ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

‘‘କଂଗ୍ରେସକୁ ଗତ ବିଧାନସଭା ନିର୍ବାଚନରେ ପ୍ରତ୍ୟାଖ୍ୟାନ କରିଛନ୍ତି ଓଡ଼ିଶାବାସୀ। କଂଗ୍ରେସକୁ ପଛକୁ ଠେଲି ବିଜେପି ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଛି। ଓଡ଼ିଶାବାସୀଙ୍କ ସ୍ୱର ପାଲଟିଛି ବିଜେପି। ନିର୍ବାଚନରେ ବିଜେପି ମୋଟ ୯୧ ଲକ୍ଷ ଭୋଟ ପାଇଥିବା ବେଳେ ବିଜେଡି ୧.୧ କୋଟି ଭୋଟ ପାଇଛି। ଆଉ ଗୋଟିଏ ଲମ୍ଫ ଦେଲେ ବିଜେପି ଶୀର୍ଷ ସ୍ଥାନକୁ ଆସିପାରିବ’’, କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ଭୁବନେଶ୍ୱର ଜନତା ମଇଦାନରେ ସିଏଏକୁ ସମର୍ଥନ କରିବା ପାଇଁ ଅନୁଷ୍ଠିତ ହୋଇଥିଲା ମହାଜନସମାବେଶ। ଏହି ସମାବେଶରେ ଯୋଗ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଉପସ୍ଥିତ କର୍ମୀଙ୍କୁ ଉଦ୍‌ବୋଧନ ଦେଇ ଶାହ ଓଡ଼ିଶାରେ ବିଜେପି ସରକାର ଗଠନ କରିବା ଉପରେ ଜୋର୍‌ ଦେଇଥିଲେ।

ଅମିତ ଶାହ ଆହୁରି କହିଥିଲେ, ‘‘ମୋଟ ୩୭ ହଜାର ବୁଥ୍‌ରୁ ୧୪ ହଜାର ବୁଥ୍‌ରେ ବିଜେପି ଭଲ ପ୍ରଦର୍ଶନ କରିଥିଲା। ୯୫ଟି ବୁଥ୍‌ରେ ଆମ ଦଳ ଦ୍ୱିତୀୟ ସ୍ଥାନରେ ରହିଥିଲା। ଦଳର କର୍ମକର୍ତ୍ତାଙ୍କ ପାଇଁ ଏହା କେବଳ ସମ୍ଭବ ହୋଇଥିଲା।’’

‘‘ମୁଁ ୫ ବର୍ଷ ଧରି ବିଜେପିର ସାଙ୍ଗଠନିକ ଦାୟିତ୍ୱରେ ରହିଥିଲି। ଏହି ସମୟ ଭିତରେ ମୁଁ ଅନେକଥର ଓଡ଼ିଶା ଗସ୍ତ କରିଛି। ପ୍ରତି ଜିଲ୍ଲାକୁ ଯାଇଛି, ଲୋକଙ୍କ ସହ ମିଶିଛି। ଏଣୁ ଓଡ଼ିଶା ହେଉଛି ମୋ’ ଘର। ଗୁଜୁରାଟ ଓ ଓଡ଼ିଶା ଭିତରେ ଯୋଗସୂତ୍ର ରକ୍ଷା କରିବାରେ ସହାୟକ ହୋଇଛନ୍ତି ମହାପ୍ରଭୁ ଜଗନ୍ନାଥ’’, କହିଥିଲେ ଶାହ।

ଗତ ସାଧାରଣ ନିର୍ବାଚନରେ ବିଜେପିର ୮ ଜଣ ସାଂସଦ ଓଡ଼ିଶାରୁ ନିର୍ବାଚିତ ହୋଇଥିଲେ। ମୋଦୀଙ୍କ ହାତମୁଠା ଟାଣ କରିବାରେ ଓଡ଼ିଶାର ଯଥେଷ୍ଟ ଅବଦାନ ରହିଛି। ଏଥିପାଇଁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଥିଲେ ଅମିତ ଶାହ।

Comment