ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭାର ଏକମାତ୍ର ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଆଗାମୀ ରାଜ୍ୟସଭା ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ। ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି।

ଏହାଫଳରେ କଂଗ୍ରେସ ପ୍ରାର୍ଥୀ ଦେବାର ଯେଉଁ ସମ୍ଭାବନା ଥିଲା ତାହା ଆଉ ଦେଖାଯାଉନାହିଁ। ସିପିଏମର ରାଜ୍ୟ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ସିପିଏମ ସଦସ୍ୟ ଜଗନ୍ନାଥ ମିଶ୍ର ଅଧ୍ୟକ୍ଷତା କରିଥିଲେ।

ଖବର ଅନୁସାରେ ଦଳର ବିଧାୟକ ଲକ୍ଷ୍ମଣ ମୁଣ୍ଡା ରାଜ୍ୟସଭା ନିର୍ବାଚନରେ ଭୋଟ ଦେବେ ନାହିଁ। ଆଗରୁ ଆଶା କରାଯାଉଥିଲା ସିପିଏମ ଯଦି ସମର୍ଥନ ଦିଏ ତେବେ କଂଗ୍ରେସ ତାହାର ପ୍ରାର୍ଥୀ ଦେଇପାରେ। କଂଗ୍ରେସ ନେତା ନରସିଂହ ମିଶ୍ର ଏହି ବିଷୟ ଆଗରୁ କହିଥିଲେ।ମାର୍ଚ୍ଚ ୨୬ରେ ରାଜ୍ୟସଭାର ଖାଲି ପଡ଼ୁଥିବା ୪ ଆସନ ପାଇଁ ନିର୍ବାଚନ ହେବ ବୋଲି ନିର୍ବାଚନ କମିସନରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବ୍ୟବସ୍ଥା ଅନୁସାରେ ରାଜ୍ୟସଭା ପାଇଁ  ଯିଏ ପ୍ରାର୍ଥୀ ହେବେ ତାଙ୍କ ପଛରେ ୧୦ ଜଣ ବିଧାୟକ ପ୍ରସ୍ତାବକ ଥିବା ଦରକାର। ଯେହେତୁ କଂଗ୍ରେସର ମାତ୍ର ୯ ଜଣ ବିଧାୟକ ଅଛନ୍ତି ତେଣୁ ସିପିଏମ ବିଧାୟକଙ୍କ ସମର୍ଥନରେ କଂଗ୍ରେସ ପକ୍ଷରୁ କେହି ଜଣେ ପ୍ରାର୍ଥୀ ଭାବେ ଛିଡ଼ା ହୋଇପାରିଥାନ୍ତେ।

ଅନ୍ୟପଟରେ ବିରୋଧୀ ବିଜେପି ପକ୍ଷରୁ ଘୋଷଣା କରାଯାଇସାରିଛି ଯେ ଦଳ ପକ୍ଷରୁ ଗୋଟିଏ ଆସନ ପାଇଁ ଜଣକୁ ପ୍ରାର୍ଥୀ କରାଯିବ। ବିଧାନସଭାରେ ବିଜେପିର ୨୩  ସଦସ୍ୟ ଅଛନ୍ତି। ଯିଏ ପ୍ରାର୍ଥୀ ହେବେ ତାଙ୍କୁ ପ୍ରଥମ ପସନ୍ଦ ଭୋଟରେ ୨୯  ବିଧାୟକଙ୍କ ସମର୍ଥନ ଆବଶ୍ୟକ। ବିଜେପି ଆଶା କରୁଛି ବିଜେଡ଼ି ଏଥିରେ ସହଯୋଗ କରିବ। ଏଣେ ଯେହେତୁ ଶାସକ ଦଳର ୧୧୩ ବିଧାୟକ ଅଛନ୍ତି ବିଜେଡ଼ି ସହଜରେ ତିନୋଟି ରାଜ୍ୟସଭା ଆସନ ହାତେଇ ନେଇ ପାରିବ।

Comment