ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ବାର୍ଷିକୀ ଅବସରରେ ଓଡ଼ିଶାଲାଇଭ୍‌ର ଶ୍ରଦ୍ଧାଞ୍ଜଳି।

ଭାରତରେ ଓ ବିଶେଷ କରି ଓଡ଼ିଶା ରାଜନୀତିରେ ଇନ୍ଦିରା ଗାନ୍ଧି ଓ ବିଜୁ ପଟ୍ଟନାୟକଙ୍କ ସମ୍ପର୍କକୁ ନେଇ ବହୁତ କଥା ଶୁଣାଯାଏ। ଯେଉଁ ବିଜୁ ପଟ୍ଟନାୟକ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଏତେ ପ୍ରିୟ ଥିଲେ, ଯେଉଁ ନେହରୁଙ୍କର ବିଜୁଙ୍କ ଉପରେ ଏତେ ଭରସା ଥିଲା ସେହି ନେହରୁଙ୍କ ସୁପୁତ୍ରୀ ଇନ୍ଦିରା ଗାନ୍ଧିଙ୍କ ସହ ବିଜୁ ପଟ୍ଟନାୟକଙ୍କର କାହିଁକି ଶତ୍ରୁତା ସୃଷ୍ଟି ହେଲା।

ଏ ନେଇ ବହୁ କଳ୍ପନା ଜଳ୍ପନା କରାଯାଇଛି,ବହୁ କଥା ଆମେ ଶୁଣିଥାଇଁ। କିନ୍ତୁ ଇନ୍ଦିରା ଓ ବିଜୁଙ୍କ ଭିତରେ ସମ୍ପର୍କ ବିଗିଡ଼ିବାର ମୁଖ୍ୟ କାରଣ ଥିଲା ପଣ୍ଡିତ ନେହରୁଙ୍କ ସ୍ୱାସ୍ଥ୍ୟ।୧୯୬୪ରେ ନିଖିଳ ଭାରତ କଂଗ୍ରେସ କମିଟିର ଯେଉଁ ଅଧିବେଶନ ଭୁବନେଶ୍ୱରରେ ହୋଇଥିଲା ସେଥିରେ ଯୋଗ ଦେବାକୁ ନେହରୁ ଆସିଥିଲେ।

ଭୁବନେଶ୍ୱର ରହଣି ସମୟରେ ହିଁ ନେହରୁଙ୍କୁ ଏକ ଷ୍ଟ୍ରୋକ ହୋଇଥିଲା ଓ ସେହି ହୃଦଘାତ ପରଠାରୁ ସେ ଆଉ ସୁସ୍ଥ ହୋଇପାରିନଥିଲେ। ଏହି ସମଗ୍ର ଘଟଣାର ଏକ ନୂଆ ଖୁଲାସା କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା କାହ୍ନୁ ଚରଣ ଲେଙ୍କା ତାଙ୍କ ସଦ୍ୟ ପ୍ରକାଶିତ ଆତ୍ମଜୀବନୀ ‘ମୋ ଜୀବନ ସଂଗ୍ରାମ’ ପୁସ୍ତକରେ।

