ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଅମିତ ଶାହ, ନବୀନ ପଟ୍ଟନାୟକ, ମମତା ବାନାର୍ଜୀ ଏବଂ ନୀତିଶ କୁମାରଙ୍କୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର୍‌। ନବୀନ ନିବାସରେ ଗୋଟିଏ ଟେବୁଲରେ ଶାହଙ୍କ ସାଙ୍ଗରେ ଏହି ତିନି ମୁଖ୍ୟମନ୍ତ୍ରୀ ଲଞ୍ଚ୍‌ କରିଥିବାରୁ ରାଜନୀତି କରିଡର ଉଠୁଛି ପଡୁଛି।

ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଯୋଗ ଦେବାକୁ ଆସିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀ। କେନ୍ଦ୍ର ଗୃହମନ୍ତ୍ରୀ ପୂର୍ବାଞ୍ଚଳ ରାଜ୍ୟ ପରିଷଦର ସଭାପତି ହୋଇଥିବାରୁ ସେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।

ବୈଠକ ଶେଷ ହେବା ପରେ ନବୀନ ଅନ୍ୟ ରାଜ୍ୟର ତିନି ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ନବୀନ ନିବାସ ଆମନ୍ତ୍ରିତ କରିଥିଲେ। ନବୀନ ନିବାସରେ ଗୋଟିଏ ଟେବୁଲରେ ଏହି ନେତାମାନେ ଲଞ୍ଚ୍‌ ଖାଇଥିଲେ।

ନବୀନ ନିବାସରେ ଏହି ନେତାମାନେ ଓଡ଼ିଆ ଖାଦ୍ୟ ଖାଇଥିଲେ। ଖାଦ୍ୟରେ ଥିଲା ବାଇଗଣ ଭଜା, ଟମାଟୋ ଚଟଣୀ, ବୁନ୍ଦି ରାଇତା, ମାଛ ବେସର, ପାମ୍ପଡ, ଛେନାପୋଡ଼, ରସମଲାଇ। କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ସାଙ୍ଗରେ ଏହି ତିନି ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକାଠି ଲଞ୍ଚ୍‌ କରିବାକୁ ନେଇ ସବୁଠି ଚର୍ଚ୍ଚା ଜୋର୍‌ ଧରିଛି।

ସବୁଠୁ ବଡ଼ କଥା ହେଉଛି ନାଗରିକତା ସଂଶୋଧନ ଆଇନକୁ ନେଇ ମମତା ବାନାର୍ଜୀ କଠୋର ଆଭିମୁଖ୍ୟ ଦେଖାଇ ଆସୁଛନ୍ତି। ମମତା ଏବଂ ବିଜେପି ମୁହାଁମୁହିଁ ମଧ୍ୟ ହୋଇଛନ୍ତି। ଏପରିସ୍ଥଳେ ଲଞ୍ଚ ଟେବୁଲରେ ମମତା ଏବଂ ଶାହଙ୍କୁ ଏକାଠି ବସାଇ ନବୀନ ଜାତୀୟ ରାଜନୀତିକୁ ଭିନ୍ନ ବାର୍ତ୍ତା ଦେବାକୁ ପ୍ରୟାସ କରିଥିବା କୁହାଯାଉଛି।

ସବୁଠୁ ବଡ଼ କଥା ହେଉଛି ନବୀନ ସିଏଏକୁ ସମର୍ଥନ ଦେଉଥିବା ବେଳେ ଏନ୍‌ଆର୍‌ସିକୁ ବିରୋଧ କରୁଛନ୍ତି। ସେହିପରି ନୀତିଶ କୁମାର ମଧ୍ୟ ସମାନ ଆଭିମୁଖ୍ୟ ଦେଖାଇଛନ୍ତି। ସିଏଏକୁ ସମର୍ଥନ କରି ଏନ୍‌ଆର୍‌ସିକୁ ବିରୋଧ କରୁଛନ୍ତି। ସିଏଏକୁ ନେଇ ଦିଲ୍ଲୀ ଜଳୁଥିବା ବେଳେ ଏହି ନେତାମାନେ ଗୋଟିଏ ଟେବୁଲରେ ଏକାଠି ହୋଇ ଖାଇବା ରାଜନୀତି ପର୍ଯ୍ୟକ୍ଷେକଙ୍କୁ ଚକିତ କରିଛି।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ନବୀନ ପଟ୍ଟନାୟକଙ୍କୁ କେବେ ଗୋଟିଏ ଖାଇବା ଟେୁବଲରେ ଦେଖିବାକୁ ମିଳି ନଥିଲା। ଧର୍ମେନ୍ଦ୍ର ସବୁବେଳେ ବିଜେଡି ଏବଂ ନବୀନଙ୍କୁ ତିର ମାରି ଆସୁଥିଲେ। ବିଜେଡି ଶିବିର ବି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ଆସୁଥିଲା। ଆଜି ନବୀନ ନିବାସରେ ଲଞ୍ଚ୍‌ ଟେବୁଲରେ ଧର୍ମେନ୍ଦ୍ରଙ୍କୁ ଦେଖି ରାଜନୀତି ଜୋର୍ ଧରିଛି।

୨୦୧୮ରେ ମଧ୍ୟ ନବୀନ ନିବାସରେ ଲଞ୍ଚ୍‌ ଟେବୁଲରେ ଏକାଠି ହୋଇଥିଲେ ଜାତୀୟ ସ୍ତରର ନେତା। ‘ଦ ଟଲ୍‌ ମ୍ୟାନ ବିଜୁ ପଟ୍ଟନାୟକ’ ପୁସ୍ତକ ଲୋକର୍ପଣ ଉତ୍ସବରେ ଯୋଗ ଦେବାକୁ ଆସିଥିବା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନି, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ସିବିଆଇଏମ୍‌ ନେତା ସୀତାରାମ ୟେଚୁରୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବେଗୌଡ଼ାଙ୍କୁ ନବୀନ ପଖାଳରେ ଆପ୍ୟାୟିତ କରିଥିଲେ।

Comment