ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନବୀନ ନିବାସରେ ଅମିତ ଶାହ ଏବଂ ନବୀନ ପଟ୍ଟନାୟକ ଗୋଟିଏ ଟେବୁଲ୍‌ରେ ଲଞ୍ଚ୍‌ କରିବାକୁ ନେଇ ଜୋର୍‌ ଧରିଛି ରାଜନୀତି। ଯେଉଁ ଶାହ ନବୀନଙ୍କୁ ‘ପୋଡ଼ା ଟ୍ରାନ୍ସଫର୍ମର’ କହି ସମାଲୋଚନା କରିଥିଲେ ଉଭୟ ଗୋଟିଏ ଟେବୁଲରେ ବସି କେମିତି ଖାଇଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି।

କଂଗ୍ରେସର ଏହି ପ୍ରଶ୍ନର ଜବାବ ରଖିଛନ୍ତି ବିଜେପି ଓ ବିଜେଡି। କଂଗ୍ରେସ ନିଜ ଭବିଷ୍ୟତକୁ ନେଇ ଆଶଙ୍କାରେ ରହିଥିବା ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଥିବା ବେଳେ ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ ଏକାଠି ହେବା କିଛି ଭୁଲ୍‌ ନୁହେଁ ବୋଲି ବିଜେଡି କହିଛି।

‘‘ନିର୍ବାଚନ ପୂର୍ବରୁ ଅମିତ ଶାହ ଓଡ଼ିଶା ଆସି ନବୀନଙ୍କୁ ପୋଡ଼ା ଟ୍ରାନ୍ସଫର୍ମର କହିଥିଲେ। ହେଲେ ନବୀନ ବାବୁ ତାଙ୍କ ନିକଟତର ହେବା ଦୁର୍ଭାଗ୍ୟଜନକ। ବିଜେପିର ସ୍ଥିତି ଏବେ ଦେହଲିଗଲାଣି। ୨୦୨୪ରେ କଂଗ୍ରେସ ପୁଣି କ୍ଷମତାକୁ ଆସିବ’’, କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।

ଭୁବନେଶ୍ୱରରେ ପୂର୍ବାଞ୍ଚଳ ପରିଷଦର ବୈଠକ ବସିଥିଲା। ଏହି ବୈଠକରେ ଯୋଗ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୈଠକ ଶେଷ ହେବା ନବୀନ ନିବାସରେ ମଧ୍ୟାହ୍ନଭୋଜନ ଖାଇଥିଲେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ। ଏହାକୁ ନେଇ ରାଜନୀତି ତେଜିଛି।

‘‘ଗଛରେ ବେଲ ପାଚିଲେ କାଉର କ’ଣ ଯାଏ ନୀତିରେ କଥା କହୁଛି କଂଗ୍ରେସ। କଂଗ୍ରେସ ଏବେ ଆଶା ଓ ଆଶଙ୍କାରେ ରହିଛି। ବିଜେଡି ସହିତ କୌଣସି ଡିଲ୍‌ ହୋଇନି। ବିଜେଡିକୁ ଆଗରୁ ବିରୋଧ କରୁଥିଲୁ ଏବଂ ଆଗାମୀ ପୌର ନିର୍ବାଚନରେ ମଧ୍ୟ କଡ଼ା ମୁକାବିଲା କରିବୁ’’, କହିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ।

‘‘ବିଜେପି-ବିଜେଡି ସହିତ କୌଣସି ଡିଲ୍‌ ହୋଇନି। ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଆମେ କେନ୍ଦ୍ର ସରକାରଙ୍କ ସହ ଡିଲ୍‌ କରୁଛୁ। ବିଜେପି ସହିତ କୌଣସି ସମ୍ପର୍କ ନାହିଁ’’, କହିଛନ୍ତି ବିଜେଡି ବିଧାୟକ ଶଶୀଭୂଷଣ ବେହେରା।

୨୦୧୯ ନିର୍ବାଚନ ପୂର୍ବରୁ ଅମିତ ଶାହ ଭୁବନେଶ୍ୱର ଗସ୍ତରେ ଆସି ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଥିଲେ। ନବୀନଙ୍କୁ ପୋଡ଼ା ଟ୍ରାନ୍ସଫର୍ମର କହିବା ସହ ଓପାଡ଼ି ଫିଙ୍ଗି ଦେବାକୁ ଆହ୍ୱାନ ଦେଇଥିଲେ।

Comment