ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲାରେ ଏମିତି କିଛି ସ୍କୁଲ ରହିଛି ଯେଉଁଠି ଶ୍ରେଣୀ ଘର ନାହିଁ, କି ଶିକ୍ଷକ ନାହାଁନ୍ତି। ଏହିଭଳି ଭାବରେ ଦୀର୍ଘ ଦିନ ଧରି ଚାଲି ଆସୁଛି ଏହି ସ୍କୁଲ। ଜିଲ୍ଲାରେ ରହିଛି ଏହି ଭଳି ୩ଟି ବିଦ୍ୟାଳୟ। ଏହି ବିଦ୍ୟାଳୟଗୁଡ଼ିକର ସ୍ଵୀକୃତି ପ୍ରତ୍ୟାହାର କରାଯାଇଥିବା ବେଳେ ବର୍ତ୍ତମାନ ଏହି ସ୍କୁଲର ୬୩ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି, ଯାହାକୁ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଏହି ବିଦ୍ୟାଳୟରେ କଳାହାଣ୍ଡି, କୋରାପୁଟ ଜିଲ୍ଲା ଆଦି ପଶ୍ଚିମ ଓଡିଶାର ଅଧିକ ବୟସର ଛାତ୍ରଛାତ୍ରୀମାନେ ବୟସ କମାଇ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେଉଥିବା ଅଭିଯୋଗ ହୋଇଛି। ଏହି ବିଦ୍ୟାଳୟରେ କର୍ମକର୍ତ୍ତାମାନେ ମୋଟାର ଅଙ୍କର ଟଙ୍କା ନେଇ ଛାତ୍ରଛାତ୍ରୀଙ୍କୁ ପାସ୍‌ ମଧ୍ୟ କରାଇବାର ପ୍ରତିଶ୍ରୁତି କରିଥିବା ଜଣାପଡ଼ିଛି।

କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ଜିଲ୍ଲାର ଗରଦପୁର ବ୍ଲକ କୋରୁଆଠାରେ ଥିବା କର୍ତ୍ତାକୁଦ ସସ୍କୃତ ମଧ୍ୟମା ବିଦ୍ୟାଳୟ, ଡେରାବିଶ ବ୍ଲକର ନୋଳସାହିଠାରେ ଥିବା ଭୀମଭୋଇ ସସ୍କୃତ ମଧ୍ୟମା ବିଦ୍ୟାଳୟ ଓ ମାର୍ଶାଘାଇ ବ୍ଲକର ପୋତାରୀଠାରେ ଥିବା ବେଦବ୍ୟାସ ସସ୍କୃତ ବିଦ୍ୟାପୀଠରୁ ସ୍ଵୀକୃତି ପ୍ରତ୍ୟାହାର କରିନିଆଯାଇଛି। ହେଲେ ଏହାପରେ ଏହି ସ୍କୁଲର ଛାତ୍ରଛାତ୍ରୀ କିଭଳି ରେଗୁଲାର ଭାବେ ପରୀକ୍ଷା ଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହି ୩ଟି ବିଦ୍ୟାଳୟର ୬୩ ଜଣ ଛାତ୍ରଛାତ୍ରୀ ଏବେ ରେଗୁଲାର ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ଏଥିରେ ଅନେକ ଅଧିକ ବୟସର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ବେଦବ୍ୟାସ ସସ୍କୃତ ବିଦ୍ୟାପୀଠରେ କଳାହାଣ୍ଡି ଜିଲ୍ଲାର ୩ ଜଣ ଛାତ୍ର ରହିଥିବା ଜଣାପଡ଼ିଛି।

କୌଣସି ସ୍କୁଲରେ ଯଦି ଛାତ୍ରଛାତ୍ରୀ ପାଠପଢି ଏକାଧିକବାର ମାଟ୍ରିକ ଫେଲ ହେଉଥାନ୍ତି, ତାହେଲେ ଏହି ସ୍କୁଲର ଦଲାଲମାନେ ସେମାନଙ୍କୁ ଠାବ କରି ଏହି ସ୍କୁଲରେ ନାମ ଲେଖାଇ ଦେଇଥାନ୍ତି। ଅଧିକ ବୟସର ଯଦି ଛାତ୍ରଛାତ୍ରୀ ହୋଇଥାନ୍ତି ସେମାନଙ୍କର ନାଁ ଓ ଜନ୍ମ ତାରିଖକୁ ମଧ୍ୟ ଏଠାରେ ବଦଳ କରିଦିଆଯିବାର ସୁବିଧା ଉପଲବ୍ଧ ହେଉଛି ବୋଲି ଏହି ସ୍କୁଲର ଜଣେ ପରୀକ୍ଷାର୍ଥୀ କହିଛନ୍ତି।

Comment