ସେହିଦିନର ଘଟଣା ସମ୍ପର୍କରେ କାହ୍ନୁ ଲେଙ୍କା ଉକ୍ତ  ପୁସ୍ତକରେ ଲେଖିଛନ୍ତି, “କଂଗ୍ରେସ ଅଧିବେଶନର ଠିକ୍ ପୂର୍ବଦିନ ପଣ୍ଡିତ ନେହେରୁ ଟିକରପଡା ଡ୍ୟାମର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ସେଠାକୁ  ଯାଇଥିଲେ। ତାଙ୍କ ସହିତ ବିଜୁ ପଟ୍ଟନାୟକ ଥାଆନ୍ତି। ଟିକରପଡା ଡ୍ୟାମର ଶୁଭ ଦେବା ପରେ ନେହରୁଙ୍କୁ କେତେକ ପାହାଚ ଚଢି ଉପରକୁ ଉଠିବାକୁ ପଡ଼ିଥିଲା, ଯାହାଫଳରେ କି ତାଙ୍କର ଡାହାଣ ଗୋଡ଼ରେ ପକ୍ଷାଘାତ (ପାରାଲିସିସ) ଆକ୍ରମଣ କଲା। ସେଠାରୁ ଆସି ପ୍ରଧାନମନ୍ତ୍ରୀ ରାଜଭବନରେ ବିଶ୍ରାମ ନେଲେ। ବିଭିନ୍ନ ଆଡୁ ବଡ଼ ବଡ଼ ଡାକ୍ତରମାନେ ଆସି ତାଙ୍କ ଚିକିତ୍ସା ଆରମ୍ଭ କରିଦେଲେ। ପୂର୍ବ ଦିନ ରାତିରେ ତାଙ୍କ ସ୍ୱାସ୍ଥ୍ୟରେ ସେଭଳି କିଛି ଉନ୍ନତି ନ ଘଟିବାରୁ ପରଦିନ ଜବାହରଲାଲ ନେହେରୁ କଂଗ୍ରେସ ଅଧିବେଶନରେ ସଭାମଞ୍ଚକୁ ଯାଇଥିଲେ;କିନ୍ତୁ ଭାଷଣ ଦେଇପାରି ନଥିଲେ। ଅଧିବେଶନରେ ତାଙ୍କର ଲିଖିତ ଏକ ଭାଷଣ ପାଠ କରାଯାଇଥିଲା।”

କାହ୍ନୁ ବାବୁ ଆହୁରି ଲେଖିଛନ୍ତି, “ଅଧିବେଶନର ପରଦିନ ଡାକ୍ତରଙ୍କ ପରାମର୍ଶ କ୍ରମେ ନେହେରୁଙ୍କୁ ଦିଲ୍ଲୀ ପଠାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହେଲା।କିନ୍ତୁ ସମସ୍ୟା ଥିଲା ନେହରୁ କିଭଳି ଏୟାରପୋର୍ଟକୁ ଯିବେ।

ତାଙ୍କର ପାରାଲିସିସ ବ୍ୟଥା ଏତେ ଗୁରୁତର ଆକାର ଧାରଣ କଲା ଯେ ରାଜଭବନରୁ କୌଣସି କାରରେ ଏୟାରପୋର୍ଟ ଯିବା ସମ୍ଭବ ହେଲାନାହିଁ। ନିଷ୍ପତ୍ତି ଅନୁସାରେ ରାଜଭବନ ହତାରେ ଥିବା ଗଛଗୁଡ଼ିକୁ କଟାଯାଇ ହେଲିକପ୍ଟର ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ଏୟାରପୋର୍ଟ ନିଆଯିବ ବୋଲି ସ୍ଥିର ହେଲା। ଶେଷରେ ସେୟା ହେଲା। ହେଲିକପ୍ଟର ଭିତରକୁକୁ ଷ୍ଟ୍ରେଚରରେ ନେହରୁଙ୍କୁ ନେବାରେ କେତେ ଜଣ ସେବା ଦଳ ଭଲେଣ୍ଟିଅରଙ୍କ ସହ ମୁଁ ମଧ୍ୟ ସାମିଲ ଥିଲି।ବହୁ ସତର୍କତା ଅବଲମ୍ବନ କରି ନେହରୁଙ୍କ ଷ୍ଟ୍ରେଚରକୁ ହେଲିକପ୍ଟର ଭିତରେ ରଖାଗଲା।”

“ଠିକ୍ ଏତିକିବେଳେ ମୋର ମନେ ଅଛି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା। ଇନ୍ଦିରା ଗାନ୍ଧୀ ବିଜୁ ପଟ୍ଟନାୟକଙ୍କୁ ଦେଖି ଚିତ୍କାର କରି କହିଲେ, you criminal, you are responsible for this ( ବାଜେ ଲୋକ, ତୁମେ ହିଁ ଏଥିପାଇଁ ଦାୟୀ)।’

