥରମାଡ଼ ଓ ଗୁଳିକାଣ୍ଡ ଭଳି ଘଟଣା ଦେଖିବାକୁ ମିଳିଛି। ସୋମବାର ଏଥିରେ ପୋଲିସ୍ କନଷ୍ଟେବଲ୍ ରତନ ଲାଲଙ୍କ ମୃତ୍ୟୁ ହୋଇଥିଲା। ବୁଧବାର ତାଙ୍କ ପରିବାର ପ୍ରତି ସମବେଦନା ଜଣାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।
ସୋମବାର ରତନ ଲାଲଙ୍କ ଦେହରେ ଗୁଳି ବାଜିବା କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା। ଦୟାଲପୁର ଥାନା ନିକଟରେ ଜଣେ ପୋଲିସ୍ ଅଫିସରଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କର ମୃତ୍ୟୁ ହୋଇଥିଲା। ରତନ ଲାଲଙ୍କ ମରଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନ୍ତିମ ସଂସ୍କାର କରାଯାଇଥିଲା।
ବୁଧବାର ଦିଲ୍ଲୀ ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରିବା ସହିତ ଶାନ୍ତି ପାଇଁ ଅପିଲ୍ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ ମଧ୍ୟ ଟୁଇଟ୍ କରି ଶାନ୍ତି ପାଇଁ ନିବେଦନ କରିଛନ୍ତି।


















