ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ବିଶ୍ଵରେ କୋରୋନା ଭାଇରସ ନିଜ କାୟା ବିସ୍ତାର କରିଛି। ଏଥିରୁ ଭାରତ  ମଧ୍ୟ ବର୍ତ୍ତି ପାରିନାହିଁ। ବର୍ତ୍ତମାନ ସୁଦ୍ଧା ଭାରତରେ ୨୮ଜଣ କୋରୋନା ରୋଗୀ ଚିହ୍ନଟ ହୋଇ ସାରିଲେଣି। ଓଡ଼ିଶାରେ ମଧ୍ୟ ଏହି ପ୍ରାଣଘାତୀ ଭାଇରସ ପ୍ରବେଶ କରିଥିବା ସନ୍ଦେହ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକ କରାଯାଇଛି।  

ରାଜ୍ୟରେ କୋରୋନା ସନ୍ଦିଗ୍ଧଙ୍କ ରକ୍ତ ପରୀକ୍ଷା ନେଇ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ହେବ। କଟକ ଏସସିବି ଓ RMRCରେ ରକ୍ତ ପରୀକ୍ଷା ବ୍ୟବସ୍ଥା  ପାଇଁ ଚିଠି କରାଯିବ ବୋଲି ବୈଠକ ପରେ ସ୍ଵାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଏହା କହିଛନ୍ତି। ଏଥିସହ ଏହି ଭାଇରସ କବଳରୁ ରକ୍ଷା ପାଇବା ପାଇଁ ସ୍ୱାସ୍ଥ୍ୟ ସଚିବ କିଛି ପରାମର୍ଶ ମଧ୍ୟ ଦେଇଛନ୍ତି।

‘‘କୌଣସି ଜାଗାରେ ବହୁ ଲୋକ ଏକାଠି ହୁଅନ୍ତୁ ନାହିଁ। ବଡ଼ବଡ଼ ସଭାସମତି କରନ୍ତୁ ନାହିଁ। ଯଦି କୌଣସି ସଭା ସମିତିକୁ ଯାଉଛନ୍ତି ସେଠାରେ କାହାସହ ହାତ ମିଳାନ୍ତୁ ନାହିଁ କି ଆଲିଙ୍ଗନ କରନ୍ତୁ ନାହିଁ’’, ଜନ ସାଧାରଣଙ୍କ ନିମନ୍ତେ ଏହି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ।

ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରଥମେ କେରଳରେ ୩ ଜଣ କୋରୋନା  ସନ୍ଦିଗ୍ଧଙ୍କ ରିପୋର୍ଟ ପଜେଟିଭ୍‌ ଆସିଥିଲା। ପରେ ଦିଲ୍ଲୀ, ତେଲେଙ୍ଗାନା ଓ ଜୟପୁରରୁ ୩ଜଣ ଭାରତୀୟ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comment