ଏକଥା ସମସ୍ତେ ପ୍ରାୟ ଜାଣନ୍ତି  ଯେ ଏହି ଷ୍ଟ୍ରୋକ ପରଠାରୁ ନେହେରୁଙ୍କ ସ୍ୱାସ୍ଥ୍ୟରେ କୌଣସି ପ୍ରକାର ପରିବର୍ତ୍ତନ ଆସିନଥିଲା। ସେ ତିନିମୂର୍ତ୍ତି ଭବନରେ ଶଯ୍ୟାଶାୟୀ ହୋଇ ରହିଲେ ଓ ଏହାର ପାଞ୍ଚ ମାସ ପରେ ନେହେରୁଙ୍କର ଦେହାନ୍ତ ହୋଇଯାଇଥିଲା (୨୭ ମେ ୧୯୬୪)।ବିଜୁ ପଟ୍ଟନାୟକଙ୍କୁ ଇନ୍ଦିରା ଗାନ୍ଧି ଗାଳି ଦେବା ପରେ ଓଡ଼ିଶା କଂଗ୍ରେସର ମୁକ୍ତ ଆକାଶରେ ଶାଗୁଣା ଉଡ଼ିଲା ବୋଲି ଶ୍ରୀ ଲେଙ୍କା ତାଙ୍କ ପୁସ୍ତକରେ  ଲେଖିଛନ୍ତି। “ସେହିଦିନଠାରୁ ଇନ୍ଦିରା ଗାନ୍ଧି ଆଉ ବିଜୁ ପଟ୍ଟନାୟକଙ୍କୁ ଦେଖିବାକୁ ଚାହିଁଲେ ନାହିଁ। ଉଭୟଙ୍କ ମଧ୍ୟରେ ତିକ୍ତତା ଏତେ ବଢ଼ିଗଲା ଯେ,୧୯୬୭ ମସିହା ପରେ ଘଟଣାଚକ୍ରରେ ପଡ଼ି ବିଜୁବାବୁ ଉତ୍କଳ କଂଗ୍ରେସ ନାମରେ ଅନ୍ୟ ଏକ ଦଳ ଗଠନ କରି କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ।”

୧୯୬୪ ଭୁବନେଶ୍ୱର ଏଆଇସିସି ଅଧିବେଶନ ବେଳର ଆଉ ଏକ ଦୁଃଖଦାୟକ ଘଟଣାକୁ ମଧ୍ୟ  କାହ୍ନୁ ଚରଣ ଲେଙ୍କା ତାଙ୍କ ଆତ୍ମଜୀବନୀରେ ଉଲ୍ଲେଖ କରିଛନ୍ତି। କଂଗ୍ରେସ ଅଧିବେଶନର ପୂର୍ବଦିନ ମହାରାଷ୍ଟ୍ରରୁ ଆସିଥିବା ଜଣେ କଂଗ୍ରେସ ସେବା ଦଳ ସ୍ୱେଚ୍ଛାସେବୀନୀଙ୍କ ଖଣ୍ଡଗିରିଠାରେ ଏକ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା।

ଏହି କର୍ମୀଙ୍କ ନାଁ ଥିଲା ପିଲୁ ବେନ।ତା। ମୃତ୍ୟୁ ସମ୍ବାଦ ଯୋଗୁଁ ସାରା ଅଧିବେଶନରେ ଶୋକର ଛାୟା ଖେଳି ଯାଇଥିଲା। ପରବର୍ତ୍ତୀ କାଳରେ ପିଲୁ ବେନଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ସମ୍ବନ୍ଧରେ ନାନା ଅପପ୍ରଚାର ମଧ୍ୟ ଆରମ୍ଭ ହେଲା ବୋଲି ଶ୍ରୀ ଲେଙ୍କା ପୁସ୍ତକରେ  କହିଛନ୍ତି। ସେହି ଅପପ୍ରଚାର ସାରା ଭାରତ ବର୍ଷରେ ବ୍ୟାପି ଯିବାରୁ ବିଜୁ ପଟ୍ଟନାୟକଙ୍କ ସମେତ ଓଡ଼ିଶାର ଅନ୍ୟାନ୍ୟ ନେତୃବୃନ୍ଦ ନିନ୍ଦିତ ହୋଇଥିଲେ ବୋଲି  ଆତ୍ମଜୀବନୀରେ ଉଲ୍ଲେଖ କରାଯାଇଛି।

LEAVE A REPLY

Please enter your comment!
Please enter your name here