ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ବୀଣାପାଣି ମହାନ୍ତିଙ୍କୁ ମିଳିବ ଅତିବଡ଼ୀ ପୁରସ୍କାର। ଜାଣନ୍ତୁ ଓଡ଼ିଶା ସାହିତ୍ୟ ପ୍ରତି ବୀଣାପାଣିଙ୍କ ଅବଦାନ ବିଷୟରେ।
ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ବୀଣାପାଣି ମହାନ୍ତି ପାଇବେ ଅତିବଡ଼ୀ ପୁରସ୍କାର। ଓଡ଼ିଆ ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ହେଉଛି ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର। ଏହି ପୁରସ୍କାର ବୀଣାପାଣି ମହାନ୍ତିଙ୍କୁ ମିଳିବ ବୋଲି ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି। ଏହାସହ ୧୫ ଜଣ ବୟୋଜ୍ୟେଷ୍ଠ ସାହିତ୍ୟିକଙ୍କୁ ସମ୍ଵର୍ଦ୍ଧିତ କରାଯିବ ବୋଲି ଏକାଡେମୀ ପକ୍ଷରୁ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସୋମବାର ଏକ କାର୍ଯ୍ୟକାରୀ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ଵତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ୧୫ ଜଣ ବରିଷ୍ଠ ସାହିତ୍ୟିକଙ୍କୁ ସମ୍ଵର୍ଦ୍ଧନା ଲାଗି ନିଷ୍ପତ୍ତି ହୋଇଛି। ଏକାଡେମୀ ପକ୍ଷରୁ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ପୁରସ୍କାର ଓ ସମ୍ଵର୍ଦ୍ଧନା ଦିଆଯିବ।
୧୯୩୬ ମସିହା ନଭେମ୍ଵର ୧୦ ତାରିଖରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ବୀଣାପାଣି ଜନ୍ମଗ୍ରହଣ କରିଥିଲେ। ହେଲେ ତାଙ୍କ ପୈତୃକ ଘର କେନ୍ଦ୍ରାପଡ଼ା ଜିଲ୍ଲାର ଚାନ୍ଦୋଳରେ। ୧୯୫୩ ମସିହାରେ ମାଟ୍ରିକ, ୧୯୫୭ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ରେ ସ୍ନାତକୋତ୍ତରରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ୧୯୬୦ ମସିହାରେ ନିଜ ଅଧ୍ୟାପିକା ଜୀବନ ଆରମ୍ଭ କରିଥିଲେ।

ଏହା ମଧ୍ୟରେ ସେ ନିଜ ଲେଖାଲେଖି ମଧ୍ୟ ଆରମ୍ଭ କରିଥିଲେ। ଗଳ୍ପକାର ଭାବରେ ତାଙ୍କର ସାହିତ୍ୟିକ ଜୀବନ ୧୯୬୦ରେ ‘ଗୋଟିଏ ରାତିର କାହାଣୀ’ ପ୍ରକାଶନରୁ ଆରମ୍ଭ ହୋଇଥିଲା। ତାଙ୍କର କେତେକ ଜଣାଶୁଣା ଗଳ୍ପ ହେଉଛି ପାଟ ଦେଇ, ଖେଳ ଘର, ନଈକୁ ରାସ୍ତା, ବସ୍ତ୍ରହରଣ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ଏବଂ ମିଛି ମିଛିକା, ଅଶ୍ରୁ ଅନଳ, ଶକୁନିର ଛକା, ଦୃଶ୍ୟାନ୍ତର, ଅନ୍ଧକାରର ଛାଇ, ଜନ୍ମାନ୍ତର, ଏକାକୀ ପରିସର, ଆରୋହଣ, ଇଣ୍ଟରଭ୍ୟୁ।
ସେହିପରି କୁନ୍ତି କୁନ୍ତଳା ଶକୁନ୍ତଳା, ସୀତାର ଶୋଣିତ, ମନସ୍ଵିନୀ ଓ ଅନୁବାଦ ପ୍ରେମଚାନ୍ଦ ଭଳି ଉପନ୍ୟାସ ମଧ୍ୟ ରଚନା କରିଛନ୍ତି। ଏହାସହ ତାଙ୍କ ଲିଖିତ ‘ପାଟ ଦେଇ’ ଏବଂ ଅନ୍ୟାନ୍ୟ କାହାଣୀ’ ନାମକ କ୍ଷୁଦ୍ର ଗଳ୍ପ ୧୯୯୦ ମସିହାରେ ସାହିତ୍ୟ ଏକାଡେମୀ ପୁରସ୍କାର ଜିତି ଥିଲା, ଯାହା ପାଇଁ ସେ ଅନେକ ସୁନାମ ସାଉଁଟିଥିଲେ।
ନିଜର ସୃଷ୍ଟି ଏବଂ କୃତି ପାଇଁ ଅନେକ ପୁରସ୍କାର ପାଇଛନ୍ତି ବୀଣାପାଣି ମହାନ୍ତି। ପାଟଦେଇ ପାଇଁ ୧୯୯୦ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, କସ୍ରୁରୀ ମୃଗ ଓ ସବୁଜ ଅରଣ୍ୟ ପାଇଁ ୧୯୬୯ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର। ୨୦୧୦ରେ ଶାରଳା ପୁରସ୍କାର, ୨୦୦୧ରେ ସାହିତ୍ୟ ଭାରତୀ ସମ୍ମାନ ପାଇଥିଲେ। ଏହାସହ ୨୦୨୦ ପାଇଁ ତାଙ୍କ ନାଁ ପଦ୍ମଶ୍ରୀ ପାଇଁ ମଧ୍ୟ ଘୋଷଣା କରାଯାଇଛି।

















