ଓଡ଼ିଶାଲାଇଭ୍ବ୍ୟୁରୋ

ବ୍ରହ୍ମପୁରର ପ୍ରିୟଙ୍କାଙ୍କ ପରେ କଟକର ସୁଚିତ୍ରା ଦାଶ କିଡ୍‌ନି ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କଲେ। ବ୍ରେନ୍‌ ଡେଡ୍‌ ଥିବା ସୁଚିତ୍ରା ଦାଶଙ୍କର ୩ ଘଣ୍ଟାର ଅସ୍ତ୍ରୋପଚାର ପରେ ଦୁଇଟି କିଡ୍‌ନି କଢ଼ାଯାଇ ଆପୋଲୋ ଓ ଆମ୍ରି ହସ୍ପିଟାଲରେ ଥିବା ଦୁଇଜଣ ରୋଗୀଙ୍କଠାରେ ଲଗାଯାଇଛି। ଆପୋଲୋର ଏହା ଦ୍ୱିତୀୟ କାଡାଭରିକ୍‌ ପ୍ରତିରୋପଣ।

ଆପୋଲୋ ହସ୍ପିଟାଲରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୩ ତାରିଖରେ ବ୍ରେନ୍‌ ଷ୍ଟ୍ରୋକ୍‌ କାରଣରୁ ଭୁବନେଶ୍ୱରର ସୁଚିତ୍ରା ଦାଶଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବୁଧବାର ତାଙ୍କ ବ୍ରେନ୍ ଡେଡ୍‌ ହେବା ପରେ ପରିବାର ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏହାପରେ ସୁଚିତ୍ରାଙ୍କ ସ୍ୱାମୀ ଗୋପାଳ ଦାଶଙ୍କୁ ମେଡିକାଲ ପକ୍ଷରୁ କାଉନସେଲିଂ କରାଯିବା ପରେ ତାଙ୍କ ସ୍ୱାମୀ ଅଙ୍ଗଦାନ ପାଇଁ ରାଜି ହୋଇଥିଲେ। ଏହାପରେ ରାଜ୍ୟ ଅଙ୍ଗ ଓ ଟିସ୍ୟୁ ପ୍ରତିରୋପଣ ସଙ୍ଗଠନ ବା ସାଟୋ ପକ୍ଷରୁ ସୁଚିତ୍ରାଙ୍କ କିଡ୍‌ନି କେଉଁ ଦୁଇ ଜଣ ବ୍ୟକ୍ତିଙ୍କୁ ଦିଆଯିବ ସ୍ଥିର କରାଯାଇଥିଲା।

ବୁଧବାର ସନ୍ଧ୍ୟାରେ ଆପ୍‌ନିଆ ପରୀକ୍ଷା ପରେ ଆପୋଲୋର ବରିଷ୍ଠ ୟୁରୋଲୋଜି ବିଶେଷଜ୍ଞ ଡାକ୍ତର ସମୀରଣ ଦାସ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ଡାକ୍ତରୀ ଟିମ୍‌ କିଡ୍‌ନି କାଢ଼ିଥିଲେ। ପ୍ରାୟ ୩ ଘଣ୍ଟାର ଅସ୍ତ୍ରୋପଚାର ପରେ ଦୁଇଟି କିଡ୍‌ନୀ କଢ଼ାଯାଇଥିଲା। ସେଥିମଧ୍ୟରୁ  ଗୋଟିଏ ଆପୋଲୋରେ ଚିକିତ୍ସିତ ହେଉଥିବା ୫୫ ବର୍ଷୀୟ ଜଗନ୍ନାଥ ସୁରଙ୍କଠାରେ ପ୍ରତିରୋପଣ କରାଯାଇଥିବା ବେଳେ ଅନ୍ୟଟି ଭୁବନେଶ୍ୱରର ଆମ୍ରି ହସ୍ପିଟାଲକୁ ପଠାଯାଇଥିଲା। କିଡ଼ନି ପ୍ରତିରୋପଣ ପରେ ଦୁଇଜଣ ନୂଆ ଜୀବନ ପାଇଛନ୍ତି।

ସାଟୋର ନୋଡାଲ ଅଧିକାରୀ ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କରଙ୍କ ତତ୍ତ୍ୱାବଧାନରେ ଏହି କାଡାଭରିକ୍‌ ଟ୍ରାନ୍ସପ୍ଲାଣ୍ଟ ସଫଳତାର ସହ ହୋଇଥିଲା।

ସୁଚିତ୍ରାଙ୍କ କିଡ୍‌ନି ବ୍ୟତୀତ ହୃତ୍‌ପିଣ୍ଡ ଓ ଯକୃତକୁ ଟ୍ରାନ୍ସପ୍ଲାଣ୍ଟ କରାଯିବାର ମଧ୍ୟ ବ୍ୟବସ୍ଥା ଥିଲା ହେଲେ ସୁଚିତ୍ରାଙ୍କୁ ମଧୁମେହ ଓ ଉଚ୍ଚରକ୍ତଚାପ ଥିବାରୁ ଏହା କରାଯାଇ ନଥିଲା।

ଗତ ୪ ତାରିଖରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ପ୍ରିୟଙ୍କାରାଣୀ ପାତ୍ର ସଡ଼କ ଦୁର୍ଘଟଣାରେ ବ୍ରେନ୍‌ ଡେଡ ହୋଇଥିଲା। ଏହାପରେ ପରିବାର ଲୋକେ ତାଙ୍କ କିଡ଼ନୀ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ତୁରନ୍ତ ପ୍ରିୟଙ୍କାଙ୍କ ୨ଟି କିଡ଼ନୀ କଢ଼ାଯାଇ ୨ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା।

Comment