ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ମାର୍ଚ୍ଚ ୩ ତାରିଖରୁ ଯୁକ୍ତ ୨ ପରୀକ୍ଷା। ଚଳିତ ବର୍ଷ ଦକ୍ଷିଣାଞ୍ଚଳର ଆଠଟି ଜିଲ୍ଲାରେ ମୋଟ୍‌ ୭୧, ୭୧୦ ପରୀକ୍ଷାର୍ଥୀ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେବେ। କଳାରେ ୪୫,୧୪୪, ବିଜ୍ଞାନରେ ୧୯, ୬୨୫, ବାଣିଜ୍ୟରେ ୪, ୬୨୪, ଧନ୍ଦାମୂଳକ ଶିକ୍ଷାରେ ୭୯୨ ଓ ପତ୍ର ଵିନିମୟ ପାଠ୍ୟକ୍ରମରେ ୧୫୩୫ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

ଦକ୍ଷିଣାଞ୍ଚଳର ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଆଦି ଆଠଟି ଜିଲ୍ଲାରେ ମୋଟ୍‌  ୪୫ଟି ପରୀକ୍ଷା ପରିଚାଳନା ହବ’ ପ୍ରତିଷ୍ଠା କରାଯାଇଥିବା ବେଳେ ସର୍ବମୋଟ ୧୯୮ଟି ପରୀକ୍ଷା କେନ୍ଦ୍ର କରାଯାଇଛିl

ଇତି ମଧ୍ୟରେ ‘ପରୀକ୍ଷା ପରିଚାଳନା ହବ’ରେ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ପହଞ୍ଚି ସାରିଛି। ଏହାସହ ୨୪ ଘଣ୍ଟା ସିସିଟିଭି ସର୍ଭିଲେନ୍ସରେ ଥିବା ‘ହବମାନଙ୍କରେ ସଶସ୍ତ୍ର ସୁରକ୍ଷା ବଳ ମୁତୟନ କରାଯାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡକ୍ଟର କୁଳମଣି ଓଝା କହିଛନ୍ତି।

ଚଳିତ ବର୍ଷର +୨ ପରୀକ୍ଷାକୁ ପୂରାପୂରି କପି ମୁକ୍ତ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ଡିଏଲସି ସ୍କ୍ୱାଡ, ଉପସଚିବଙ୍କ ତତ୍ତ୍ୱାବଧାନରେ ଜୋନାଲ ସ୍ତରୀୟ ସ୍କ୍ୱାଡ ଓ କେନ୍ଦ୍ରୀୟ ସ୍କ୍ୱାଡ ଆଦି ତ୍ରିସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥା ହୋଇଛି। ପରୀକ୍ଷା କେନ୍ଦ୍ରର ୨୦୦ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ମୋବାଇଲ ଫୋନ ଓ ସମସ୍ତ ପ୍ରକାର ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍ସ ବ୍ୟବହାର ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରାଯାଇଛିl

ଦକ୍ଷିଣାଞ୍ଚଳର ସମସ୍ତ ପରୀକ୍ଷା କେନ୍ଦ୍ରରେ ବର୍ତ୍ତମାନ ସିସିଟିଭି ସଂଯୋଗ ହୋଇସାରିଛି। ପରୀକ୍ଷାର ପ୍ରତ୍ୟେକ ସିଟି° ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍‌ଣ ଗୋଟାଏ ସମୟରେ ଶେଷ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତବର୍ଷର +୨ ପରୀକ୍ଷାକୁ ସମ୍ପୂର୍ଣ୍ଣ ଶୃଙ୍ଖଳିତ, ସ୍ୱଚ୍ଛ, ନିରପେକ୍ଷ ଓ କପିମୁକ୍ତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି।

Comment